26 Sep 2026, Sat

ପାକିସ୍ତାନରେ ଘୋର ଇନ୍ଧନ ସଙ୍କଟ! ବିବାହରେ ନାଚ-ଗୀତ ବନ୍ଦ, ସରକାରୀ ଗାଡ଼ିକୁ ୫୦% ଇନ୍ଧନ

ପାକିସ୍ତାନରେ ଦେଖାଦେଇଛି ଗୁରୁତର ପେଟ୍ରୋଲ ଓ ଡିଜେଲ ସଙ୍କଟ। ଇନ୍ଧନ ଅଭାବକୁ ମୁକାବିଲା କରିବା ସହ ସଂରକ୍ଷଣ ପାଇଁ ସରକାର ଏକାଧିକ କଠୋର ପଦକ୍ଷେପ ନେଇଛନ୍ତି। ରାଜଧାନୀ ଇସଲାମାବାଦ ସମେତ ଅନେକ ଅଞ୍ଚଳରେ ବଜାର, ଦୋକାନ ଓ ସପିଂ ମଲ୍‌ ଚାଲିବା ନେଇ କଟକଣା ଲଗାଯାଇଛି।

ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି ବିବାହ କାର୍ଯ୍ୟକ୍ରମକୁ ନେଇ ଜାରି ହୋଇଥିବା ନୂଆ ନିୟମ। ଏଣିକି ବିବାହ କାର୍ଯ୍ୟକ୍ରମ ରାତି ୧୦ଟା ସୁଦ୍ଧା ଶେଷ କରିବାକୁ ପଡ଼ିବ। ଏହାସହ ବିବାହ ସମାରୋହରେ କେବଳ ଖାଦ୍ୟ ପରିବେଷଣକୁ ଅନୁମତି ମିଳିବ। ନାଚ, ଗୀତ ଓ ଅନ୍ୟାନ୍ୟ ଉତ୍ସବମୂଳକ କାର୍ଯ୍ୟକ୍ରମ ଉପରେ କଟକଣା ଲଗାଯାଇଛି।

ଇନ୍ଧନ ସଂରକ୍ଷଣ ପାଇଁ ସରକାରୀ ଯାନଗୁଡ଼ିକୁ ମଧ୍ୟ ନିର୍ଦ୍ଧାରିତ ପରିମାଣର ଇନ୍ଧନ ଯୋଗାଣ କରାଯିବ। ସରକାରୀ ଯାନ ପାଇଁ ଇନ୍ଧନ ବ୍ୟବହାରରେ ପ୍ରାୟ ୫୦ ପ୍ରତିଶତ କମାଇବା ଭଳି ପଦକ୍ଷେପ ନିଆଯାଇଛି। ଏହାସହ ନୂଆ ସରକାରୀ ଗାଡ଼ି କିଣିବା ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି।

କେବଳ ଏତିକି ନୁହେଁ, ପାକିସ୍ତାନ ସରକାର ସଂଘୀୟ ସରକାରୀ କର୍ମଚାରୀଙ୍କ ବିଦେଶ ଯାତ୍ରା ଉପରେ ମଧ୍ୟ ଅସ୍ଥାୟୀ କଟକଣା ଲଗାଇଛନ୍ତି। ତିନି ମାସ ପାଇଁ ବିଦେଶ ଯାତ୍ରାକୁ ରୋକାଯାଇଥିବା କୁହାଯାଇଛି।

ପାକିସ୍ତାନରେ ଇନ୍ଧନ ଯୋଗାଣ ଉପରେ ଚାପ ବଢ଼ିଥିବା ବେଳେ ସରକାର ଖର୍ଚ୍ଚ କମାଇବା ଏବଂ ଇନ୍ଧନ ସଂରକ୍ଷଣ ଉପରେ ଗୁରୁତ୍ୱ ଦେଉଛନ୍ତି। ଫଳରେ ସାଧାରଣ ଜୀବନଯାପନ ଠାରୁ ଆରମ୍ଭ କରି ସରକାରୀ କାର୍ଯ୍ୟକଳାପ ପର୍ଯ୍ୟନ୍ତ ଏହି କଟକଣାର ପ୍ରଭାବ ପଡ଼ିଛି।

Leave a Reply

Your email address will not be published. Required fields are marked *