ନଭେମ୍ବର ୧ରେ ନୂଆଦିଲ୍ଲୀର ରାମଲୀଳା ମଇଦାନରେ ହେବାକୁ ଥିବା କଂଗ୍ରେସ ଓ ‘ଇଣ୍ଡିଆ’ ମେଣ୍ଟର ମେଗା ରାଲିକୁ ନେଇ ନୂଆ ବିବାଦ ସୃଷ୍ଟି ହୋଇଛି। ଦୀପାବଳି ପୂର୍ବରୁ ରାଜଧାନୀର ବ୍ୟବସାୟ ଓ ଯାତାୟାତ ବ୍ୟବସ୍ଥା ପ୍ରଭାବିତ ହେବା ଆଶଙ୍କା କରି ରାଲିକୁ ସ୍ଥଗିତ ରଖିବାକୁ ଦାବି କରିଛି ଚାମ୍ବର ଅଫ୍ ଟ୍ରେଡ୍ ଆଣ୍ଡ ଇଣ୍ଡଷ୍ଟ୍ରି (CTI)। ଏନେଇ ବରିଷ୍ଠ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କୁ ପତ୍ର ଲେଖିଛି ବ୍ୟବସାୟୀ ସଂଘ।
ବ୍ୟବସାୟୀ ସଂଘର ଯୁକ୍ତି ହେଉଛି, ଦୀପାବଳି ପୂର୍ବରୁ ଏହା ବ୍ୟବସାୟର ସବୁଠାରୁ ବ୍ୟସ୍ତବହୁଳ ସମୟ। ଏହି ସମୟରେ ଦିଲ୍ଲୀରେ ଏକ ବଡ଼ ରାଲି ଆୟୋଜନ ହେଲେ ଦୋକାନ ବଜାର, ମାଲ୍ ପରିବହନ ଓ ଗ୍ରାହକଙ୍କ ଯାତାୟାତ ଗୁରୁତର ଭାବେ ପ୍ରଭାବିତ ହୋଇପାରେ।
CTIର ଅଭିଯୋଗ ଅନୁସାରେ, ରାଲି ଯୋଗୁଁ ଦିଲ୍ଲୀର ୨୦ରୁ ଅଧିକ ପ୍ରମୁଖ ଐତିହାସିକ ବଜାରରେ ବ୍ୟବସାୟ ପ୍ରଭାବିତ ହୋଇପାରେ। ବ୍ୟବସାୟୀ ସଂଘ ଚେତାବନୀ ଦେଇଛି ଯେ, ଏହି ଦିନଗୁଡ଼ିକରେ ଦୈନିକ ପ୍ରାୟ ୧୦ ହଜାରରୁ ୧୨ ହଜାର କୋଟି ଟଙ୍କାର ବ୍ୟବସାୟ ଠପ୍ ହୋଇଯିବା ଆଶଙ୍କା ରହିଛି।
ଚାନ୍ଦନୀ ଚୌକ୍, ସଦର ବଜାର, କନୋଟ୍ ପ୍ଲେସ୍, କରୋଲ ବାଗ୍, ଖାରୀ ବାଓଲୀ ଓ ଦରିଆଗଞ୍ଜ ଭଳି ପ୍ରମୁଖ ବଜାରରେ ଦୀପାବଳି ପାଇଁ ବ୍ୟାପକ କିଣାବିକା ଚାଲିଥାଏ। ତେଣୁ ରାଲି ଯୋଗୁଁ ଏହି ଅଞ୍ଚଳରେ ଟ୍ରାଫିକ୍ ଜାମ୍ ହେଲେ ବ୍ୟବସାୟୀଙ୍କ ସହ ଗ୍ରାହକମାନେ ମଧ୍ୟ ହଇରାଣ ହୋଇପାରନ୍ତି।
CTI ଚେୟାରମ୍ୟାନ୍ ବ୍ରିଜେଶ ଗୋୟଲଙ୍କ କହିବା ଅନୁସାରେ, ଏହି ମେଗା ରାଲିରେ ପ୍ରାୟ ୧୦ ଲକ୍ଷ ଲୋକ ଯୋଗଦେବାର ସମ୍ଭାବନା ରହିଛି। ଏଥିସହ ୧୫ ହଜାରରୁ ୨୦ ହଜାର ଯାନବାହନ ଦିଲ୍ଲୀକୁ ଆସିପାରେ।
ଏତେ ସଂଖ୍ୟକ ଲୋକ ଓ ଗାଡ଼ି ରାଜଧାନୀରେ ପହଞ୍ଚିଲେ କେନ୍ଦ୍ରୀୟ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ଭୟଙ୍କର ଟ୍ରାଫିକ୍ ଜାମ୍ ସୃଷ୍ଟି ହୋଇପାରେ ବୋଲି ସଂଘ ଆଶଙ୍କା କରିଛି। ଏହାର ପ୍ରଭାବରେ ମାଲ୍ ପରିବହନ ଓ ଦୋକାନଗୁଡ଼ିକର ସାଧାରଣ କାରବାର ବାଧାପ୍ରାପ୍ତ ହୋଇପାରେ।
ବ୍ୟବସାୟୀଙ୍କ ପାଇଁ ନଭେମ୍ବର ମାସର ପ୍ରଥମ ସପ୍ତାହ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ନଭେମ୍ବର ୬ରେ ଧନତେରସ୍ ଏବଂ ନଭେମ୍ବର ୮ରେ ଦୀପାବଳି ପାଳନ ପାଇଁ ବଜାରଗୁଡ଼ିକରେ ଜୋରଦାର ପ୍ରସ୍ତୁତି ଚାଲିଛି।
ଏହି ସମୟରେ ରାଲି ଯୋଗୁଁ ରାସ୍ତାରେ ଟ୍ରାଫିକ୍ ଜାମ୍ ହେଲେ ଦୋକାନକୁ ମାଲ୍ ପହଞ୍ଚାଇବାରେ ସମସ୍ୟା ହେବ। ଏହାସହ ଗ୍ରାହକଙ୍କ ଯାତାୟାତ ମଧ୍ୟ ବାଧାପ୍ରାପ୍ତ ହେବ। ଫଳରେ ପର୍ବପର୍ବାଣୀ ସମୟରେ ବ୍ୟବସାୟୀମାନେ ବଡ଼ ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇପାରନ୍ତି ବୋଲି CTI ପକ୍ଷରୁ ଆଶଙ୍କା ପ୍ରକାଶ କରାଯାଇଛି।
ବ୍ୟବସାୟୀ ସଂଘ ପକ୍ଷରୁ ରାଲିକୁ ସ୍ଥଗିତ ରଖିବା ସହ ଦୁଇଟି ବିକଳ୍ପ ପ୍ରସ୍ତାବ ଦିଆଯାଇଛି। ପ୍ରଥମତଃ, ରାଲିକୁ ନଭେମ୍ବର ୧୦ ପରେ ଆୟୋଜନ କରାଯାଉ। ଦ୍ୱିତୀୟତଃ, ଯଦି ନିର୍ଦ୍ଧାରିତ ଦିନରେ ରାଲି କରିବା ଜରୁରୀ, ତେବେ ଏହାକୁ ରାମଲୀଳା ମଇଦାନ ବଦଳରେ ବୁରାଡ଼ି ମଇଦାନକୁ ସ୍ଥାନାନ୍ତର କରାଯାଉ।
ଏହାଦ୍ୱାରା ଦିଲ୍ଲୀର ପ୍ରମୁଖ ବଜାରଗୁଡ଼ିକରେ ଯାତାୟାତ ଓ ବ୍ୟବସାୟକୁ ସୁରକ୍ଷିତ ରଖାଯାଇପାରିବ ବୋଲି CTI ଆଶା ରଖିଛି।
ଭୋଟ୍ ହେରଫେର୍ ଏବଂ ସମ୍ବିଧାନ ସୁରକ୍ଷା ପ୍ରସଙ୍ଗ ଉଠାଇ କଂଗ୍ରେସ ଓ ‘ଇଣ୍ଡିଆ’ ମେଣ୍ଟ ପକ୍ଷରୁ ଏହି ମେଗା ରାଲିର ଆୟୋଜନ କରାଯାଉଛି। ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଆହ୍ୱାନରେ ‘ଚଲୋ ଦିଲ୍ଲୀ ରାମଲୀଳା ମାର୍ଚ୍ଚ’ ନାମରେ ଏହି କାର୍ଯ୍ୟକ୍ରମ ହେବାକୁ ଯୋଜନା ରହିଛି।
ତେବେ ରାଲିକୁ ଆଉ ମାତ୍ର ୪୮ ଘଣ୍ଟାରୁ କମ୍ ସମୟ ରହିଥିବାବେଳେ CTIର ଏହି ଅନୁରୋଧ ରାଜନୈତିକ ଓ ବ୍ୟବସାୟୀ ମହଲରେ ଚର୍ଚ୍ଚା ସୃଷ୍ଟି କରିଛି। ଏବେ କଂଗ୍ରେସ ନେତୃତ୍ୱ ଏହି ଅନୁରୋଧ ଉପରେ କି ନିଷ୍ପତ୍ତି ନେଉଛନ୍ତି, ତାହାକୁ ଅପେକ୍ଷା କରିଛନ୍ତି ଦିଲ୍ଲୀର ବ୍ୟବସାୟୀମାନେ।

