ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି । ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀରେ ମଧ୍ୟ ଜଳସ୍ତର ବଢୁଛି । ଲଗାଣ ବର୍ଷା ଓ ବନ୍ୟା ସ୍ଥିତିକୁ ଦେଖି ସଜାଗ ରହିଛି । ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଜି ୪ ଜିଲ୍ଲାରେ ସ୍କୁଲ ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛନ୍ତି । ଗୁରୁବାର ଭଦ୍ରକ, କଳାହାଣ୍ଡି, ନବରଙ୍ଗପୁର, ଯାଜପୁର ଆଦି ୪ ଜିଲ୍ଲାରେ ବନ୍ଦ ରହିବ ଶିକ୍ଷାନୁଷ୍ଠାନ । ଏସବୁ ଜିଲ୍ଲାରେ ସମସ୍ତ ସରକାରୀ, ବେସରକାରୀ ବିଦ୍ୟାଳୟ ସହ ଅଙ୍ଗନୱାଡ଼ି କେନ୍ଦ୍ର ବନ୍ଦ ରହିବ । ଏନେଇ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।
ସେପଟେ ଆଜିଠୁ କମିବ ବର୍ଷାର ପରିମାଣ । ତଥାପି ରାଜ୍ୟର ଅନେକ ଜିଲ୍ଲାରେ ବିଜୁଳି ଘଡଘଡି ସହ ପବନ ବହିବାର ସମ୍ଭାବନା ରହିଛି । ସେଥିପାଇଁ ସତର୍କତା ଜାରି କରିଛି ପାଣିପାଗ ବିଭାଗ । ଏହି ସମୟ ମଧ୍ୟରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଂଜାମ, ଗଜପତି, ନୟାଗଡ଼, ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଏହି ୧୮ ଜିଲ୍ଲାରେ ବିଜୁଳି ଘଡଘଡି ବର୍ଷା ସହ ୩୦ ରୁ ୪୦ କିଲୋମିଟର ଝଟକା ପବନ ବହିବାର ସମ୍ଭାବନାକୁ ନେଇ ୟେଲୋ ଓ୍ବାଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

