କେନ୍ଦ୍ର ସଡ଼କ, ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ସାକ୍ଷାତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନୂତନ ଜାତୀୟ ରାଜପଥ ନିର୍ମାଣ କରିବା ପାଇଁ ଅନୁରୋଧ କଲେ ଧର୍ମେନ୍ଦ୍ର । ସମ୍ବଲପୁର ଠାରୁ ଝାରସୁଗୁଡ଼ା ପର୍ଯ୍ୟନ୍ତ ଜାତୀୟ ରାଜପଥ ନିର୍ମାଣ ପାଇଁ ସାକ୍ଷାତ କରି ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ସମ୍ବଲପୁର ଏବଂ ଝାରସୁଗୁଡ଼ା ଜିଲ୍ଲା ଓଡ଼ିଶାର ଅର୍ଥନୀତିର ପେଣ୍ଠସ୍ଥଳ ।
ତେଣୁ ଏହି ନୂତନ ଜାତୀୟ ରାଜପଥ ନିର୍ମାଣ ହେବା ଫଳରେ ଏହି ଅଞ୍ଚଳରେ ଶିଳ୍ପାୟନର ଗତି ତ୍ୱରାନ୍ୱିତ ହେବା ସହ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ସମ୍ବଲପୁର ଓ ଝାରସୁଗୁଡ଼ାକୁ ସଂଯୋଗ କରିବା ସହ ଓଡ଼ିଶାର ଶିଳ୍ପ ଓ ଆଞ୍ଚଳିକ ବିକାଶ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ହେବ । ଏହା କେବଳ ପରିବହନ ନୁହେଁ ବରଂ ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ରରେ ମଧ୍ୟ ବୈପ୍ଳବିକ ପରିବର୍ତ୍ତନ ଆଣିବ । ସୋସିଆଲ ମିଡିଆରେ ପୋଷ୍ଟ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ପୂର୍ବୋଦୟ’ ପରିକଳ୍ପନାରେ ଓଡ଼ିଶାର ଭିତ୍ତିଭୂମି ବିକାଶକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି । ଏହି ରାଜପଥ ନିର୍ମାଣ ହେଲେ ଏହା ଜନସାଧାରଣଙ୍କ ସାମାଜିକ ଓ ଅର୍ଥନୈତିକ ଜୀବନଶୈଳୀରେ ବ୍ୟାପକ ସୁଧାର ଆଣିବ ।

