ଶୀତ କାକରକୁ ହରାଇଲା କ୍ରିକେଟ ନିଶା। ବାରବାଟୀ ଷ୍ଟାଡିୟମ ବାହାରେ ଅସମ୍ଭାଳ ସ୍ଥିତି। ଆସନ୍ତା 9 ତାରିଖ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍ ଟିକେଟ ପାଇଁ ଗତକାଲି ସଂଧ୍ୟାରୁ ଭିଡ଼ ଲଗାଇଛନ୍ତି ହଜାର ହଜାର ଲୋକ। ଟିକେଟ ପାଇଁ ଲାଇନରେ ଠିଆ ହେବାକୁ ଠେଲାପେଲା, ଧସ୍ତାଧସ୍ତି ସ୍ଥିତି। ସାରା ରାତି ଭିଡ଼ ନିୟନ୍ତ୍ରଣ କରିବାକୁ ନାକେଦମ୍ ହୋଇଛି ପୋଲିସ। ଆଜି ସକାଳ 9ଟାରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ହେବ ଟିକେଟ୍ ବିକ୍ରି। ସାଧାରଣ ଦର୍ଶକଙ୍କ ପାଇଁ ଟିକେଟ କାଉଣ୍ଟରରେ ଟିକେଟ ବିକ୍ରି କରାଯିବ। ସାଧାରଣ ଦର୍ଶକ ପାଇଁ ପ୍ରାୟ 10 ହଜାର ଟିକେଟ ବିକ୍ରି କରାଯିବ। ଟିକେଟ ବିକ୍ରି କରିବାକୁ SBIକୁ ଦିଆଯାଇଛି ଦାୟିତ୍ବ।
କାଉଣ୍ଟର ପାଖରୁ 800 ମିଟର ପର୍ଯ୍ୟନ୍ତ ଷ୍ଟିଲ ବ୍ୟାରିକେଡର ବ୍ୟବସ୍ଥା ହୋଇଛି। କାଉଣ୍ଟରରେ ଅଫଲାଇନ୍ ଟିକେଟ୍ ୧୦ ହଜାର ବିକ୍ରି ହେବ। ଏହା ପୂର୍ବରୁ ଅଫଲାଇନରେ ଉପଲବ୍ଧ ୨ ହଜାର ଟିକେଟ୍ ୩୫ ମିନିଟ୍ ମଧ୍ୟରେ ଶେଷ ହୋଇଥିଲା। ଏବେ ଅଫଲାଇନ୍ ଟିକେଟ୍ ହିଁ କ୍ରିକେଟ୍ ପ୍ରେମୀଙ୍କ ଭରସା। ପୂର୍ବର ମ୍ୟାଚରେ ୧୧,୫୦୦ ଟିକେଟ କାଉଣ୍ଟରରେ ବିକ୍ରି ହେଉଥିଲା। କିନ୍ତୁ ଏଥର ସିଟ୍ ଚଉଡା କରାଯିବାରୁ ପାଖାପାଖି ୩ ହଜାର ସିଟ୍ ହ୍ରାସ ପାଇଛି। ବାରବାଟୀର ଦର୍ଶକ ଧାରଣ କ୍ଷମତା ପାଖାପାକି ୪୫ ହଜାରରୁ ଅଧିକ ଥିବା ବେଳେ ଏହା ୪୨ ହଜାରକୁ ହ୍ରାସ ପାଇଛି। ବାରବାଟୀ ଷ୍ଟାଡିୟମର ସୁରକ୍ଷା ବ୍ୟବସ୍ଥାରେ ୯ ଜଣ ଅତିରିକ୍ତ ଏସପି, ୪୦ ଡିଏସପି, ୬୫ ଇନ୍ସପେକ୍ଟର, ୩୨୫ ଏସଆଇ, ୩୮ ହାବିଲଦାର/କନଷ୍ଟେବଳ, ୨୦୮ ଏପିଆର କନଷ୍ଟେବଳ, ୭୩ ମହିଳା କନଷ୍ଟେବଳ, ୧ ୟୁନିଟ ଓଡ୍ରାଫ, ୨ ୟୁନିଟ ଏସଟିୟୁ ଏବଂ ୭୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ । ବାରବାଟୀ ଷ୍ଟାଡିୟମ ଓ ଟ୍ରାଫିକ ବ୍ୟବସ୍ଥାର ସୁପରିଚାଳନାରେ ଏହି ସୁରକ୍ଷାକର୍ମୀ ମୁତୟନ ହେବେ ।
ଆସନ୍ତା ୭ ତାରିଖ ଦିନ ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମ୍ ଭୁବନେଶ୍ଵରରେ ପହଞ୍ଚିବେ । ୮ ତାରିଖରେ କଟକ ବାରବାଟୀ ଷ୍ଟାଡିୟମଠାରେ ଉଭୟ ଟିମ୍ ଅଭ୍ୟାସ କରିବେ ଏବଂ ୯ ତାରିଖରେ ମ୍ୟାଚ୍ ଅନୁଷ୍ଠିତ ହେବ । ବିମାନବନ୍ଦର, ମ୍ୟାଚ ପାଇଁ ହୋଟେଲଠାରୁ ଆରମ୍ଭ କରି ବାରବାଟୀ ଷ୍ଟାଡିୟମ ଏବଂ ଖେଳାଳିଙ୍କ ଯାତାୟାତ ରାସ୍ତାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଷ୍ଟାଡିୟମ୍ ଭିତରେ, ବାହାରେ ଶୃଙ୍ଖଳିତ ଆୟୋଜନ ଓ ଭୁବନେଶ୍ଵରରୁ କଟକ ପର୍ଯ୍ୟନ୍ତ ଖେଳାଳିଙ୍କୁ ନେବା ଆଣିବା ପାଇଁ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଖେଳାଳିଙ୍କ ସୁରକ୍ଷା ବ୍ୟବସ୍ଥାରେ ଯେପରି କୌଣସି ତ୍ରୁଟି ବିଚ୍ୟୁତି ନ ହେବ ସେଥିପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ପୋଲିସ୍ ଡିଜି ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନା ଅନୁସାରେ, ଆସନ୍ତା ୫ ତାରିଖ ଦିନ ୧୦ଟାରୁ ଟିକେଟ ବିକ୍ରି ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ଭାରତୀୟ ଖେଳାଳିଙ୍କୁ ନିକଟରୁ ଦେଖିବା ନିମନ୍ତେ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଥିବାରୁ ଟିକେଟ ବିକ୍ରୟ କେନ୍ଦ୍ର ନିକଟରେ ଅସମ୍ଭବ ଭିଡ ପରିଲକ୍ଷିତ ହେବାର ସମ୍ଭାବନା ରହିଛି । ଏହି ସ୍ଥାନରେ ଭିଡ଼ ନିୟନ୍ତ୍ରଣ ତଥା ସଠିକ ଓ ଶୃଙ୍ଖଳିତ ଭାବେ ଟିକେଟ ବିକ୍ରୟର ସୁପରିଚାଳନା ନିମନ୍ତେ ବ୍ୟାପକ ପୋଲିସ ମୁତୟନ କରାଯିବାର ବ୍ୟବସ୍ଥା କରାଯାଇଛି । ଏହି ପରିପ୍ରେକ୍ଷୀରେ ଆଜି ବାରବାଟୀ ଷ୍ଟାଡିୟମ ପରିସରରେ କଟକ ଡିସିପିଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କ୍ରିକେଟ ମ୍ୟାଚକୁ ଶୃଙ୍ଖଳିତ ଭାବେ ଆୟୋଜନ କରିବା ନିମନ୍ତେ ସମସ୍ତ ପୋଲିସ ଅଧିକାରୀଙ୍କୁ ଡିସିପି ନିର୍ଦ୍ଦେଶ ଦେଇଥିଲେ । ପୋଲିସକୁ ସବୁ କ୍ଷେତ୍ରରେ ସହଯୋଗ କରିବା ସହ ଷ୍ଟାଡିୟମ ପରିସରରେ ଶୃଙ୍ଖଳିତ ହୋଇ କ୍ରିକେଟ ମ୍ୟାଚ୍ ଉପଭୋଗ କରିବାକୁ ଓଡ଼ିଶା ପୋଲିସ ପକ୍ଷରୁ ନିବେଦନ କରାଯାଇଛି । ହଜାର ହଜାର କ୍ରୀଡା ପ୍ରେମୀ ଏକାଠି ହେବାକୁ ଥିବା ବେଳେ କୌଣସି ପ୍ରକାର ଅଘଟଣ ଏଡାଇବାକୁ ପୋଲିସ ସଜାଗ ରହିଛି ।

