ଭୁବନେଶ୍ୱର, ଅକ୍ଟୋବର ୧୮: ପାର୍ବଣ ଋତୁରେ ବେଆଇନ ମଦ କାରବାର ଉପରେ ଲାଗିବ ଅଙ୍କୁଶ। ଦୁର୍ଗାପୂଜା ଓ ଦଶହରାକୁ ଦୃଷ୍ଟିରେ ରଖି ଆକ୍ସନ୍ ମୋଡ୍କୁ ଆସିଛି ଓଡ଼ିଶା ଅବକାରୀ ବିଭାଗ। ରାଜ୍ୟରେ ବେଆଇନ ମଦ ତିଆରି, ଯୋଗାଣ ଓ ବିକ୍ରି ରୋକିବା ସହ ମଦ ମାଫିଆଙ୍କ ନେଟୱାର୍କ ଭାଙ୍ଗିବାକୁ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଡ୍ରାଇଭ୍ ଆରମ୍ଭ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।
ମନ୍ତ୍ରୀଙ୍କ ସୂଚନା ଅନୁସାରେ, ଗତ ଅକ୍ଟୋବର ୧୧ ତାରିଖରୁ ଦଶହରା ପାଇଁ ଏହି ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି। ଏହା ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଏଥିପାଇଁ ରାଜ୍ୟର ସମସ୍ତ ଜିଲ୍ଲା ଅବକାରୀ ଅଧିକାରୀଙ୍କୁ ନିର୍ଦ୍ଦିଷ୍ଟ ଟାର୍ଗେଟ୍ ଦିଆଯାଇଛି। ବେଆଇନ ମଦ ବିକ୍ରି ହେଉଥିବା ସ୍ଥାନଗୁଡ଼ିକୁ ଚିହ୍ନଟ କରି ଚଢ଼ାଉ କରିବା ସହ ଦୋଷୀଙ୍କ ବିରୋଧରେ ଦୃଢ଼ ଆଇନଗତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ରହିଛି।
ବିଶେଷକରି ଯେଉଁ ଅଞ୍ଚଳରେ ବେଆଇନ ମଦ କାରବାର ଯୋଗୁଁ ସାଧାରଣ ଜନଜୀବନ ପ୍ରଭାବିତ ହେଉଛି, ସେଠାରେ ତୁରନ୍ତ ଚଢ଼ାଉ କରାଯିବ। ଏହି ଅଭିଯାନରେ ବେଆଇନ ମଦ ଜବତ କରିବା ସହ ଏଥିରେ ସମ୍ପୃକ୍ତ ଥିବା ବ୍ୟବସାୟୀଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଓ ଗିରଫଦାରୀ ଉପରେ ଗୁରୁତ୍ୱ ଦିଆଯିବ।
କେବଳ ବେଆଇନ ମଦ ଜବତ କିମ୍ବା ଛୋଟ ବ୍ୟବସାୟୀଙ୍କ ବିରୋଧରେ ଚଢ଼ାଉରେ ଅଭିଯାନ ସୀମିତ ରହିବ ନାହିଁ। ମଦ ତିଆରିଠାରୁ ଆରମ୍ଭ କରି ଯୋଗାଣ ଓ ବିକ୍ରି ପର୍ଯ୍ୟନ୍ତ ଜଡ଼ିତ ନେଟୱାର୍କକୁ ଚିହ୍ନଟ କରି ଏହାର ଭିତ୍ତିଭୂମି ନଷ୍ଟ କରିବା ଉପରେ ମଧ୍ୟ ଅବକାରୀ ବିଭାଗ ଗୁରୁତ୍ୱ ଦେବ। ଏହାଦ୍ୱାରା ବେଆଇନ ମଦ କାରବାରର ମୂଳ ଉତ୍ସକୁ ରୋକିବା ଏବଂ ମଦ ମାଫିଆଙ୍କ କାର୍ଯ୍ୟକଳାପ ଉପରେ ନିୟନ୍ତ୍ରଣ ଆଣିବା ବିଭାଗର ଲକ୍ଷ୍ୟ।
ଅନ୍ୟପଟେ, ନବରଙ୍ଗପୁର ଜିଲ୍ଲାରେ ବେଆଇନ ମଦ କାରବାର ବିରୋଧରେ ସ୍ୱୟଂ ସହାୟକ ଗୋଷ୍ଠୀ (SHG)ର ମହିଳାମାନେ ଚଳାଇଥିବା ଅଭିଯାନକୁ ପ୍ରଶଂସା କରିଛନ୍ତି ଅବକାରୀ ମନ୍ତ୍ରୀ। ମଦ ବିରୋଧୀ ଏହି ପଦକ୍ଷେପକୁ ସାମାଜିକ ସୁଧାର ଦିଗରେ ଏକ ସ୍ୱାଗତଯୋଗ୍ୟ ପ୍ରୟାସ ବୋଲି ସେ କହିଛନ୍ତି।
ଗ୍ରାମାଞ୍ଚଳରେ ବେଆଇନ ମଦ କାରବାର ଯୋଗୁଁ ପରିବାର ଓ ସାମାଜିକ ଜୀବନ ଉପରେ ପଡ଼ୁଥିବା ପ୍ରଭାବକୁ ନେଇ ମହିଳାମାନେ ଅନେକ ସମୟରେ ଆଗକୁ ଆସୁଛନ୍ତି। ଏହି ଲଢ଼େଇକୁ ଜାରି ରଖିବା ପାଇଁ ମନ୍ତ୍ରୀ ମହିଳାମାନଙ୍କୁ ଆହ୍ୱାନ ଦେଇଛନ୍ତି। ଆବଶ୍ୟକ ସହଯୋଗ ଯୋଗାଇଦେବାକୁ ରାଜ୍ୟ ସରକାର ଓ ଅବକାରୀ ବିଭାଗ ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି।
ପାର୍ବଣ ସମୟରେ ଆଇନଶୃଙ୍ଖଳା ରକ୍ଷା, ସାଧାରଣ ଲୋକଙ୍କ ସୁରକ୍ଷା ଓ ବେଆଇନ ମଦ କାରବାର ନିୟନ୍ତ୍ରଣ ପାଇଁ ଅବକାରୀ ବିଭାଗର ଏହି ଅଭିଯାନକୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି। ଅକ୍ଟୋବର ୩୧ ଯାଏଁ ଚାଲିବାକୁ ଥିବା ଏହି ଅଭିଯାନରେ କେତେ ଚଢ଼ାଉ ହେଉଛି, କେତେ ପରିମାଣର ବେଆଇନ ମଦ ଜବତ ହେଉଛି ଏବଂ କେତେ ଜଣଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନିଆଯାଉଛି, ତାହା ଉପରେ ନଜର ରହିବ।
ବେଆଇନ ମଦ ବ୍ୟବସାୟ ବିରୋଧରେ ଅବକାରୀ ବିଭାଗର ଏହି କଡ଼ା ପଦକ୍ଷେପ ମଦ ମାଫିଆଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିବା ସହ ଲୋକଙ୍କ ମଧ୍ୟରେ ସଚେତନତା ବଢ଼ାଇବ ବୋଲି ଆଶା କରାଯାଉଛି।

