ଆଇପିଏଲ୍ ୨୦୨୭ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସରେ ହୋଇପାରେ ବଡ଼ ପରିବର୍ତ୍ତନ। ପୁଣି ଥରେ ଦଳର ଅଧିନାୟକ ହୋଇପାରନ୍ତି ହିଟମ୍ୟାନ୍ ରୋହିତ ଶର୍ମା। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଗତ କିଛି ସିଜିନ୍ରେ ଦଳ ଆଶାନୁରୂପ ପ୍ରଦର୍ଶନ କରିପାରିନଥିବାରୁ ଏବେ ମୁମ୍ବାଇ ଟିମ୍ ମ୍ୟାନେଜମେଣ୍ଟ ପୁଣି ରୋହିତଙ୍କ ଉପରେ ଭରସା କରିବାକୁ ଯାଉଥିବା ଚର୍ଚ୍ଚା ହେଉଛି। ଏହି ଖବର ପରେ କ୍ରିକେଟ୍ ମହଲରେ ଉତ୍ସାହ ବଢ଼ିଛି। ତେବେ ରୋହିତଙ୍କ ପ୍ରତ୍ୟାବର୍ତ୍ତନ ନେଇ ଚର୍ଚ୍ଚା ପଛରେ ରହିଛି ତାଙ୍କର ଦମ୍ଦାର ଅଧିନାୟକତ୍ୱ ରେକର୍ଡ।
୫ ଥର ମୁମ୍ବାଇକୁ ଦେଇଛନ୍ତି ଆଇପିଏଲ୍ ଟ୍ରଫି
୨୦୧୩ ମସିହାରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଦାୟିତ୍ୱ ନେଇଥିଲେ ରୋହିତ ଶର୍ମା। ଏହାପରେ ଦଳର ସଫଳତାର ନୂଆ ଅଧ୍ୟାୟ ଆରମ୍ଭ ହୋଇଥିଲା। ରୋହିତଙ୍କ ନେତୃତ୍ୱରେ ମୁମ୍ବାଇ ୨୦୧୩, ୨୦୧୫, ୨୦୧୭, ୨୦୧୯ ଏବଂ ୨୦୨୦ରେ ଆଇପିଏଲ୍ ଚାମ୍ପିଅନ୍ ହୋଇଥିଲା। ଅର୍ଥାତ୍ ମାତ୍ର ୮ ବର୍ଷ ମଧ୍ୟରେ ଦଳକୁ ୫ ଥର ଟ୍ରଫି ଜିତାଇଥିଲେ ରୋହିତ। ଏହି ସଫଳତା ତାଙ୍କୁ ଆଇପିଏଲ୍ର ସବୁଠାରୁ ସଫଳ ଅଧିନାୟକଙ୍କ ମଧ୍ୟରେ ସ୍ଥାନ ଦେଇଛି।
ଅଧିନାୟକ ଭାବେ ରୋହିତଙ୍କ ରେକର୍ଡ
- ମୁମ୍ବାଇ ପାଇଁ ୧୫୮ଟି ଆଇପିଏଲ୍ ମ୍ୟାଚ୍ରେ ଅଧିନାୟକତ୍ୱ।
- ୮୭ଟି ମ୍ୟାଚ୍ରେ ବିଜୟ।
- ୬୭ଟି ମ୍ୟାଚ୍ରେ ପରାଜୟ।
- ୪ଟି ମ୍ୟାଚ୍ ଟାଇ।
- ଅଧିନାୟକ ଭାବେ ୫ଟି ଆଇପିଏଲ୍ ଟ୍ରଫି।
ଏହି ରେକର୍ଡ ହିଁ ରୋହିତଙ୍କୁ ମୁମ୍ବାଇ ଇଣ୍ଡିଆନ୍ସର ସବୁଠାରୁ ସଫଳ ଅଧିନାୟକ ଭାବେ ପରିଚିତ କରାଇଛି।
ହାର୍ଦ୍ଦିକଙ୍କ ନେତୃତ୍ୱରେ ଦଳକୁ ମିଳିଲାନି ଆଶାନୁରୂପ ସଫଳତା
୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସ ଏକ ବଡ଼ ନିଷ୍ପତ୍ତି ନେଇ ରୋହିତଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ କରିଥିଲା। କିନ୍ତୁ ହାର୍ଦ୍ଦିକଙ୍କ ନେତୃତ୍ୱରେ ଦଳ ଆଶାନୁରୂପ ସଫଳତା ହାସଲ କରିପାରିନଥିବା ଚର୍ଚ୍ଚା ହେଉଛି। ୨୦୨୬ ସିଜିନ୍ରେ ମୁମ୍ବାଇ ୧୪ଟି ମ୍ୟାଚ୍ରୁ ୧୦ଟିରେ ପରାଜିତ ହୋଇ ପଏଣ୍ଟ ଟେବୁଲ୍ର ନବମ ସ୍ଥାନରେ ରହିଥିବା ରିପୋର୍ଟରେ କୁହାଯାଇଛି। ଏହା ପରେ ଦଳର ନେତୃତ୍ୱକୁ ନେଇ ପୁଣି ଥରେ ଚର୍ଚ୍ଚା ଜୋର୍ ଧରିଛି।
କୋଚିଂ ଷ୍ଟାଫ୍ରେ ବଡ଼ ପରିବର୍ତ୍ତନ
ଆଇପିଏଲ୍ ୨୦୨୭ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ନିଜର କୋଚିଂ ଟିମ୍ରେ ମଧ୍ୟ ବଡ଼ ପରିବର୍ତ୍ତନ କରିଛି। କିରନ୍ ପୋଲାର୍ଡଙ୍କୁ ନୂଆ ମୁଖ୍ୟ କୋଚ୍ ଦାୟିତ୍ୱ ଦିଆଯାଇଛି। ଏହା ସହ ରବିନ୍ ଉଥାପ୍ପାଙ୍କୁ ବ୍ୟାଟିଂ କୋଚ୍, ମିଚେଲ୍ ମ୍ୟାକ୍କ୍ଲେନାଘନ୍ଙ୍କୁ ବୋଲିଂ କୋଚ୍ ଏବଂ ଟି. ଦିଲୀପଙ୍କୁ ଫିଲ୍ଡିଂ କୋଚ୍ ଦାୟିତ୍ୱ ଦିଆଯାଇଛି। ଧୱଲ କୁଲକର୍ଣ୍ଣିଙ୍କୁ ଡେଭଲପମେଣ୍ଟ ବୋଲିଂ କୋଚ୍ ଭାବେ ନିଯୁକ୍ତ କରାଯାଇଛି।
ରୋହିତଙ୍କୁ ଅଧିନାୟକ କରିବାକୁ ମ୍ୟାନେଜମେଣ୍ଟର ଅନୁରୋଧ!
ଇଣ୍ଡିଆନ୍ ଏକ୍ସପ୍ରେସ୍ର ରିପୋର୍ଟ ଅନୁଯାୟୀ, ରୋହିତ ଶର୍ମା ପ୍ରଥମେ ତିଳକ ବର୍ମାଙ୍କ ନାମ ଅଧିନାୟକ ପଦ ପାଇଁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ଟିମ୍ ମ୍ୟାନେଜମେଣ୍ଟ ରୋହିତଙ୍କୁ ନିଜେ ଦଳର ନେତୃତ୍ୱ ନେବାକୁ ଅନୁରୋଧ କରିଥିବା ଏବଂ ସେ ଏଥିରେ ରାଜି ହୋଇଥିବା ଖବର ପ୍ରକାଶ ପାଇଛି। ଏହା ସତ ହେଲେ ଆଗାମୀ ସିଜିନ୍ରେ ମୁମ୍ବାଇର ନେତୃତ୍ୱରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିପାରେ।
ହାର୍ଦ୍ଦିକଙ୍କ ଭବିଷ୍ୟତ କ’ଣ ହେବ?
ରୋହିତ ପୁଣି ଅଧିନାୟକ ହେବା ନେଇ ଚର୍ଚ୍ଚା ମଧ୍ୟରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭବିଷ୍ୟତକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ସେ ମୁମ୍ବାଇ ଦଳରେ ରହିବେ ନା ଅନ୍ୟ କୌଣସି ଫ୍ରାଞ୍ଚାଇଜିକୁ ଯିବେ, ତାହା ଏବେ ଚର୍ଚ୍ଚାର ବିଷୟ। ରିପୋର୍ଟ ଅନୁସାରେ, ହାର୍ଦ୍ଦିକଙ୍କୁ ଅନ୍ୟ ଦଳକୁ ଟ୍ରେଡ୍ କରିବା ନେଇ ମଧ୍ୟ ଆଲୋଚନା ଚାଲିଛି। ଯଦି ଏହି ଟ୍ରେଡ୍ ହୋଇନପାରେ, ତେବେ ସେ ରୋହିତଙ୍କ ନେତୃତ୍ୱରେ ଖେଳିବାକୁ ରାଜି ଥିବା ମଧ୍ୟ ରିପୋର୍ଟରେ ଦାବି କରାଯାଇଛି।
ତେବେ ଏଠାରେ ମନେ ରଖିବା ଜରୁରୀ ଯେ, ରୋହିତ ଶର୍ମାଙ୍କ ଅଧିନାୟକତ୍ୱକୁ ଫେରିବା ନେଇ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଏନେଇ ଆନୁଷ୍ଠାନିକ ଘୋଷଣା ହୋଇନାହିଁ। ତେଣୁ IPL ୨୦୨୭ରେ ମୁମ୍ବାଇର କମାଣ୍ଡ କିଏ ଧରିବେ, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ।

