17 Oct 2026, Sat

ଆଇସିସି ମହିଳା ଦିନିକିଆ ବିଶ୍ବକପରେ ଇତିହାସ ରଚିଲା ଭାରତ । ଦ୍ବିତୀୟ ସେମିଫାଇନାଲ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ୫ ୱିକେଟରେ ହରାଇ ଫାଇନାଲରେ ନିଜ ସ୍ଥାନ ପକ୍କା କରିଛି ଭାରତ । ନଭେମ୍ବର ୨ ତାରିଖରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଫାଇନାଲ ମ୍ୟାଚ୍‌ ଖେଳିବ ଭାରତ । ଏହା ପୂର୍ବରୁ ଭାରତ ଦୁଇ ଥର ଫାଇନାଲକୁ ଯାଇଥିବା ବେଳେ ବିଶ୍ବକପ୍‌ ଟାଇଟଲ ଜିତିପାରିନାହିଁ । ତେବେ ଚଳିତ ବିଶ୍ବକପ୍‌ରେ ଟାଇଟଲ ଜିତି ଇତିହାସ ରଚିବ ଲକ୍ଷ୍ୟରେ ନଭେମ୍ବର ୨ରେ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ ।

ସୂଚନା ଅନୁସାରେ, ଆଜି ଦ୍ବିତୀୟ ସେମିଫାଇନାଲରେ ମୁହାଁମୁହିଁ ହୋଇଥିଲେ ଭାରତ-ଅଷ୍ଟ୍ରେଲିଆ । ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଅଷ୍ଟ୍ରେଲିଆ । ପ୍ରଥମ ବ୍ୟାଟିଂ କରି ଅଷ୍ଟ୍ରେଲିଆ ଭାରତ ସାମ୍ନାରେ ୩୩୮ ରନ୍‌ର ବଡ଼ ଟାର୍ଗେଟ ରଖିଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ଓପନର ଲିଚଫିଲ୍ଡ ସର୍ବାଧିକ ୧୧୯ ରନ୍‌ କରିଥିବା ବେଳେ ପେରି ୭୭ ଓ ଗାର୍ଡନର ୬୧ ରନ୍‌ କରିଥିଲେ । ଭାରତ ପକ୍ଷରୁ ଶ୍ରୀ ଚରଣୀ ଓ ଦିପ୍ତି ଶର୍ମା ଦୁଇଟି ଲେଖାଏଁ ଓ୍ବିକେଟ୍‌ ଅକ୍ତିଆର କରିଥିଲେ ।

୩୩୯ ରନ୍‌ର ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଭାରତ ଭଲ ଆରମ୍ଭ କରିପାରିନଥିଲା । ଆରମ୍ଭରୁ ଦୁଇ ଓପନରଙ୍କୁ ଶୀଘ୍ର ହରାଇଥିଲା ଭାରତ । କିନ୍ତୁ ଏହା ପରେ ଜେମିମା ରୋଡିଗ୍ରସ ଓ ଅଧିନାୟକ ହରମନପ୍ରୀତ କୌର ଦମଦାର ପାର୍ଟନରସିପ୍‌ କରିଥିଲେ । ଉଭୟ ତୃତୀୟ ଓ୍ବିକେଟ ପାଇଁ ଶତକୀୟ ପାର୍ଟନରସିପ୍‌ କରିଥିଲେ । ହରମନପ୍ରୀତ ୮୯ ରନ୍‌ କରି ଆଉଟ୍‌ ହେବା ପରେ ପାଳି ସମ୍ଭାଳିଥିଲେ ଦିପ୍ତି ଶର୍ମା ।

ତେବେ ଦିପ୍ତି ଶର୍ମା ୨୪ ରନ୍ କରି ଆଉଟ ହେବା ପରେ ରିଚା ଘୋଷ ବ୍ୟାଟିଂ କରିବାକୁ ଆସିଥିଲେ । ରିଚା ଧୁଆଁଧାର ୨୬ ରନ୍‌ କରି ଭାରତକୁ ବିଜୟର ନିକଟତର କରିଥିଲେ । ଆଉ ଶେଷରେ ଅମନଜୋତ କରଙ୍କ ଦମଦାର ୧୫ ରନ୍‌ ଫଳରେ ଭାରତ ୫ ଓ୍ବିକେଟରେ ଏହି ମ୍ୟାଚ୍‌ରେ ବିଜୟ ଲାଭ କରିଛି । ଭାରତ ପକ୍ଷରୁ ଜେମିମା ରୋଡିଗ୍ରସ୍‌ ସର୍ବାଧିକ ଅପରାଜିତ ୧୨୭ ରନ୍‌ କରିଥିଲେ ।

ଏହି ବିଜୟ ସହ ଭାରତ ଦ୍ବିତୀୟ ଦଳ ଭାବେ ଫାଇନାଲରେ ନିଜ ସ୍ଥାନ ପକ୍କା କରିଛି । ନଭେମ୍ବର ୨ରେ ଫାଇନାଲ ମ୍ୟାଚ୍‌ ଖେଳାଯିବ । ଏହି ମ୍ୟାଚ୍‌ରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ।

Leave a Reply

Your email address will not be published. Required fields are marked *