ଭୁବନେଶ୍ୱର: ଇଣ୍ଡିଆ ବ୍ଲକ୍ ପକ୍ଷରୁ ଦିଆଯାଇଥିବା ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରାକୁ ସମର୍ଥନ ଜଣାଇଛି ବିଜୁ ଜନତା ଦଳ (ବିଜେଡି)। ଆସନ୍ତାକାଲି ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ରାଜ୍ୟବ୍ୟାପୀ ବନ୍ଦ ପାଳନ ପାଇଁ ଇଣ୍ଡିଆ ବ୍ଲକ୍ ପକ୍ଷରୁ ଆହ୍ୱାନ ଦିଆଯାଇଛି। ଭୁବନେଶ୍ୱରରେ ସାମ୍ବାଦିକ ସମ୍ମିଳନୀ କରି ବନ୍ଦ ଡାକରା ସମ୍ପର୍କରେ ଘୋଷଣା କରାଯାଇଥିବା ବେଳେ ବିଜେଡି ମଧ୍ୟ ଏହାକୁ ସମର୍ଥନ କରିଛି।
ବନ୍ଦ ସମୟରେ ରେଳ, ବସ୍ ଏବଂ ଅନ୍ୟ ସରକାରୀ ଓ ବେସରକାରୀ ଯାନବାହନ ଚଳାଚଳ ବନ୍ଦ ରଖିବାକୁ ଆହ୍ୱାନ ଦିଆଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ଦକୁ ସଫଳ କରିବା ପାଇଁ ଇଣ୍ଡିଆ ବ୍ଲକ୍ର ନେତା ଓ କର୍ମୀମାନେ ଲୋକଙ୍କୁ ସହଯୋଗ କରିବାକୁ ଆହ୍ୱାନ କରିଛନ୍ତି।
ତେବେ ହସ୍ପିଟାଲ, ଆମ୍ବୁଲାନ୍ସ, ମେଡିକାଲ ଷ୍ଟୋର ସମେତ ଜରୁରୀକାଳୀନ ସେବାକୁ ବନ୍ଦରୁ ବାଦ ଦିଆଯିବ। ଅଷ୍ଟମ ଓ ନବମ ଶ୍ରେଣୀର ପରୀକ୍ଷାର୍ଥୀଙ୍କ ଯାତାୟାତରେ ଯେପରି କୌଣସି ସମସ୍ୟା ନହୁଏ, ସେଥିପ୍ରତି ଧ୍ୟାନ ଦିଆଯିବ ବୋଲି କୁହାଯାଇଛି।
ଇଣ୍ଡିଆ ବ୍ଲକ୍ ପକ୍ଷରୁ ଏସ୍ଆଇଆର୍ ପ୍ରସଙ୍ଗରେ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ବହିଷ୍କାର ଦାବି କରାଯାଇଛି। ଏହାସହ ଏମ୍ଏମ୍ଡିଆର୍ ଆଇନର ସଂଶୋଧନ ପ୍ରତ୍ୟାହାର କରି ଓଡ଼ିଶାର ଖଣିଜ ସମ୍ପଦର ସୁରକ୍ଷା ଦାବି ରହିଛି।
ବନ୍ୟା ପ୍ରଭାବିତ ଲୋକଙ୍କୁ ପର୍ଯ୍ୟାପ୍ତ ସହାୟତା ଓ ପୁନର୍ବାସ ଯୋଗାଇବା ସହ ପ୍ରାଥମିକ ଶିକ୍ଷା ପାଠ୍ୟପୁସ୍ତକରେ ଅନିୟମିତତା ଏବଂ ଶିକ୍ଷା ବ୍ୟବସ୍ଥାରେ ଦୁର୍ନୀତି ପ୍ରସଙ୍ଗରେ ସମ୍ପୃକ୍ତ ମନ୍ତ୍ରୀଙ୍କ ଇସ୍ତଫା ମଧ୍ୟ ଦାବି କରାଯାଇଛି।
ଇଣ୍ଡିଆ ବ୍ଲକ୍ର ଏହି ବନ୍ଦ ଡାକରାକୁ ବିଜେଡି ସମର୍ଥନ ଜଣାଇବା ପରେ ଆସନ୍ତାକାଲିର ବନ୍ଦ ଅଧିକ ବ୍ୟାପକ ହେବାର ସମ୍ଭାବନା ରହିଛି। ତେବେ ବନ୍ଦ ସମୟରେ ଜରୁରୀକାଳୀନ ସେବା ଓ ପରୀକ୍ଷାର୍ଥୀଙ୍କ ଯାତାୟାତ ଯେପରି ପ୍ରଭାବିତ ନହୁଏ, ସେଥିପାଇଁ ଧ୍ୟାନ ଦିଆଯିବ ବୋଲି ଆହ୍ୱାନକାରୀଙ୍କ ପକ୍ଷରୁ କୁହାଯାଇଛି।

