17 Oct 2026, Sat

ଦେଶ ପାଳୁଛି ୭୭ ତମ ସାଧାରଣତନ୍ତ୍ର ଦିବସ । ଦିଲ୍ଲୀରୁ ପଲ୍ଲୀ ସବୁଠି ଉତ୍ସାହ । ଫର୍ ଫର୍ ହୋଇ ଉଡୁଛି ତ୍ରିରଙ୍ଗା । ନୂଆଦିଲ୍ଲୀର କର୍ତ୍ତବ୍ୟପଥରେ ଭବ୍ୟ ପ୍ରସ୍ତୁତି । ଲାଲ କିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଉପସ୍ଥିତ ରହିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନୂଆଦିଲ୍ଲୀର କର୍ତ୍ତବ୍ୟପଥରେ ଅନୁଷ୍ଠିତ ହେବ ଜାତୀୟ ସ୍ତରୀୟ ପରେଡ୍ । ପରେଡରେ ଦେଖିବାକୁ ମିଳିବ ଭାରତର ସାଂସ୍କୃତିକ ବିବିଧତା, ସାମରିକ ଶକ୍ତି ଓ ଗଣତାନ୍ତ୍ରିକ ମୂଲ୍ୟବୋଧର ଚମତ୍କାର ପ୍ରଦର୍ଶନ । କର୍ତ୍ତବ୍ୟପଥ ପରେଡରେ ଭାଗ ନେବେ ୩୦ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ପ୍ରଜ୍ଞାପନ ମେଢ଼ ।

ସମୃଦ୍ଧ ଭାରତ, ବିକାଶ ଓ ନୂଆ ବିଚାରଧାରାର ପ୍ରଦର୍ଶନ ଦେଖିବାକୁ ମିଳିବ । ବ୍ୟାଟେଲ୍ ଏରେ ଫର୍ମେସନ୍ କରି ନିଜ ଅତ୍ୟାଧୁନିକ ଯୁଦ୍ଧ କ୍ଷମତା ଓ ଅନୁଶାସନର ପ୍ରଦର୍ଶନ କରିବେ ଭାରତୀୟ ସେନା । କର୍ତ୍ତବ୍ୟପଥରେ ଦେଖିବାକୁ ମିଳିବ ଅପରେସନ ସିନ୍ଦୂରର ଝଲକ । ନୂଆଦିଲ୍ଲୀ ସାଧାରଣତନ୍ତ୍ର ଦିବସ ସମାରୋହରେ ଯୋଗ ଦେବେ ୧୦ ହଜାର ବିଶେଷ ନିମନ୍ତ୍ରିତ ଅତିଥି । ଏମାନଙ୍କ ମଧ୍ୟରେ ଅଛନ୍ତି ବୈଜ୍ଞାନିକ, ଖେଳାଳି, କୃଷକ, ମହିଳା ଉଦ୍ୟୋଗୀ, ଷ୍ଟାର୍ଟଅପ୍ ସଂସ୍ଥାପକ, କାଗିରର, SHG ମହିଳା, ଦିବ୍ୟାଙ୍ଗ, ଜନଜାତି ପ୍ରତିନିଧି ଓ ବିଭିନ୍ନ ସରକାରୀ ପ୍ରକଳ୍ପର ହିତାଧିକାରୀ ।

କର୍ତ୍ତବ୍ୟ ପଥରେ ଚମକିବ ଓଡ଼ିଶାର ପ୍ରଜ୍ଞାପନ ମେଢ଼। ସ୍ଵଦେଶୀ ସାମଗ୍ରୀ ଉତ୍ପାଦନ ମାଧ୍ୟମରେ ସାମ୍ପ୍ରତିକ ଭାରତକୁ ଆତ୍ମନିର୍ଭର ଭାରତରେ ପରିଣତ କରିବା ଦୃଷ୍ଟିକୋଣ ଆଧାରରେ ପ୍ରସ୍ତୁତ ହୋଇଛି ଏହି ପ୍ରଜ୍ଞାପନ ମେଢ଼ । ପ୍ରଜ୍ଞାପନ ମେଢ଼ ସହିତ NCC, NSS ପରେଡ ଗ୍ରୁପରେ ସାମିଲ ହୋଇଛନ୍ତି ଓଡ଼ିଶାର ଛାତ୍ରଛାତ୍ରୀ । ଦେଶର ଜାତୀୟ ଗୀତ ବନ୍ଦେ ମାତରମର ୧୫୦ ବର୍ଷ ପୂର୍ତ୍ତି ଅବସରରେ ଭାରତର ବିଭିନ୍ନ ରାଜ୍ୟର ୨୫୦୦ କଳାକାର ଲୋକନୃତ୍ୟ , ଆଦିବାସୀ ଏବଂ ଶାସ୍ତ୍ରୀୟ ନୃତ୍ୟ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି । ଏହାର ନିର୍ଦ୍ଦେଶନା ସନ୍ତୋଷ ନାୟାର ଦେଇଥିବା ବେଳେ ଓଡ଼ିଶୀ ନୃତ୍ୟ ପାଇଁ ଓଡ଼ିଶୀ ନୃତ୍ୟ ଗୁରୁ କବିତା ଦ୍ଵିବେଦୀ ଦେଇଛନ୍ତି ନିର୍ଦ୍ଦେଶନା । ଏହି ନୃତ୍ୟ ଗ୍ରୁପରେ ଓଡ଼ିଶାର ୨୬ ଜଣ କଳାକାର ସାମିଲ ହୋଇଛନ୍ତି ।

ଓଡ଼ିଶାର ୮ ଜଣ ଛାତ୍ରଛାତ୍ରୀ ଚଳିତ ବର୍ଷ NSS ପରେଡରେ ସାମିଲ ହୋଇଛନ୍ତି । ସର୍ବ ଭାରତୀୟ ସ୍ତରରୁ ଆସିଥିବା ୨୦୦ ଜଣିଆ ଟିମ୍‌ରେ ଅଛନ୍ତି ୮ ଜଣ ଓଡ଼ିଆ ଛାତ୍ରଛାତ୍ରୀ । ୮ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରେ ୪ ଜଣ ପୁଅ ଏବଂ ୪ ଜଣ ଝିଅ ରହିଛନ୍ତି। ସେହିପରି NCC ପରେଡ ଗ୍ରୁପରେ ଓଡ଼ିଶାର ୨୧ ଜଣ ଛାତ୍ରଛାତ୍ରୀ ସାମିଲ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୨ ଜଣ ପୁଅ ୯ ଜଣ ଝିଅ ରହିଛନ୍ତି ।

Leave a Reply

Your email address will not be published. Required fields are marked *