17 Oct 2026, Sat

ରାଜ୍ୟବାସୀଙ୍କୁ ଚିନ୍ତାରେ ପକାଇଛି ପାଣିପାଗର ମିଶ୍ରିତ ଗତିପଥ । ଓଡ଼ିଶାରେ ମୌସୁମୀ ଆସିବାରେ ବିଳମ୍ବ ହେବ । ଆସନ୍ତା ଜୁନ୍ ୧୦ ତାରିଖ ପରେ ରାଜ୍ୟକୁ ମୌସୁମୀ ଆସିପାରେ । ବର୍ତ୍ତମାନ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା କ୍ଷୀଣ ଥିବାରୁ, ଜୁନ୍ ୩ ତାରିଖ ପରେ ରାଜ୍ୟରେ ପୁଣି ଥରେ ପାରଦ ଉପରକୁ ଚଢ଼ିବ ଏବଂ ଖରା ବଢ଼ିବ ।

ବଙ୍ଗୋପସାଗରରେ ବର୍ତ୍ତମାନ ମୌସୁମୀ କରେଣ୍ଟ ସମ୍ପୂର୍ଣ୍ଣ ନିଷ୍କ୍ରିୟ ରହିଛି । ଦକ୍ଷିଣ ଗୋଲାର୍ଦ୍ଧରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଗକୁ ଆସୁଥିଲେ ମଧ୍ୟ ଏହା ଆଗକୁ ବଢ଼ି ପାରୁନାହିଁ । ମୌସୁମୀ ବାୟୁକୁ ସକ୍ରିୟ କରିବା ପାଇଁ ଆବଶ୍ୟକୀୟ କାରକ ନଥିବାରୁ ଏହା କେରଳ ଛୁଇଁବାରେ ମଧ୍ୟ ସକ୍ରିୟ ହୋଇପାରୁ ନାହିଁ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ ଶରତ ସାହୁ।

ରାଜ୍ୟରେ କାଳବୈଶାଖୀ ପ୍ରଭାବ ଯୋଗୁଁ ଗ୍ରୀଷ୍ମ ପ୍ରବାହର ଚେତାବନୀ ହଟିଥିଲେ ମଧ୍ୟ ପ୍ରବଳ ଖରା ଓ ଗୁଳୁଗୁଳି ଉପକୂଳ ଓଡ଼ିଶାକୁ କଲବଲ କରିବ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ସମେତ ପଶ୍ଚିମ ଓଡ଼ିଶାର ୨୧ଟି ଜିଲ୍ଲାକୁ ଉଷ୍ମ ଓ ଆଦ୍ର ସ୍ଥିତି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ଆସନ୍ତାକାଲି ଉପକୂଳର ୧୧ଟି ଜିଲ୍ଲାରେ ମଧ୍ୟ ସମାନ ସ୍ଥିତି ଲାଗି ରହିବ ।

ଆସନ୍ତା ୭ ଦିନ ଯାଏଁ କାଳବୈଶାଖୀ ସକ୍ରିୟ ରହିବାକୁ ଥିବା ବେଳେ ଆସନ୍ତା ୨୪ ଘଣ୍ଟାରେ ସାରା ଓଡ଼ିଶାରେ ବଜ୍ରପାତ ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି । କେନ୍ଦୁଝର, ମୟୁରଭଞ୍ଜ, ଅନୁଗୁଳ, ଦେଓଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବା ସହ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। ଅବଶିଷ୍ଟ ୨୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ବୋଲି କହିଛନ୍ତି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି।

Leave a Reply

Your email address will not be published. Required fields are marked *