ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଖୁସିର ଖବର । ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା। ସୋମବାର ମୁଖ୍ୟମନ୍ତ୍ରୀ ନିଜେ ଘୋଷଣା କରିସାରିଛନ୍ତି । ତେଣୁ ଖୁବଶୀଘ୍ର ହିତାଧିକାରୀଙ୍କୁ ମିଳିବ ସହାୟତା ରାଶି । ମୋଟ ୪ ଲକ୍ଷ ୫୭ ହଜାର ୬୮୧ ଜଣ ମହିଳା ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ନୂଆ ଭାବେ ୧ ଲକ୍ଷ ୭୮ ହଜାର ୩୯୮ ଜଣଙ୍କୁ ସାମିଲ କରାଯାଇଛି । ସେମାନେ ପାଇବେ ପ୍ରଥମ କିସ୍ତି । ତେବେ ପ୍ରଥମ ଓ ଦ୍ୱିତୀୟ କିସ୍ତିରୁ ବାଦ ପଡ଼ିଥିବା ୨ ଲକ୍ଷ ୫୫ ହଜାର ୨୬୫ ଜଣଙ୍କୁ ସାମିଲ କରାଯାଇଛି | ସେମାନେ ବି ଏକା ଥରକେ ପାଇବେ ଦୁଇଟି କିସ୍ତି ସେହିପରି ଅଭିଯୋଗ ଶୁଣାଣିରେ ୨୪ ହଜାର ୧୮ ଜଣ ହିତାଧିକାରୀଙ୍କୁ ସୁଭଦ୍ରାରେ ସାମିଲ କରାଯାଇଛି | ମୋଟ ୨୫୦ କୋଟି ଟଙ୍କାର ସହାୟତା ରାଶି ଖାତାକୁ ଯିବ।
ସୂଚନା ଥାଉକି, ଗତ ନଭେମ୍ୱର ମାସରେ ଆରମ୍ଭ ହୋଇଥିଲା ଆବେଦନ ପ୍ରକ୍ରିୟା । ବହୁ ଦିନରୁ ସ୍ଥଗିତ ଥିବା ସୁଭଦ୍ରା ପୋର୍ଟାଲ ବି ଖୋଲିଥିଲା । ୨୦୨୫ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ୨୧ ବର୍ଷ ବୟସ ହୋଇଥିବା ମହିଳା ମାନେ ସରକାରଙ୍କ ଏହି ଯୋଜନାରେ ସାମିଲ ହେବା ପାଇଁ ଆବେଦନ କରିପାରିବେ ସୂଚନା ମିଳିଥିଲା।
ସୁଭଦ୍ରା ହିତାଧିକାରୀଙ୍କ ପାଇଁ ବଡ଼ ଖବର । ୬୦ ବର୍ଷ ହୋଇଥିବା ହିତାଧିକାରୀଙ୍କୁ ମିଳିବ ପେନସନ । ସୁଭଦ୍ରା ଉପରେ ପ୍ରଥମ ରାଜ୍ୟସ୍ତରୀୟ ପରିଚାଳନା ଏବଂ ତଦାରଖ କମିଟି ବୈଠକର ସମୀକ୍ଷା ପରେ ମହିଳା ଏବଂ ଶିଶୁ ବିକାଶ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ଯେ, ସୁଭଦ୍ରା ଯୋଜନାର ହିତାଧିକାରୀମାନେ ୬୦ ବର୍ଷ ବୟସ ପ୍ରାପ୍ତ କରିବା ପରେ ବାର୍ଦ୍ଧକ୍ୟ ପେନସନ ପାଇଁ ଆବେଦନ କରିପାରିବେ। ମଧୁ ବାବୁ ପେନସନ ଯୋଜନା (ଏମବିପିୱାଇ) ଏବଂ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ (ଏନଏସଏପି)ରେ ସୁଭଦ୍ରା ଯୋଜନାର ପୂର୍ବତନ ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରିବାକୁ ସରକାରଙ୍କ ପକ୍ଷରୁ ଚିଠି କରାଯାଇଛି।
୬୦ ବର୍ଷ ବୟସ ପ୍ରାପ୍ତ କରିବା ପରେ ସୁଭଦ୍ରା ହିତାଧିକାରୀ ଏମବିପିୱାଇ/ଏନଏସଏପି ଅନ୍ତର୍ଗତ ଯେକୌଣସି ସାମାଜିକ ସୁରକ୍ଷା ପେନସନ ପାଇଁ ଆବେଦନ କରିପାରିବେ, କିନ୍ତୁ ପେନସନ ମଞ୍ଜୁରୀ ସମ୍ପୃକ୍ତ ଯୋଜନା ନିର୍ଦ୍ଦେଶାବଳୀ ଅନୁଯାୟୀ ସମସ୍ତ ଯୋଗ୍ୟତା ମାନଦଣ୍ଡ ପୂରଣ କରିବା ଜରୁରୀ। ଏହା ସହିତ ଏହି ବ୍ୟବସ୍ଥା ଉପଲବ୍ଧତା ଉପରେ ନିର୍ଭର କରିବ।

