• Want to Promote Your Business? Advertise With Us Today! 📞 Call Now: +91-9337223204
  • kjnbfnbwejfbcojhbwvf
  • Want to Promote Your Business? Advertise With Us Today! 📞 Call Now: +91-9337223204
  • Want to Promote Your Business? Advertise With Us Today! 📞 Call Now: +91-9337223204
  • Want to Promote Your Business? Advertise With Us Today! 📞 Call Now: +91-9337223204
4 Nov 2026, Wed

ଆମେରିକା-ଇରାନ ଯୁଦ୍ଧରେ ଲାଗିପାରେ ବିରାମ! ହର୍ମୁଜ୍ ପ୍ରଣାଳୀ ଖୋଲିବାକୁ ୭ ଦିନର ଡେଡ୍‌ଲାଇନ୍, ଚୁକ୍ତିରେ ଚୀନ୍‌ର ବଡ଼ ଭୂମିକା!

ଆମେରିକା ଓ ଇରାନ ମଧ୍ୟରେ ଦୀର୍ଘଦିନ ଧରି ଜାରି ରହିଥିବା ଯୁଦ୍ଧ ଓ ଉତ୍ତେଜନା ମଧ୍ୟରେ ଆସିଛି ଏକ ବଡ଼ କୂଟନୈତିକ ଖବର। ଦୁଇ ଦେଶ ମଧ୍ୟରେ ଆଲୋଚନା ପାଇଁ ଏକ ପ୍ରାରମ୍ଭିକ ଡ୍ରାଫ୍ଟ ପ୍ରସ୍ତୁତ ହୋଇଥିବା ରିପୋର୍ଟ ମିଳିଛି। ଏହି ପ୍ରସ୍ତାବରେ ଇରାନର ପରମାଣୁ କାର୍ଯ୍ୟକ୍ରମ, ହର୍ମୁଜ୍ ପ୍ରଣାଳୀରେ ସାମୁଦ୍ରିକ ଯାତାୟାତ ଏବଂ ଆମେରିକାର ଆର୍ଥିକ କଟକଣାକୁ ନେଇ ଗୁରୁତ୍ୱପୂର୍ଣ୍ଣ ସର୍ତ୍ତ ରହିଛି। ଯଦି ଏହି ପ୍ରସ୍ତାବ ଉପରେ ସହମତି ହୁଏ, ତେବେ ଦୁଇ ଦେଶ ମଧ୍ୟରେ ଶାନ୍ତି ପ୍ରକ୍ରିୟାକୁ ନୂଆ ଦିଗ ମିଳିପାରେ।

ଅଲ୍ ଆରବିଆ ଇଂରାଜୀର ରିପୋର୍ଟ ଅନୁଯାୟୀ, ଡ୍ରାଫ୍ଟରେ ଇରାନର ଅତ୍ୟଧିକ ସମୃଦ୍ଧ ୟୁରାନିୟମ ଭଣ୍ଡାରକୁ ଏକ ସହମତ ତୃତୀୟ ଦେଶକୁ ସ୍ଥାନାନ୍ତର କରିବା କିମ୍ବା ଏହାର ସମୃଦ୍ଧି ସ୍ତର ହ୍ରାସ କରିବାର ପ୍ରସ୍ତାବ ରହିଛି। ଏହା ସହ ପ୍ରାରମ୍ଭିକ ଚୁକ୍ତି ହେବାର ସାତ ଦିନ ମଧ୍ୟରେ ହର୍ମୁଜ୍ ପ୍ରଣାଳୀକୁ ଅନ୍ତର୍ଜାତୀୟ ସାମୁଦ୍ରିକ ଯାତାୟାତ ପାଇଁ ପୁନଃ ଖୋଲିବାକୁ ମଧ୍ୟ ପ୍ରସ୍ତାବ ଦିଆଯାଇଛି। ଏହି ଚୁକ୍ତିର କାର୍ଯ୍ୟାନ୍ୱୟନ ଓ ସ୍ଥାୟୀତ୍ୱ ସୁନିଶ୍ଚିତ କରିବାରେ ଚୀନ୍ ଗ୍ୟାରେଣ୍ଟର ଭାବେ କାର୍ଯ୍ୟ କରିପାରେ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି।

ଏହି ଆଲୋଚନା ପାଇଁ ତୁର୍କୀର ଇସ୍ତାନବୁଲ ବଦଳରେ କତାରର ଦୋହାକୁ ସ୍ଥାନ ଭାବେ ବାଛିବାର ପ୍ରସ୍ତାବ ମଧ୍ୟ ରହିଛି। ଏଠାରେ ଆମେରିକା ଓ ଇରାନ ମଧ୍ୟରେ ସିଧାସଳଖ ଆଲୋଚନା ହୋଇପାରେ। ଅନ୍ୟପଟେ, ଇରାନର ପରମାଣୁ କାର୍ଯ୍ୟକ୍ରମ ଏବଂ ସାମୁଦ୍ରିକ ସୁରକ୍ଷାକୁ ନେଇ ଲାଗୁ ହୋଇଥିବା କଟକଣା, ଅବରୋଧ ଓ ଆର୍ଥିକ ପ୍ରତିବନ୍ଧକକୁ କୋହଳ କରିବା ପାଇଁ ଆମେରିକା ପଦକ୍ଷେପ ନେବାର ପ୍ରସ୍ତାବ ରହିଛି।

କେବଳ ଚୁକ୍ତି କରିଦେଲେ ହେବ ନାହିଁ, ଏହାର ପ୍ରତ୍ୟେକ ପର୍ଯ୍ୟାୟ ଠିକ୍ ଭାବେ ପାଳନ ହେଉଛି କି ନାହିଁ, ତାହା ମଧ୍ୟ ଯାଞ୍ଚ କରାଯିବ। ଏଥିପାଇଁ ଏକ ସ୍ୱାଧୀନ ଯାଞ୍ଚ ବ୍ୟବସ୍ଥା ପ୍ରସ୍ତାବିତ ହୋଇଛି। ଏହା ସହ ଚୁକ୍ତି କାର୍ଯ୍ୟକାରୀ କରିବାରେ ବିଳମ୍ବ କିମ୍ବା ଉଲ୍ଲଂଘନ ହେଲେ ତାହାର ସମାଧାନ ପାଇଁ ମଧ୍ୟସ୍ଥି ଓ ଗ୍ୟାରେଣ୍ଟର ଦେଶଗୁଡ଼ିକୁ ନେଇ ଏକ ବିବାଦ-ସମାଧାନ ବ୍ୟବସ୍ଥା ଗଠନ କରିବାର ଯୋଜନା ରହିଛି।

ଏପଟେ ଇରାନ ଓ ଆମେରିକା ମଧ୍ୟରେ ଅସ୍ତ୍ରବିରତି ପୁନଃସ୍ଥାପନ ପାଇଁ କତାର ମଧ୍ୟସ୍ଥତା ଜାରି ରଖିଛି। ଇରାନର ସରକାରୀ ନ୍ୟୁଜ୍ ଏଜେନ୍ସି IRNA ଅନୁଯାୟୀ, କତାରର ଏକ ପ୍ରତିନିଧି ଦଳ ତେହେରାନରେ ପହଞ୍ଚିଛନ୍ତି। କତାର ପ୍ରଧାନମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀଙ୍କ ଜଣେ ବରିଷ୍ଠ ପରାମର୍ଶଦାତାଙ୍କ ନେତୃତ୍ୱରେ ଏହି ଦଳ ୱାଶିଂଟନ ସହ ସମନ୍ୱୟ ରଖି ଆଲୋଚନା ପାଇଁ ତେହେରାନ ଯାଇଛି।

ଏହା ସହ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ପକ୍ଷରୁ ଇରାନର ସୁରକ୍ଷା ଅଧିକାରୀ ମୋହସେନ ରେଜାଇଙ୍କୁ କତାର ରାଷ୍ଟ୍ରଦୂତଙ୍କ ମାଧ୍ୟମରେ ଏକ ଚିଠି ଦିଆଯାଇଥିବା ଖବର ମଧ୍ୟ ସାମ୍ନାକୁ ଆସିଛି। ଏଥିରେ ଆମେରିକାର ପରବର୍ତ୍ତୀ ସାମରିକ ଆକ୍ରମଣକୁ ରୋକିବା ଏବଂ ନୂଆ କୂଟନୈତିକ ପଥ ଖୋଲିବା ନେଇ ପ୍ରସ୍ତାବ ରହିଥିବା କୁହାଯାଉଛି।

ଅନ୍ୟପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ୱାଶିଂଟନ ଏବେ ଇରାନ ସହ ଯୁଦ୍ଧ ଶେଷ କରିବାକୁ ତରବର ନୁହେଁ। ତାଙ୍କ ଦାବି ଅନୁଯାୟୀ, ଇରାନ ଆମେରିକୀୟ ଅଧିକାରୀଙ୍କ ସହ ଆଲୋଚନା କରିବାକୁ ଆଗ୍ରହୀ, କିନ୍ତୁ ଦେଶ ଭିତରେ ଏଥିପାଇଁ ଅନେକ ପ୍ରତିବନ୍ଧକ ରହିଛି। ବିଶେଷକରି ସାମରିକ କର୍ମଚାରୀ ଓ ଆଇନ ପ୍ରବର୍ତ୍ତନ ଅଧିକାରୀଙ୍କୁ ଦରମା ଦେବାରେ ଇରାନ ସମସ୍ୟାର ସମ୍ମୁଖୀନ ହେଉଥିବା ସେ ଦାବି କରିଛନ୍ତି।

ଓଭାଲ ଅଫିସରେ ସାମ୍ବାଦିକଙ୍କୁ ଟ୍ରମ୍ପ କହିଛନ୍ତି ଯେ, ଇରାନ ସହ ଆଲୋଚନା ଜାରି ରହିଛି ଏବଂ ସେମାନେ କଥାବାର୍ତ୍ତା କରିବାକୁ ଚାହୁଁଛନ୍ତି। ତେବେ ମାସ ମାସ ଧରି ଚାଲିଥିବା ଯୁଦ୍ଧ ଓ ବାରମ୍ବାର କୂଟନୈତିକ ପ୍ରୟାସ ସତ୍ତ୍ୱେ ଏପର୍ଯ୍ୟନ୍ତ କୌଣସି ସ୍ଥାୟୀ ସମାଧାନ ବାହାରିପାରିନାହିଁ।

ଏବେ ସମସ୍ତଙ୍କ ନଜର ରହିଛି ଆମେରିକା ଓ ଇରାନ ମଧ୍ୟରେ ହେବାକୁ ଥିବା ପରବର୍ତ୍ତୀ ଆଲୋଚନା ଉପରେ। ପ୍ରସ୍ତାବିତ ଡ୍ରାଫ୍ଟକୁ ଉଭୟ ଦେଶ ଗ୍ରହଣ କରିବେ କି? ହର୍ମୁଜ୍ ପ୍ରଣାଳୀରେ ପୁଣି ସ୍ୱାଭାବିକ ହେବ କି ଅନ୍ତର୍ଜାତୀୟ ଜାହାଜ ଚଳାଚଳ? ଏବଂ ଏହି କୂଟନୈତିକ ପ୍ରୟାସ ଦୀର୍ଘଦିନର ଯୁଦ୍ଧରେ ପୂର୍ଣ୍ଣଚ୍ଛେଦ ପକାଇପାରିବ କି? ଏହାର ଉତ୍ତର ଆଗାମୀ ଦିନର ଆଲୋଚନାରୁ ସ୍ପଷ୍ଟ ହେବ।

Leave a Reply

Your email address will not be published. Required fields are marked *