ରୁଷର ସଂସଦୀୟ ନିର୍ବାଚନର ତୃତୀୟ ତଥା ଶେଷ ଦିନରେ ମସ୍କୋ ଓ ଏହାର ଆଖପାଖ ଅଞ୍ଚଳରେ ବଡ଼ ଧରଣର ଡ୍ରୋନ୍ ଆକ୍ରମଣ ହୋଇଛି। ରୁଷ ଅଧିକାରୀଙ୍କ ଅନୁସାରେ, ଏହି ଆକ୍ରମଣରେ ମସ୍କୋ ଅଞ୍ଚଳରେ ଅତି କମ୍ରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୨୦ ଜଣ ଆହତ ହୋଇଛନ୍ତି। ମସ୍କୋର ଏକ ତେଲ ରିଫାଇନାରୀ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।
ମସ୍କୋ ମେୟର ସର୍ଗେଇ ସୋବ୍ୟାନିନ୍ କହିଛନ୍ତି ଯେ, ରୁଷର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଶନିବାରଠାରୁ ୧୬୦୦ରୁ ଅଧିକ ଡ୍ରୋନ୍କୁ ନଷ୍ଟ କରିଥିବା ବେଳେ ପ୍ରାୟ ୪୫୦ଟି ଡ୍ରୋନ୍ ମସ୍କୋ ଦିଗକୁ ଆସିଥିଲା। ଏହାକୁ ମସ୍କୋ ଉପରେ ଏପର୍ଯ୍ୟନ୍ତର ସବୁଠାରୁ ବଡ଼ ଡ୍ରୋନ୍ ଆକ୍ରମଣ ବୋଲି ରୁଷ ପକ୍ଷରୁ ବର୍ଣ୍ଣନା କରାଯାଇଛି।
ଆକ୍ରମଣରେ ମସ୍କୋ ଅଏଲ୍ ରିଫାଇନାରୀର ଏକ ଅଂଶ କ୍ଷତିଗ୍ରସ୍ତ ହୋଇଛି। ଏହାସହ ଏକ ଆବାସିକ କୋଠା ମଧ୍ୟ ଡ୍ରୋନ୍ ଆକ୍ରମଣରେ କ୍ଷତିଗ୍ରସ୍ତ ହୋଇଥିବା ରୁଷ ଅଧିକାରୀମାନେ କହିଛନ୍ତି। ରାମେନସ୍କୋଏ ଅଞ୍ଚଳର ଏକ ୨୧ ମହଲା କୋଠାରୁ ପ୍ରାୟ ୪୦୦ ଜଣଙ୍କୁ, ସେଥିରେ ୭୦ ଜଣ ଶିଶୁଙ୍କୁ ମଧ୍ୟ ସୁରକ୍ଷିତ ଭାବେ ବାହାର କରାଯାଇଥିଲା।

ରୁଷ ଏହି ଆକ୍ରମଣ ପାଇଁ ୟୁକ୍ରେନକୁ ଦାୟୀ କରିଛି। ମେୟର ସୋବ୍ୟାନିନ୍ ଅଭିଯୋଗ କରିଛନ୍ତି ଯେ, ଆକ୍ରମଣର ଉଦ୍ଦେଶ୍ୟ ଥିଲା ରୁଷର ସଂସଦୀୟ ନିର୍ବାଚନକୁ ବାଧା ଦେବା। ତେବେ ୟୁକ୍ରେନ ଏହି ଆକ୍ରମଣ ନେଇ ତୁରନ୍ତ କୌଣସି ଆନୁଷ୍ଠାନିକ ମନ୍ତବ୍ୟ ଦେଇନାହିଁ।
ଅନ୍ୟପଟେ, ୟୁକ୍ରେନ ରାଷ୍ଟ୍ରପତି ଭୋଲଡିମିର୍ ଜେଲେନ୍ସ୍କି କହିଛନ୍ତି ଯେ, ୟୁକ୍ରେନୀୟ ବାହିନୀ ରୁଷର ତେଲ ଓ ଲଜିଷ୍ଟିକ୍ସ ଭିତ୍ତିଭୂମିକୁ ଲକ୍ଷ୍ୟ କରିଛି। ଏହି ଠିକଣାଗୁଡ଼ିକ ରୁଷର ଯୁଦ୍ଧ ଅଭିଯାନକୁ ଆର୍ଥିକ ସହାୟତା ଯୋଗାଉଥିବା ବୋଲି ସେ ଦାବି କରିଛନ୍ତି।
ଏହି ଡ୍ରୋନ୍ ଆକ୍ରମଣ ରୁଷର ତିନିଦିନିଆ ସଂସଦୀୟ ନିର୍ବାଚନର ଶେଷ ଦିନରେ ହୋଇଛି। ଏହା ପୂର୍ବରୁ ରୁଷ ଅଧିକାରୀମାନେ ମସ୍କୋର ଅନଲାଇନ୍ ଭୋଟିଂ ବ୍ୟବସ୍ଥା ଉପରେ ସାଇବର ଆକ୍ରମଣ ଉଦ୍ୟମ ହୋଇଥିବା ମଧ୍ୟ ଦାବି କରିଥିଲେ।
ଡ୍ରୋନ୍ ଆକ୍ରମଣ ଓ ସାଇବର ଆକ୍ରମଣ ଉଦ୍ୟମକୁ ନେଇ ନିର୍ବାଚନ ସମୟରେ ରୁଷର ସୁରକ୍ଷା ବ୍ୟବସ୍ଥା ଉପରେ ଚାପ ବଢ଼ିଛି। ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଉଭୟ ପକ୍ଷ ପରସ୍ପରର ଶକ୍ତି ଓ ଶିଳ୍ପ ଭିତ୍ତିଭୂମିକୁ ଟାର୍ଗେଟ୍ କରୁଥିବାରୁ ଏହି ଘଟଣା ପୁଣିଥରେ ଦୁଇ ଦେଶ ମଧ୍ୟରେ ଚାଲିଥିବା ତିକ୍ତତାକୁ ସାମ୍ନାକୁ ଆଣିଛି।
ତେବେ ଆକ୍ରମଣର ସମ୍ପୂର୍ଣ୍ଣ କ୍ଷୟକ୍ଷତି ଓ ଏହାର ସମସ୍ତ ପରିଣାମ ନେଇ ଅଧିକ ସୂଚନା ଆସିବା ବାକି ରହିଛି।

