ଆଉ ନାହାନ୍ତି ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର । ଏମସରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ପରଲୋକ ହୋଇଛି । ଦୀର୍ଘ ଦିନ ଧରି ଭୁବନେଶ୍ବର ଏମ୍ସରେ ଚିକିତ୍ସାଧିନ ଥିଲେ ଅଭିଜିତ୍ । ମୃତ୍ୟୁ ବେଳକୁ ଅଭିଜିତଙ୍କୁ ୫୪ ବର୍ଷ ହୋଇଥିଲା । ତେବେ ଏମ୍ସରୁ ଅଭିଜିତ୍ଙ୍କ ପାର୍ଥିବ ଶରୀରକୁ କଟକରେ ଥିବା MRR ଷ୍ଟୁଡିଓକୁ ନିଆଯିବ । ସେଠାରୁ ତାଙ୍କୁ ତାଙ୍କ ବାସଭବନକୁ ନିଆଯିବ । ପରେ ତାଙ୍କ ମର ଶରୀରକୁ ପୁରୀ ସ୍ଵର୍ଗଦ୍ୱାର ନିଆଯିବ । ସେଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ ।
ସୂଚନା ଅନୁସାରେ, ଗତ ସେପ୍ଟେମ୍ବର ୪ ତାରିଖ ୨୦୨୫ରେ AIIMSରେ ଭର୍ତ୍ତି ହୋଇଥିଲେ ଅଭିଜିତ । ଚିକିତ୍ସା ପାଇଁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ୧୦ ନଭେମ୍ବର ୨୦୨୫ରେ ତାଙ୍କୁ ମେଡିସିନ ୱାର୍ଡକୁ ସ୍ଥାନାନ୍ତର କରାଯାଇଥିଲା । ଚଳିତ ମାସରେ ପୁଣି ତାଙ୍କ ପୁଣି ସ୍ବାସ୍ଥ୍ୟାବସ୍ଥାରେ ଅବନତି ଦେଖାଦେଇଥିଲା । ଚିକିତ୍ସା ଚାଲିଥିଲେ ବି କୌଣସି ଉନ୍ନତି ଆସିନଥିଲା । ଆଜି ସକାଳ ୭ଟା ୪୩ ମିନିଟରେ ହୃଦଘାତ ହୋଇଥିଲା । ଏହାପରେ ତାଙ୍କୁ CPR ଦିଆଯାଇଥିଲା । କିନ୍ତୁ କିଛି କାମ ଦେଇ ନଥିଲା । ଶେଷରେ ସକାଳ ୯ଟା ୨ ମିନିଟରେ ଅଭିଜିତଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।
୧୯୭୧ ମସିହା ସେପ୍ଟେମ୍ବର ୧୧ରେ ଜନ୍ମଗ୍ରହଣ କରିଥିଲେ ଅଭିଜିତ୍ । ମାତ୍ର ୨୦ ବର୍ଷ ବୟସରେ ସଂଗୀତ ଜଗତରେ ପାଦ ଥାପିଥିଲେ । ସେ ସମ୍ବଲପୁରୀରୁ କ୍ୟାରିୟର ଆରମ୍ଭ କରି ଓଲିଉଡରେ ପାଦ ଥାପିଥିଲେ । ତାଙ୍କ ନିର୍ଦ୍ଦେଶିତ ପ୍ରଥମ ସମ୍ବଲପୁରୀ ଆଲବମ୍ `ଦକ୍ସି ଗଲା’ । ୭ ଶହରୁ ଅଧିକ ଗୀତର ନିର୍ଦ୍ଦେଶନା ଦେଇଥିଲେ । ଅନେକ ଗୀତରେ ତାଙ୍କର କଣ୍ଠଦାନ ମଧ୍ୟ ଦର୍ଶକଙ୍କ ମନ ମୋହିଥିଲା ।

