ଛଠ ପୂଜା ପୂର୍ବରୁ ଦିଲ୍ଲୀର ଯମୁନା ନଦୀକୁ ନେଇ ତେଜିଛି ରାଜନୈତିକ ବାକ୍ଯୁଦ୍ଧ। ନଦୀର ସଫେଇ ଓ ପ୍ରଦୂଷଣ ପ୍ରସଙ୍ଗକୁ ନେଇ ଶାସକ ବିଜେପି ଏବଂ ଆମ୍ ଆଦମୀ ପାର୍ଟି (ଆପ୍) ମଧ୍ୟରେ ଆରମ୍ଭ ହୋଇଛି ଆରୋପ-ପ୍ରତ୍ୟାରୋପ। ବିଜେପି ସାଂସଦ ମନୋଜ ତିୱାରୀ ଯମୁନା ନଦୀରେ ବୁଡ଼ ପକାଇ ଜଳର ସ୍ୱଚ୍ଛତାକୁ ପ୍ରଶଂସା କରିବା ପରେ ଏହି ବିବାଦ ଆହୁରି ତୀବ୍ର ହୋଇଛି। ଏପରିକି କେନ୍ଦ୍ରମନ୍ତ୍ରୀ କିରେନ୍ ରିଜିଜୁ ତାଙ୍କ ସହ ଯମୁନାରେ ସନ୍ତରଣ ପ୍ରତିଯୋଗିତା କରିବାକୁ ପ୍ରସ୍ତାବ ଦେଇଛନ୍ତି।
ଛଠ ପୂଜା ପୂର୍ବରୁ ଦିଲ୍ଲୀର ସୋନିଆ ବିହାର ଅଞ୍ଚଳରେ ଯମୁନା ନଦୀରେ ବୁଡ଼ ପକାଇଥିଲେ ବିଜେପି ସାଂସଦ ମନୋଜ ତିୱାରୀ। ଏହା ପରେ ସେ ନଦୀର ଜଳ ପୂର୍ବାପେକ୍ଷା ଅଧିକ ସ୍ୱଚ୍ଛ ହୋଇଥିବା ଦାବି କରିଥିଲେ।
ଯମୁନା ସଫେଇ କାର୍ଯ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ନେତୃତ୍ୱକୁ ଶ୍ରେୟ ଦେଇଥିଲେ ମନୋଜ ତିୱାରୀ। ତାଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିବା ପରେ ରାଜନୈତିକ ମହଲରେ ମଧ୍ୟ ଆଲୋଚନା ଆରମ୍ଭ ହୋଇଥିଲା।
ମନୋଜ ତିୱାରୀଙ୍କ ଭିଡିଓକୁ ସୋସିଆଲ ମିଡିଆ ‘ଏକ୍ସ’ରେ ସେୟାର କରିଥିଲେ କେନ୍ଦ୍ରମନ୍ତ୍ରୀ କିରେନ୍ ରିଜିଜୁ। ଏହା ସହିତ ସେ ମନୋଜ ତିୱାରୀଙ୍କୁ ଏକ ମଜାଳିଆ ଚ୍ୟାଲେଞ୍ଜ ଦେଇଥିଲେ।
ରିଜିଜୁ ଲେଖିଥିଲେ, “ମନୋଜ ଜୀ, ଯମୁନାର ଏହି ସ୍ୱଚ୍ଛ ଜଳରେ ଆମ ଦୁହିଁଙ୍କ ମଧ୍ୟରେ ଏକ ସନ୍ତରଣ ପ୍ରତିଯୋଗିତା ହୋଇପାରିବ ନାହିଁ କି?”
ତାଙ୍କ ଏହି ପୋଷ୍ଟ ପରେ ଯମୁନା ନଦୀର ସ୍ୱଚ୍ଛତା ପ୍ରସଙ୍ଗ ପୁଣିଥରେ ଚର୍ଚ୍ଚାର କେନ୍ଦ୍ରକୁ ଆସିଛି।
ଅନ୍ୟପଟେ ଯମୁନା ନଦୀର ଜଳ ସ୍ୱଚ୍ଛ ହୋଇଥିବା ବିଜେପିର ଦାବିକୁ ଖଣ୍ଡନ କରିଛି ଆମ୍ ଆଦମୀ ପାର୍ଟି। ଏହାକୁ ଆପ୍ ନିର୍ବାଚନୀ ଡ୍ରାମା ବୋଲି କହିଛି।
ଆପ୍ କର୍ମୀମାନେ ସୋନିଆ ବିହାର ଅଞ୍ଚଳକୁ ଯାଇ ଯମୁନା ନଦୀର ଜଳ ଏବେ ବି କଳା ଏବଂ ଅତ୍ୟନ୍ତ ପ୍ରଦୂଷିତ ଥିବା ଦାବି କରିଥିଲେ। ନଦୀରେ ପ୍ରଦୂଷିତ ଜଳ ଓ ନାଳର ମଇଳା ପାଣି ମିଶୁଥିବା ନେଇ ମଧ୍ୟ ସେମାନେ ପ୍ରଶ୍ନ ଉଠାଇଛନ୍ତି।
ଯମୁନାର ପ୍ରଦୂଷଣକୁ ନେଇ ଆପ୍ ପକ୍ଷରୁ ମନୋଜ ତିୱାରୀଙ୍କୁ ଖୋଲା ଚ୍ୟାଲେଞ୍ଜ ଦିଆଯାଇଛି। ଯେଉଁ ସ୍ଥାନରେ ନାଳର ମଇଳା ଜଳ ନଦୀରେ ମିଶୁଛି, ସେଠାରେ ବୁଡ଼ ପକାଇବା ସହ ସେହି ପାଣି ପିଇ ଲାଇଭ୍ଷ୍ଟ୍ରିମ୍ କରି ଦେଖାଇବାକୁ ଆପ୍ କର୍ମୀମାନେ କହିଛନ୍ତି।
ଏହି ଚ୍ୟାଲେଞ୍ଜ ପରେ ବିଜେପି ଓ ଆପ୍ ମଧ୍ୟରେ ବାକ୍ଯୁଦ୍ଧ ଆହୁରି ତୀବ୍ର ହୋଇଛି। ଛଠ ପୂଜା ପୂର୍ବରୁ ଯମୁନା ନଦୀର ସଫେଇକୁ ନେଇ ଦୁଇ ଦଳ ମୁହାଁମୁହିଁ ହୋଇଥିବାବେଳେ ନଦୀର ପ୍ରକୃତ ସ୍ଥିତିକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।
ଛଠ ପୂଜା ସମୟରେ ଶ୍ରଦ୍ଧାଳୁମାନେ ନଦୀରେ ଠିଆ ହୋଇ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଅର୍ପଣ କରିଥାନ୍ତି। ତେଣୁ ଏହି ପର୍ବ ପୂର୍ବରୁ ଯମୁନା ନଦୀର ସ୍ୱଚ୍ଛତା ଓ ପ୍ରଦୂଷଣ ପ୍ରସଙ୍ଗ ଗୁରୁତ୍ୱ ବହନ କରୁଛି।
ଗୋଟିଏ ପଟେ ବିଜେପି ଯମୁନା ସଫେଇରେ ଉନ୍ନତି ହୋଇଥିବା ଦାବି କରୁଥିବାବେଳେ ଅନ୍ୟପଟେ ଆପ୍ ଏହାକୁ ଖଣ୍ଡନ କରୁଛି। ରାଜନୈତିକ ଆରୋପ-ପ୍ରତ୍ୟାରୋପ ମଧ୍ୟରେ ଯମୁନା ନଦୀର ପ୍ରକୃତ ପ୍ରଦୂଷଣ ସ୍ଥିତି ଓ ସଫେଇ କାର୍ଯ୍ୟର ଫଳାଫଳ ଏବେ ଚର୍ଚ୍ଚାର ବିଷୟ ହୋଇଛି।

