15 Sep 2026, Tue

ବିଦାୟ ନେଇଛି ବର୍ଷ ୨୦୨୫, ଆସିଛି ବର୍ଷ ୨୦୨୬ । ସବୁଠି ଇଂରାଜୀ ନବବର୍ଷକୁ ସ୍ୱାଗତ କରାଯାଉଛି । ପଲ୍ଲୀରୁ ଦିଲ୍ଲୀ ଉତ୍ସବର ମାହୋଲ । ତେବେ ବର୍ଷର ପ୍ରଥମ ଦିନରେ ଜଗା ଦର୍ଶନ ଲାଗି ପୁରୀରେ ଲାଗିଛି ଭକ୍ତଙ୍କ ଗହଳି । ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନରୁ ନୂଆବର୍ଷର ପ୍ରଥମ ଦିନ ଆରମ୍ଭ କରିବାକୁ ଶ୍ରୀକ୍ଷେତ୍ରକୁ ଛୁଟି ଆସିଛନ୍ତି ହଜାର ହଜାର ଭକ୍ତ।

ନୂଆବର୍ଷ ନୀତିକାନ୍ତି ପାଇଁ ରାତି ୨ଟାରୁ ଶ୍ରୀମନ୍ଦିର ଦ୍ୱାର ଖୋଲିଛି । ନୀତିକାନ୍ତି ପରେ ଦର୍ଶନ ଚାଲିଛି । କେବଳ ଓଡ଼ିଶା ନୁହେଁ ରାଜ୍ୟ ବାହାରୁ ବି ଦର୍ଶକଙ୍କ ସମାଗମ ହୋଇଛି । ବିଶ୍ୱାସ ଅଛି ଜଗନ୍ନାଥଙ୍କ ଦର୍ଶନ କଲେ ପରିବାରର ମଙ୍ଗଳ କାମନା ହୁଏ । ନୂଆବର୍ଷ ସୁଖ ସମୃଦ୍ଧିରେ କଟିବାକୁ କାମନା କରୁଛନ୍ତି ଶ୍ରଦ୍ଧାଳୁ । ଶ୍ରୀଜିଉଙ୍କ ଆଶିଷ ମିଳିଲେ ହସଖୁସିରେ ବର୍ଷ କଟିଯିବ ବୋଲି ବିଶ୍ୱାସ ରହିଛି ।

ସେଇଥିପାଇଁ ଦୂରଦୂରାନ୍ତରୁ ଭକ୍ତ ଛୁଟି ଆସିଛନ୍ତି ବଡ଼ଦେଉଳକୁ । ଜଗାକୁ ଦେଖି, ମନ କଥା ଦୁଃଖ ଜଣାଇ ଆଶିଷ ନେଉଛନ୍ତି । ସେପଟେ ବେଳାଭୂମିରେ ବୁଲି ମଉଜରେ ନୂଆ ବର୍ଷ କାଟିବାକୁ ପୁରୀକୁ ଛୁଟି ଆସିଛନ୍ତି ଦେଶବିଦେଶର ପର୍ଯ୍ୟଟକ । ବେଳାଭୂମିରେ ବୁଲି ସମୁଦ୍ରରେ ସ୍ନାନ କରି ୨୦୨୬ର ପ୍ରଥମ ଦିନକୁ ନିଆରା ଢଙ୍ଗରେ କାଟିବାକୁ ଜମିଛି ପର୍ଯ୍ୟଟକଙ୍କ ଭିଡ଼।

ଭାରତ ତଥା ଓଡ଼ିଶାରେ ଅନେକ ଲୋକ ନୂଆବର୍ଷକୁ ଏକ ଆଧ୍ୟାତ୍ମିକ ଚିନ୍ତାଧାରା ସହିତ ଯୋଡ଼ିବାକୁ ଚାହିଁଥାନ୍ତି। ନିଜର ଆଗ୍ରହ ଅନୁସାରେ ଧର୍ମାନୁଷ୍ଠାନରେ ସମୟ ବିତାଇ ଜଣେ ଅନ୍ୟକୁ ନୂଆବର୍ଷର ଅଭିନନ୍ଦନ ଜଣାଇଥାନ୍ତି। ବର୍ଷ ଆରମ୍ଭରୁ ନିଶ୍ଚିତ ଭାବେ ଭଲ କାମ କରିବାକୁ ଅନେକ ଚାହିଁଥାନ୍ତି। ଆଜି ସେହି ସମୟ ଆସିଛି। ଶ୍ରଦ୍ଧାଳୁମାନେ ମହାପ୍ରଭୁ ଜଗନ୍ନାଥଙ୍କ ଶରଣ ନେଉଛନ୍ତି। ରାଜଧାନୀ ଭୁବନେଶ୍ବର, କଟକ, ପୁରୀ, ବ୍ରହ୍ମପୁର, ରାଉରକେଲା ଏବଂ ସମ୍ବଲପୁର ସହରରେ ବାଣ ଓ ଆତସବାଜି ପ୍ରଦର୍ଶନ ହୋଇଛି। ଶାନ୍ତି ଶୃଙ୍ଖଳା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

Leave a Reply

Your email address will not be published. Required fields are marked *