ଆଗାମୀ ପଞ୍ଚାୟତ ନିର୍ବାଚନରେ OBC/SEBC ବର୍ଗଙ୍କୁ ୨୭% ସଂରକ୍ଷଣ ମିଳିବ କି ନାହିଁ, ଏନେଇ ଏବେ ବି ଅନିଶ୍ଚିତତା ରହିଛି। ବିଧାନସଭାରେ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରଶ୍ନର ଉତ୍ତର ରଖି ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ରବି ନାରାୟଣ ନାଏକ କହିଛନ୍ତି ଯେ, OBC/SEBC ସଂରକ୍ଷଣ ପ୍ରସଙ୍ଗ ବର୍ତ୍ତମାନ ସରକାରଙ୍କ ବିଚାରାଧୀନ ରହିଛି।
ସୁପ୍ରିମକୋର୍ଟଙ୍କ ‘ଟ୍ରିପଲ ଟେଷ୍ଟ’ ନିର୍ଦ୍ଦେଶକୁ ଆଧାର କରି ସଂରକ୍ଷଣ ପ୍ରସଙ୍ଗରେ ପରୀକ୍ଷା-ନିରୀକ୍ଷା ଚାଲିଥିବା ମନ୍ତ୍ରୀ କହିଛନ୍ତି। ‘କେ. କ୍ରିଷ୍ଣମୂର୍ତ୍ତି’ ମାମଲାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଏବଂ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ୨୦୨୧ରେ ସମ୍ପୃକ୍ତ ପଞ୍ଚାୟତ ଆଇନରେ ସଂଶୋଧନ କରାଯାଇଥିଲା।
ଏହି ସଂଶୋଧନ ଅନୁସାରେ SC, ST ଓ OBC ବର୍ଗଙ୍କ ମୋଟ ସଂରକ୍ଷଣ ୫୦% ମଧ୍ୟରେ ସୀମିତ ରଖାଯାଇଥିଲା। ଏହାର ପ୍ରଭାବରେ ପୂର୍ବରୁ OBC/SEBC ବର୍ଗଙ୍କ ପାଇଁ ଥିବା ୨୭% ସଂରକ୍ଷଣ ବ୍ୟବସ୍ଥା ପ୍ରଭାବିତ ହୋଇଥିଲା।
୨୦୨୨ ପଞ୍ଚାୟତ ନିର୍ବାଚନରେ OBC/SEBCଙ୍କୁ ୨୭% ସଂରକ୍ଷଣ ଦିଆଯାଇପାରିନଥିଲା। ‘ଟ୍ରିପଲ ଟେଷ୍ଟ’ ପୂରଣ ହୋଇନଥିବା ଦର୍ଶାଇ ଏହାକୁ ନେଇ ହାଇକୋର୍ଟରେ ମାମଲା ହୋଇଥିଲା। ପରେ ୨୭% ସଂରକ୍ଷଣ ବ୍ୟବସ୍ଥା ପ୍ରତ୍ୟାହାର କରିବାକୁ ପଡ଼ିଥିଲା ବୋଲି ମନ୍ତ୍ରୀ ଉତ୍ତରରେ କହିଛନ୍ତି।
ତେବେ ଆଗାମୀ ପଞ୍ଚାୟତ ନିର୍ବାଚନରେ OBC/SEBCଙ୍କୁ ୨୭% ସଂରକ୍ଷଣ ମିଳିବ କି ନାହିଁ, ତାହା ଏବେ ସ୍ପଷ୍ଟ ହୋଇନାହିଁ। ‘ଟ୍ରିପଲ ଟେଷ୍ଟ’ ନିର୍ଦ୍ଦେଶକୁ ବିଚାରକୁ ନେଇ ସରକାର ଏହି ପ୍ରସଙ୍ଗରେ ବିଚାର କରୁଥିବା ମନ୍ତ୍ରୀଙ୍କ ଉତ୍ତରରୁ ଜଣାପଡିଛି।

