ଉଦଘାଟିତ ହୋଇଛି ୩୬ତମ କୋଣାର୍କ ଉତ୍ସବ ୨୦୨୫ ଏବଂ ୧୫ତମ ଅନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ ୨୦୨୫ । ରାଜ୍ୟ ପର୍ଯ୍ୟଟନ ବିଭାଗ ଆନୁକୁଲ୍ୟରେ ତଥା ସଙ୍ଗୀତ ନାଟକ ଏକାଡେମୀ ଓ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ମିଳିତ ଉଦ୍ୟମରେ କୋଣାର୍କ ଠାରେ ଏହି ମହୋତ୍ସବ ଉଦଘାଟିତ ହୋଇଛି । ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୋଗ ଦେଇ ଉଦଘାଟନ୍ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ଜଗତସିଂହପୁରର ସାଂସଦ ଡ଼. ବିଭୁ ପ୍ରସାଦ ତରାଇ, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର, ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର, କାକଟପୁର ବିଧାୟକ ତୁଷାରକାନ୍ତି ବେହେରା, ପୁରୀ ବିଧାୟକ ସୁନୀଲ କୁମାର ମହାନ୍ତି, ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ର, ପୁରୀର ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଓ ପୁରୀ ଏସ୍ପି ପ୍ରତୀକ ସିଂହ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଉପସ୍ଥିତ ଥିଲେ l
ପ୍ରତି ବର୍ଷ କୋଣାର୍କ ଉତ୍ସବ ସହିତ ଆୟୋଜିତ ହୋଇଥାଏ ଆନ୍ତର୍ଜାତିକ ବାଲୁକା କଳା ମହୋତ୍ସବ । ଚନ୍ଦ୍ରଭାଗା କୂଳରେ ଓ କୋଳରେ ବିଶ୍ୱର କୋଣ ଅନୁକୋଣରୁ ଆସିଥାନ୍ତି ବାଲୁକା ଶିଳ୍ପୀ ଗଣ । ଏ ବର୍ଷ ଆମ ଭାରତ ବର୍ଷରୁ ପ୍ରାୟ ୧୪୦ ଜଣ ଶିଳ୍ପୀ ଯୋଗ ଦେଇଛନ୍ତି । ସେଥିରୁ ୪୦ ଜଣ ମହିଳା ଓ ୯୫ ଜଣ ପୁରୁଷ ଅଛନ୍ତି । ସ୍ପେନ୍, ଋଷ, ଜାପାନ, ପର୍ତ୍ତୁଗାଲ ଓ ଶ୍ରୀଲଙ୍କାରୁ ପ୍ରାୟ ୫ ଜଣ ବିଦେଶୀ ବାଲୁକା ଶିଳ୍ପୀ ଆସିଛନ୍ତି ।
କୋଣାର୍କ ଉତ୍ସବର ପ୍ରଥମ ସନ୍ଧ୍ୟାରେ ନୃତ୍ୟ ଉପାସନା ପିଠର ଶିଳ୍ପୀମାନଙ୍କ ଦ୍ଵାରା ଓଡ଼ିଶୀ ନୃତ୍ୟ ଅନୁଷ୍ଠିତ ହୋଇଛି । ସେମାନଙ୍କ ପ୍ରଥମ ପ୍ରସ୍ତୁତିରେ ଥିଲା ସନ୍ଥ ତୁଳସୀଦାସଙ୍କ ଦ୍ୱାରା ରଚିତ ହନୁମାନ ଚାଳିଶା । ଯାହାର ସଙ୍ଗୀତ ସଂଯୋଜନା କରିଥିଲେ ଗୁରୁ ଅଭିରାମ ନନ୍ଦ ଏବଂ ନୃତ୍ୟ ସଂରଚନା କରିଥିଲେ ଗୁରୁ ସୋନାଲୀ ମହାପାତ୍ର । ସେମାନଙ୍କ ଦ୍ବିତୀୟ ପ୍ରସ୍ତୁତିରେ ଥିଲା ସାରଙ୍ଗ ପଲ୍ଲବୀ ଏକ ଶୁଦ୍ଧ ନୃତ୍ୟ ଖଣ୍ଡ ଯେଉଁଥିରେ ଗତି ଏବଂ ସଙ୍ଗୀତ ଏକ ପ୍ରସ୍ଫୁଟିତ ଫୁଲ ପରି ସୁନ୍ଦର ଭାବରେ ପ୍ରକଟିତ ହୁଏ । ଏହା ରାଗର ସୌନ୍ଦର୍ଯ୍ୟକୁ ବିସ୍ତାରିତ କରେ, ତାଳ, ମାଧୁର ଏବଂ ନୃତ୍ୟ ନିର୍ଦ୍ଦେଶନାକୁ ଏକ ସୁସଙ୍ଗତ ଠାଣିରେ ବାନ୍ଧିରଖେ ଯାହାର ନୃତ୍ୟ ସଂରଚନା ଗୁରୁ ସୋନାଲି ମହାପାତ୍ର ଓ ସଙ୍ଗୀତ ଏବଂ ତାଳ ସଂଯୋଜନା ନିର୍ମଳ କୁମାର ମହାପାତ୍ର କରିଥିଲେ । ଏହି ଉତ୍ସବକୁ ପର୍ଯ୍ୟଟନ ବିଭାଗ, ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଓ ସଙ୍ଗୀତ ନାଟକ ଏକାଡେମୀର କର୍ମକର୍ତ୍ତା ସୁନ୍ଦର ଭାବରେ ପରିଚାଳନା କରିବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରିଥିଲେ l

