ଦୁବାଇର ଆବୁଧାବିରେ IPL 2026 ମିନି ନିଲାମ ଅନୁଷ୍ଠିତ ହେବା ମଧ୍ୟରେ କ୍ରିକେଟ ଜଗତରୁ ଏକ ଦୁଃଖଦ ଖବର ଆସିଛି। ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ସୋମଚନ୍ଦ୍ର ଡି ସିଲଭାଙ୍କର ୮୩ ବର୍ଷ ବୟସରେ ଦେହାନ୍ତ ହୋଇଛି। ସେ ଶ୍ରୀଲଙ୍କାର ପ୍ରଥମ ଟେଷ୍ଟ ଦଳର ସଦସ୍ୟ ମଧ୍ୟ ଥିଲେ। ସୋମଚନ୍ଦ୍ର ଡି ସିଲଭାଙ୍କ ମୃତ୍ୟୁ ପରେ ଶ୍ରୀଲଙ୍କା କ୍ରିକେଟ୍ ଜଗତରେ ଶୋକ ପ୍ରକାଶ ପାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୩ବର୍ଷ ହୋଇଥିଲା।
ସୋମଚନ୍ଦ୍ର ଡି ସିଲଭାଙ୍କ ମୃତ୍ୟୁ ପରେ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ସୋସିଆଲ ମିଡିଆରେ ଶୋକ ପ୍ରକାଶ କରି ଲେଖିଛନ୍ତି, “ଶ୍ରୀଲଙ୍କା କ୍ରିକେଟ୍ ଶ୍ରୀ ଡି.ଏସ୍. ଡି ସିଲଭାଙ୍କ ମୃତ୍ୟୁରେ ତାଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଉଛି। ସିଲଭା ଜଣେ ବହୁତ ଭଳ ଖେଳାଳି ଥିଲେ ଏବଂ ପ୍ରଶାସକ ଭାବେ ମଧ୍ୟ ତାଙ୍କର ଅବଦାନ ଥିଲା। ସେ ଶ୍ରୀଲଙ୍କା ପାଇଁ 12 ଟେଷ୍ଟ ଏବଂ 41 ଦିନିକିଆ ଖେଳିଥିଲେ ଏବଂ ଉଭୟ ଫର୍ମାଟରେ ସେ ଜାତୀୟ ଦଳର ଅଧିନାୟକ ଥିଲେ। ଡି ସିଲଭା 1982 ମସିହାରେ ଇଂଲଣ୍ଡ ବିପକ୍ଷରେ ଦେଶର ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳିଥିବା ଐତିହାସିକ ଶ୍ରୀଲଙ୍କା ଟେଷ୍ଟ ଦଳର ସଦସ୍ୟ ଥିଲେ।”
କ୍ୟାରିୟର କଥା କହିଲେ ଡି ସିଲଭା ୧୯୭୫ ମସିହାରେ ଶ୍ରୀଲଙ୍କା ପାଇଁ ତାଙ୍କର ଏକଦିବସୀୟ ଡେବ୍ୟୁ କରିଥିଲେ। ତା’ପରେ ସେ ୧୯୮୨ ମସିହାରେ ଶ୍ରୀଲଙ୍କା ପାଇଁ ତାଙ୍କର ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳିଥିଲେ। ସେ ଶେଷ ଥର ପାଇଁ ୧୯୮୪ ମସିହାରେ ଶ୍ରୀଲଙ୍କାର ପ୍ରତିନିଧିତ୍ୱ କରିଥିଲେ। ଡି ସିଲଭା ଶ୍ରୀଲଙ୍କା ପାଇଁ ୧୨ଟି ଟେଷ୍ଟ ମ୍ୟାଚ୍ ଖେଳି ୩୭ଟି ୱିକେଟ୍ ନେବା ସହ ୪୦୬ ରନ୍ କରିଥିଲେ। ଅନ୍ୟପକ୍ଷେ ୪୧ଟି ଦିନିକିଆ ମ୍ୟାଚ୍ ଖେଳି ୩୨ଟି ୱିକେଟ୍ ସହ ୩୭୧ ରନ୍ କରିଥିଲେ।

