ବୟସ ବଢ଼ୁଛି, ହେଲେ କମୁନି କ୍ରେଜ୍। ଆଜି ବି ତାଙ୍କର ଗୋଟିଏ ଝଲକ ପାଇବା ପାଇଁ ହଜାର ହଜାର ପ୍ରଶଂସକ ଘଣ୍ଟା ଘଣ୍ଟା ଅପେକ୍ଷା କରି ରହୁଛନ୍ତି। ତାଙ୍କର ଗୋଟିଏ ହସ, ଗୋଟିଏ ହାତ ହଲାଇବା ଆଉ ସେହି ଚିରାଚରିତ ସିଗ୍ନେଚର୍ ପୋଜ୍ରେ ଫ୍ୟାନ୍ସଙ୍କ ମନ ଜିଣି ନିଅନ୍ତି ସେ। ଆମେ କହୁଛୁ ବଲିଉଡ୍ର ବାଦଶାହ ଶାହରୁଖ ଖାନ୍ଙ୍କ କଥା। ୬୧ ବର୍ଷରେ ପାଦ ଥାପିଛନ୍ତି କିଙ୍ଗ୍ ଖାନ୍। ତାଙ୍କ ଜନ୍ମଦିନକୁ ନେଇ ସାରା ଦେଶରେ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।
ଶାହରୁଖ ଖାନ୍ଙ୍କ ଜନ୍ମଦିନ ଅବସରରେ ମୁମ୍ବାଇସ୍ଥିତ ତାଙ୍କ ବାସଭବନ ମନ୍ନତ ବାହାରେ ଜମିଥିଲା ହଜାର ହଜାର ପ୍ରଶଂସକଙ୍କ ଭିଡ଼। ନିଜ ପ୍ରିୟ ସୁପରଷ୍ଟାରଙ୍କୁ ଥରେ ଦେଖିବା ପାଇଁ ଦୂରଦୂରାନ୍ତରୁ ଫ୍ୟାନ୍ସ ମନ୍ନତ ବାହାରେ ପହଞ୍ଚିଥିଲେ। ହାତରେ ପୋଷ୍ଟର, ବ୍ୟାନର ଧରି ଶାହରୁଖଙ୍କ ନାଁରେ ସ୍ଲୋଗାନ ଦେଇଥିଲେ ପ୍ରଶଂସକ।
ଫ୍ୟାନ୍ସଙ୍କ ଏହି ଅସୀମ ଭଲପାଇବା ଦେଖି ନିଜକୁ ଅଟକାଇ ପାରିନଥିଲେ କିଙ୍ଗ୍ ଖାନ୍। ମନ୍ନତର ବାଲକୋନିକୁ ଆସି ପ୍ରଶଂସକଙ୍କୁ ଅଭିବାଦନ ଜଣାଇଥିଲେ। ଆଉ ଦେଖାଇଥିଲେ ନିଜର ଲୋକପ୍ରିୟ ସିଗ୍ନେଚର୍ ପୋଜ୍। ଶାହରୁଖଙ୍କୁ ସାମ୍ନାରେ ଦେଖି ଫ୍ୟାନ୍ସଙ୍କ ଖୁସି କହିଲେ ନସରେ। ମନ୍ନତ ପରିସରରେ ଗୁଞ୍ଜରି ଉଠିଥିଲା କିଙ୍ଗ୍ ଖାନ୍ଙ୍କ ନାରା।
କେବଳ ମନ୍ନତ ନୁହେଁ, ଦକ୍ଷିଣ ମୁମ୍ବାଇର ତାଜ୍ ହୋଟେଲ ବାହାରେ ମଧ୍ୟ ଶାହରୁଖଙ୍କୁ ଦେଖିବା ପାଇଁ ପ୍ରଶଂସକଙ୍କ ଭିଡ଼ ଜମିଥିଲା। ସେଠାରେ ମଧ୍ୟ ନିଜ ଫ୍ୟାନ୍ସଙ୍କୁ ନିରାଶ କରିନଥିଲେ ଅଭିନେତା। ହାତ ହଲାଇବା ସହ ଫ୍ଲାଇଂ କିସ୍ ଦେଇ ପ୍ରଶଂସକଙ୍କ ଭଲପାଇବାର ଜବାବ ଦେଇଥିଲେ। ତାଙ୍କର ଏହି ଅନ୍ଦାଜ ଦେଖି ଉପସ୍ଥିତ ଫ୍ୟାନ୍ସଙ୍କ ଉତ୍ସାହ ଆହୁରି ବଢ଼ିଯାଇଥିଲା।
ଅନ୍ୟପଟେ ଶାହରୁଖଙ୍କ ଆଗାମୀ ଫିଲ୍ମ ‘କିଙ୍ଗ୍’କୁ ନେଇ ମଧ୍ୟ ସିନେପ୍ରେମୀଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି। ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହେଉଥିବା ଏହି ଫିଲ୍ମରେ ଶାହରୁଖଙ୍କ ସହ ତାଙ୍କ ଝିଅ ସୁହାନା ଖାନ୍, ଅଭିଷେକ ବଚ୍ଚନ, ଜ୍ୟାକି ଶ୍ରଫ୍, ଅର୍ଶଦ ୱାର୍ସି ଏବଂ ରାଘବ ଜୁୟାଲ ନଜର ଆସିବେ। ଏହା ସହ କରୀନା କପୁର, ରାଣୀ ମୁଖାର୍ଜୀ ଓ ଦୀପିକା ପାଦୁକୋଣଙ୍କ ସ୍ପେଶାଲ୍ ଆପିୟରାନ୍ସ ରହିଥିବା ମଧ୍ୟ ଚର୍ଚ୍ଚା ହେଉଛି।
ଶାହରୁଖଙ୍କ ଜନ୍ମଦିନକୁ ଆହୁରି ଖାସ୍ କରିଛି ଫିଲ୍ମ ‘କିଙ୍ଗ୍’ର ପ୍ରଥମ ଗୀତ ‘ତୁ ମିଲ୍ ଯାଏ’। ଏହି ଗୀତରେ ଶାହରୁଖ ଖାନ୍ ଓ ଦୀପିକା ପାଦୁକୋଣଙ୍କ ଯୋଡ଼ି ଦେଖିବାକୁ ମିଳିଛି। ଦୁହିଁଙ୍କ ଅନ୍ସ୍କ୍ରିନ୍ କେମେଷ୍ଟ୍ରିକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଛି। ଦିଆଯାଇଥିବା ସୂଚନା ଅନୁସାରେ, ଏହି ବହୁ ପ୍ରତୀକ୍ଷିତ ଫିଲ୍ମ ୨୦୨୬ ଡିସେମ୍ବର ୨୪ ତାରିଖରେ ପରଦାକୁ ଆସିବ।
୬୧ ବର୍ଷ ବୟସରେ ମଧ୍ୟ ଶାହରୁଖ ଖାନ୍ଙ୍କ ପ୍ରତି ଫ୍ୟାନ୍ସଙ୍କ ଭଲପାଇବାରେ କୌଣସି ଅଭାବ ନାହିଁ। ମନ୍ନତ ବାହାରେ ପ୍ରଶଂସକଙ୍କ ଏହି ଭିଡ଼ ଓ ତାଙ୍କର ଗୋଟିଏ ଝଲକ ପାଇଁ ଅପେକ୍ଷା ପୁଣିଥରେ ପ୍ରମାଣ କରିଛି ଯେ କାହିଁକି ତାଙ୍କୁ କୁହାଯାଏ ବଲିଉଡ୍ର ବାଦଶାହ।

