17 Oct 2026, Sat

ମହାନଦୀ ବିବାଦକୁ ଦେଇ ରାଜଧାନୀ ଦିଲ୍ଲୀରେ ୧୧ ଦିନିଆ ମାନସମନ୍ଥନ ହେବାକୁ ଯାଉଛି । ଆମ୍ନାସାମ୍ନୀ ବସି ମହାନଦୀ ବିବାଦର ସମାଧାନ ବାହାର କରିବେ ଛତିଶଗଡ ଏବଂ ଓଡିଶା ସରକାର । ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ଆନ୍ତଃରାଜ୍ୟ ମହାନଦୀ ଜଳ ବିବାଦ ଉପରେ କେନ୍ଦ୍ରିତ ଏକ ୧୧ ଦିନିଆ “ମାନସ ମନ୍ଥନ” ଆଲୋଚନା ୧୬ ଜୁନ୍ ରୁ ୨୬ ଜୁନ୍ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଛି। ଉଭୟ ରାଜ୍ୟ ସରକାରଙ୍କ ଦଳ ଟ୍ରିବ୍ୟୁନାଲ୍ ପୂର୍ବରୁ ସେମାନଙ୍କର ଜଳ ଆବଣ୍ଟନ ପାରାମିଟର ଉପରେ ଆଲୋଚନା କରିବେ। ଏହି ଆଲୋଚନାର ପ୍ରାଥମିକ ଲକ୍ଷ୍ୟଗୁଡ଼ିକ ମଧ୍ୟରେ ଉପର ଏବଂ ତଳ ନଦୀକୂଳିଆ ରାଜ୍ୟ ପାଇଁ ଜଳ ବଣ୍ଟନ ଦାବି ଏବଂ ଉପଲବ୍ଧତା ମୂଲ୍ୟାଙ୍କନ ରହିଛି । ଏନେଇ ସୂଚନା ଦେଇଛନ୍ତି, ଆଡଭୋକେଟ୍ ପିତାମ୍ବର ଆଚାର୍ଯ୍ୟ ।

ସେ କହିଛନ୍ତି ଯେ, ଶନିବାର ମହାନଦୀ ଟ୍ରିବ୍ୟୁନାଲଙ୍କ ଶୁଣାଣି ସମୟରେ ଛତିଶଗଡ଼ ଏବଂ ଓଡ଼ିଶା ପକ୍ଷରୁ ଦୁଇ ରାଜ୍ୟ ଭିତରେ ଓ୍ବାଟର ସେୟାରିଂ ବା ଜଳ ବଣ୍ଟନ ନେଇ ବିସ୍ତୃ୍ତ ଆଲୋଚନା ପାଇଁ ଅପିଲ କରିଥିଲୁ। ଟ୍ରିବ୍ୟୁନାଲଙ୍କ ଅନୁମତି କ୍ରମେ ଆସନ୍ତା ଜୁନ୍ ୧୬ରୁ ୨୬ ତାରିଖ ଅର୍ଥାତ ୧୧ ଦିନ ଧରି ଦିଲ୍ଲୀରେ ଉଭୟ ରାଜ୍ୟର ଟେକ୍ନିକାଲ ଟିମ୍ ଏବଂ ଲିଗାଲ ଟିମ୍ ମୂଳ ବିଷୟକୁ ନେଇ ବିଶଦ ଭାବେ ଆଲୋଚନା କରିବେ। ଦରକାର ପଡ଼ିଲେ ସେଥିରେ CWCର ସହାୟତା ନିଆଯିବ। ଦୁଇ ରାଜ୍ୟର ଓ୍ବାଟର ଏକ୍ସପର୍ଟମାନେ ଏନେଇ ଆଲୋଚନା କରିବେ ।

ଆଡଭୋକେଟ୍ ପିତାମ୍ବର ଆଚାର୍ଯ୍ୟ କହିଛନ୍ତି ଯେ, ମହାନଦୀ ଜଳ ଉପରେ ଓଡ଼ିଶାର ପ୍ରାପ୍ୟ କେତେ, ଛତିଶଗଡ଼ର ପ୍ରାପ୍ୟ କେତେ, ସେହି ମୂଳ ବିଷୟବସ୍ତୁ ଉପରେ ବର୍ତ୍ତମାନ ସିଧାସଳଖ ଦୁଇ ରାଜ୍ୟର ବୈଷୟିକ କମିଟି ଆଲୋଚନା କରିବେ। ତେଣୁ ଏହି ଆଲୋଚନାର ଫଳାଫଳକୁ ଟ୍ରିବ୍ୟୁନାଲ ପାଖରେ ଆମେ ଦାଖଲ କରିବୁ। ଜାନୁଆରୀ ୨୦୨୭ ପର୍ଯ୍ୟନ୍ତ ବଢ଼ାଯାଇଥିବା ଟ୍ରିବ୍ୟୁନାଲ୍ ଏହି ଆଲୋଚନାର ଫଳାଫଳକୁ ବିବାଦୀୟ ପ୍ରସଙ୍ଗରେ ଏହାର ବିଚାରକୁ ସହାୟତା କରିବା ପାଇଁ ବ୍ୟବହାର କରିବ। ଦୁଇ ରାଜ୍ୟର ସରକାରଙ୍କ ଶୀର୍ଷ ସ୍ତରରେ ମଧ୍ୟ ଆଲୋଚନା କରାଯିବ। ଏହାପରେ ମହାନଦୀ ଟ୍ରିବ୍ୟୁନାଲ ପରବର୍ତ୍ତୀ ଶୁଣାଣି ଜୁନ୍ ୨୭ରେ କରିବେ। ମହାନଦୀ ଟ୍ରିବ୍ୟୁନାଲର ଅଧ୍ୟକ୍ଷା ଜଷ୍ଟିସ ଏମ୍ ବେଲା ତ୍ରିବେଦୀଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରୁଛନ୍ତି।

Leave a Reply

Your email address will not be published. Required fields are marked *