ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ପାଇଁ ବଡ଼ ଖବର। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହାଲୁକା ଯୁଦ୍ଧବିମାନ LCA Mark-1Aର ହସ୍ତାନ୍ତର ପ୍ରକ୍ରିୟା ଚଳିତ ବର୍ଷ ଶେଷ ସୁଦ୍ଧା ଆରମ୍ଭ ହୋଇପାରେ। ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (HAL)ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ରବି କେ.ଙ୍କ ସୂଚନା ଅନୁସାରେ, ବିମାନର ରାଡାର ଓ ଅସ୍ତ୍ରଶସ୍ତ୍ର ସଂଯୋଗ ସମ୍ପର୍କିତ ଶେଷ ପର୍ଯ୍ୟାୟର ପରୀକ୍ଷଣ ଚାଲିଛି।
ଏହି ପରୀକ୍ଷଣ ଆସନ୍ତା କିଛି ମାସ ମଧ୍ୟରେ ଶେଷ ହେବାର ଆଶା ରହିଛି। ଏହାପରେ ଭାରତୀୟ ବାୟୁସେନାକୁ LCA Mark-1A ଯୋଗାଣ ପ୍ରକ୍ରିୟା ଆଗକୁ ବଢ଼ିବ।

ବର୍ତ୍ତମାନ ଭାରତୀୟ ବାୟୁସେନାର ଯୁଦ୍ଧବିମାନ ସ୍କ୍ୱାଡ୍ରନ୍ ସଂଖ୍ୟା ହ୍ରାସ ପାଉଥିବାରୁ ନୂଆ ଯୁଦ୍ଧବିମାନ ସାମିଲ କରିବା ଉପରେ ଗୁରୁତ୍ୱ ଦିଆଯାଉଛି। HALକୁ ମୋଟ ୧.୧ ଲକ୍ଷ କୋଟି ଟଙ୍କାରେ ୧୮୦ଟି LCA Mark-1A ପାଇଁ ଦୁଇଟି ଅର୍ଡର ମିଳିଛି।
୨୦୨୬-୨୭ ଆର୍ଥିକ ବର୍ଷରେ ବାୟୁସେନାକୁ ୧୦ଟି ଯୁଦ୍ଧବିମାନ ଯୋଗାଇବାର ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ଆମେରିକାର GE Aerospaceରୁ ୧୦ଟି ଇଞ୍ଜିନ୍ ମଧ୍ୟ ମିଳିସାରିଛି।

ପୂର୍ବରୁ ଆମେରିକାରୁ ଇଞ୍ଜିନ୍ ଯୋଗାଣରେ ବିଳମ୍ବ ହେବା ଯୋଗୁଁ LCA Mark-1Aର ପ୍ରଥମ ବିମାନ ହସ୍ତାନ୍ତର ପ୍ରକ୍ରିୟା ପ୍ରଭାବିତ ହୋଇଥିଲା। ତେବେ HAL ପକ୍ଷରୁ ବାର୍ଷିକ ୨୪ଟି ଯୁଦ୍ଧବିମାନ ନିର୍ମାଣ କରିବାର କ୍ଷମତା ରହିଥିବାରୁ ଆଗାମୀ ୩ରୁ ୪ ବର୍ଷ ମଧ୍ୟରେ ସମସ୍ତ ବିମାନ ଯୋଗାଇବାର ଲକ୍ଷ୍ୟ ରହିଛି।
ସେହିପରି ୨୦୨୫ର ଅର୍ଡର ଅଧୀନରେ ନିର୍ମାଣ ହେବାକୁ ଥିବା ୯୭ଟି LCA Mark-1Aରେ ସ୍ୱଦେଶୀ ଆଡଭାନ୍ସଡ୍ ରାଡାର ଏବଂ ‘ସ୍ୱୟଂ ରକ୍ଷା କବଚ’ ଇଲେକ୍ଟ୍ରୋନିକ୍ ୱାରଫେୟାର ସିଷ୍ଟମ୍ ବ୍ୟବହାର କରାଯିବ।
ଅନ୍ୟପଟେ, ଏହାଠାରୁ ଅଧିକ ଆଧୁନିକ LCA Mark-2 ପ୍ରକଳ୍ପ ମଧ୍ୟ ଆଗେଇ ଚାଲିଛି। ଏହାର ପ୍ରଥମ ପରୀକ୍ଷାମୂଳକ ଉଡ଼ାଣ ୨୦୨୭ ଶେଷ ସୁଦ୍ଧା କରାଇବାକୁ ଲକ୍ଷ୍ୟ ରଖାଯାଇଛି।

