ଦୀପାବଳିକୁ ଆଲୋକର ପର୍ବ ଭାବେ ସାରା ଦେଶରେ ଉତ୍ସାହର ସହ ପାଳନ କରାଯାଏ। ଏହି ଦିନ ଦୀପ ଜାଳିବା ସହ ବାଣ ଫୁଟାଇ ଖୁସି ମନାଇଥାନ୍ତି ଲୋକେ। ତେବେ ବାଣ ଫୁଟାଇବା ଯୋଗୁଁ ବାୟୁ ଓ ଶବ୍ଦ ପ୍ରଦୂଷଣ ବଢ଼ିବା ସହ ଦୁର୍ଘଟଣାର ଆଶଙ୍କା ମଧ୍ୟ ରହିଥାଏ। ଏହାକୁ ଦୃଷ୍ଟିରେ ରଖି ଦୀପାବଳି ପର୍ବକୁ ପ୍ରଦୂଷଣମୁକ୍ତ ଓ ସୁରକ୍ଷିତ ଭାବେ ପାଳନ କରିବା ପାଇଁ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (OSPCB) ପକ୍ଷରୁ ବାଣ ବ୍ୟବହାରକୁ ନେଇ ପରାମର୍ଶମୂଳକ ଗାଇଡଲାଇନ୍ ଜାରି କରାଯାଇଛି।
ଏହି ନିର୍ଦ୍ଦେଶାବଳୀରେ ବାୟୁ ପ୍ରଦୂଷଣ ଓ ଶବ୍ଦ ପ୍ରଦୂଷଣ ନିୟନ୍ତ୍ରଣ ସହ ଲୋକଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇଛି। ବୋର୍ଡ ପକ୍ଷରୁ କେବଳ ଅନୁମୋଦିତ ସବୁଜ ବାଣ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି। ତେବେ ବାଣ କିଣିବାଠାରୁ ଆରମ୍ଭ କରି ଫୁଟାଇବା ପର୍ଯ୍ୟନ୍ତ କିଛି ନିୟମ ମାନିବା ଜରୁରୀ।
OSPCBର ଗାଇଡଲାଇନ୍ ଅନୁଯାୟୀ, ଦୀପାବଳିରେ କେବଳ ଅନୁମୋଦିତ ସବୁଜ ବାଣ ବ୍ୟବହାର କରିବା ଉଚିତ। ବାଣ କିଣିବା ସମୟରେ ଏହାର ପ୍ୟାକେଟ୍ରେ CSIR-NEERIର ଲୋଗୋ ଏବଂ QR କୋଡ୍ ରହିଛି କି ନାହିଁ, ତାହା ଯାଞ୍ଚ କରିବାକୁ କୁହାଯାଇଛି।
ସେହିପରି ବାଣରେ ବାରିୟମ୍ (Barium) ଏବଂ ଅନ୍ୟାନ୍ୟ ନିଷିଦ୍ଧ ରାସାୟନିକ ପଦାର୍ଥର ବ୍ୟବହାର ଉପରେ କଟକଣା ରହିଛି। ତେଣୁ ଅନୁମୋଦିତ ନୁହେଁ କିମ୍ବା ସନ୍ଦେହଜନକ ବାଣ କିଣିବା ଓ ବ୍ୟବହାର କରିବାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି।
ଦୀପାବଳି ସମୟରେ ଶବ୍ଦ ପ୍ରଦୂଷଣ ଏକ ବଡ଼ ସମସ୍ୟା ଭାବେ ଦେଖାଦେଇଥାଏ। ବିଶେଷକରି ଅଧିକ ଶବ୍ଦ ସୃଷ୍ଟି କରୁଥିବା ବାଣ ଯୋଗୁଁ ଛୋଟ ପିଲା, ବୟସ୍କ ବ୍ୟକ୍ତି ଓ ରୋଗୀମାନେ ଅସୁବିଧାରେ ପଡ଼ିଥାନ୍ତି।
ଏହାକୁ ରୋକିବା ପାଇଁ ନିର୍ଦ୍ଧାରିତ ଶବ୍ଦ ସୀମା ଅତିକ୍ରମ କରୁଥିବା ବାଣ ବ୍ୟବହାର ନକରିବାକୁ ବୋର୍ଡ ପରାମର୍ଶ ଦେଇଛି। ଏହାସହ ହସ୍ପିଟାଲ, ଶିକ୍ଷାନୁଷ୍ଠାନ ଓ ଅନ୍ୟାନ୍ୟ ନିରବ ଅଞ୍ଚଳ (Silence Zone) ନିକଟରେ ବାଣ ଫୁଟାଇବାରୁ ନିବୃତ୍ତ ରହିବାକୁ କୁହାଯାଇଛି।
ବାଣ ଫୁଟାଇବା ସମୟରେ ଅସାବଧାନତା ଯୋଗୁଁ ଅଗ୍ନିକାଣ୍ଡ ଓ ଶାରୀରିକ ଆଘାତ ଭଳି ଦୁର୍ଘଟଣା ଘଟିପାରେ। ତେଣୁ ବାଣ ଫୁଟାଇବା ପାଇଁ ଖୋଲା ଓ ସୁରକ୍ଷିତ ସ୍ଥାନ ବାଛିବାକୁ OSPCB ପରାମର୍ଶ ଦେଇଛି।
ଜଳି ନଥିବା ବାଣକୁ ପୁଣିଥରେ ଜଳାଇବାକୁ ଚେଷ୍ଟା ନକରିବାକୁ ମଧ୍ୟ କୁହାଯାଇଛି। ଏଭଳି ବାଣ ନିକଟକୁ ତୁରନ୍ତ ଯିବା ବିପଜ୍ଜନକ ହୋଇପାରେ। ବାଣ ଫୁଟାଇବା ସମୟରେ ଛୋଟ ପିଲାଙ୍କ ସୁରକ୍ଷା ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବା ସହ ସେମାନଙ୍କୁ ବଡ଼ମାନଙ୍କ ତତ୍ତ୍ୱାବଧାନରେ ରଖିବା ଜରୁରୀ।
ଦୀପାବଳି କେବଳ ଆଲୋକ ଓ ଉତ୍ସବର ପର୍ବ ନୁହେଁ, ଏହା ଖୁସି ବାଣ୍ଟିବାର ମଧ୍ୟ ଏକ ଅବସର। ତେଣୁ ନିଜର ଆନନ୍ଦ ଅନ୍ୟମାନଙ୍କ ପାଇଁ ଅସୁବିଧାର କାରଣ ନହେଉ, ସେଥିପ୍ରତି ସମସ୍ତେ ସଚେତନ ରହିବା ଆବଶ୍ୟକ।
ବାୟୁ ଓ ଶବ୍ଦ ପ୍ରଦୂଷଣ ନିୟନ୍ତ୍ରଣ ସହ ଜନସ୍ୱାସ୍ଥ୍ୟ ଓ ପରିବେଶର ସୁରକ୍ଷା ପାଇଁ ସମସ୍ତେ ଗାଇଡଲାଇନ୍ ପାଳନ କରିବାକୁ OSPCB ପକ୍ଷରୁ ଆହ୍ୱାନ ଦିଆଯାଇଛି। ସବୁଜ ବାଣ ବ୍ୟବହାର, ନିରବ ଅଞ୍ଚଳରେ ବାଣ ନଫୁଟାଇବା ଏବଂ ସୁରକ୍ଷା ନିୟମ ମାନିବା ଦ୍ୱାରା ଦୀପାବଳିକୁ ଅଧିକ ସୁନ୍ଦର ଓ ସୁରକ୍ଷିତ କରାଯାଇପାରିବ।

