ବିଶ୍ୱରେ ପୁଣି ଥରେ କରୋନାକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। କୋଭିଡ୍-୧୯ର ନୂଆ ଭାରିଆଣ୍ଟ PJ.2.1 ଉତ୍ତର ଆମେରିକା, ୟୁରୋପ, ଅଷ୍ଟ୍ରେଲିଆ ଏବଂ ଏସିଆର କିଛି ଦେଶରେ ଚିହ୍ନଟ ହେବା ପରେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ନଜର ଏହା ଉପରେ ରହିଛି। ଗତ ମେ ମାସରେ କାନାଡାର ଓଣ୍ଟାରିଓରୁ ଏହି ଭାରିଆଣ୍ଟ ଚିହ୍ନଟ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ତେବେ ଏହା ପୂର୍ବ ଭାରିଆଣ୍ଟ ତୁଳନାରେ ଅଧିକ ମାରାତ୍ମକ କି ନୁହେଁ, ସେନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ପ୍ରମାଣ ମିଳିନାହିଁ।
‘ଜର୍ଣ୍ଣାଲ୍ ଅଫ୍ ଇନଫେକ୍ସନ୍’ରେ ପ୍ରକାଶିତ ରିପୋର୍ଟ ଅନୁସାରେ, PJ.2.1 ହେଉଛି ଜିନୋମିକ୍ ପରିବର୍ତ୍ତନ ଦେଇ ଗତି କରିଥିବା କରୋନାର ଏକ ନୂଆ ଭାରିଆଣ୍ଟ। ଏହାର ସ୍ପାଇକ୍ ପ୍ରୋଟିନ୍ ମାନବ କୋଷର ACE2 ରିସେପ୍ଟର ସହ ଯୋଡ଼ି ହେବାର କ୍ଷମତା ରଖୁଥିବା କୁହାଯାଉଛି। ଏହି କାରଣରୁ ଏହାର ସଂକ୍ରମଣ କ୍ଷମତାକୁ ନେଇ ଗବେଷକମାନେ ଅଧିକ ଅଧ୍ୟୟନ କରୁଛନ୍ତି।
ନୂଆ ଭାରିଆଣ୍ଟ ଚିହ୍ନଟ ହେବା ପରେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ଏହା ପୂର୍ବ କରୋନା ଭାରିଆଣ୍ଟଗୁଡ଼ିକଠାରୁ ଅଧିକ ବିପଜ୍ଜନକ କି? ତେବେ ଉପଲବ୍ଧ ତଥ୍ୟ ଅନୁସାରେ, ଏହା ଅଧିକ ଗୁରୁତର ରୋଗ ସୃଷ୍ଟି କରୁଥିବାର କୌଣସି ଠୋସ୍ ପ୍ରମାଣ ଏପର୍ଯ୍ୟନ୍ତ ମିଳିନାହିଁ। ତେଣୁ ଏହାକୁ ନେଇ ଆତଙ୍କିତ ହେବା ଅପେକ୍ଷା ଏହାର ପ୍ରସାର ଓ ପ୍ରଭାବ ଉପରେ ନଜର ରଖିବା ଜରୁରୀ।
PJ.2.1 ଭାରିଆଣ୍ଟରେ ଆକ୍ରାନ୍ତ ହେଲେ ସାଧାରଣ ଫ୍ଲୁ ଭଳି କିଛି ଲକ୍ଷଣ ଦେଖାଯାଇପାରେ। ସେଗୁଡ଼ିକ ହେଲା:
- ଜ୍ୱର
- କାଶ
- ଗଳା ଦରଜ
- ନାକରୁ ପାଣି ବୋହିବା
- ମୁଣ୍ଡବିନ୍ଧା
- ଶରୀର ଯନ୍ତ୍ରଣା
ଏହି ଲକ୍ଷଣଗୁଡ଼ିକ ସାଧାରଣ ଥଣ୍ଡା, ଫ୍ଲୁ ଏବଂ କୋଭିଡ୍ରେ ମଧ୍ୟ ଦେଖାଯାଇପାରେ। ତେଣୁ କେବଳ ଲକ୍ଷଣ ଆଧାରରେ ଏହା କରୋନା କି ଫ୍ଲୁ, ତାହା ନିଶ୍ଚିତ କରିବା ସମ୍ଭବ ନୁହେଁ।
ଆଶ୍ୱସ୍ତିର କଥା ହେଉଛି, ପରୀକ୍ଷାଗାରରେ ହୋଇଥିବା ଗବେଷଣାରୁ ପୂର୍ବରୁ ନିଆଯାଇଥିବା କରୋନା ଟିକା ଏହି ଭାରିଆଣ୍ଟ ବିରୋଧରେ କିଛି ପ୍ରତିରୋଧକ କ୍ଷମତା ଯୋଗାଇପାରୁଥିବା ସଙ୍କେତ ମିଳିଛି। ତେବେ ଏହାର ପ୍ରଭାବ ଓ ସୁରକ୍ଷା ସମ୍ପର୍କରେ ଅଧିକ ତଥ୍ୟ ଆବଶ୍ୟକ।
ବିଶେଷକରି ୭୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଏବଂ ଦୀର୍ଘସ୍ଥାୟୀ ରୋଗରେ ପୀଡ଼ିତ ଲୋକମାନେ ଅଧିକ ସତର୍କ ରହିବା ଉଚିତ। ଏହି ବର୍ଗର ଲୋକଙ୍କୁ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଆବଶ୍ୟକ ଟିକା ଓ ବୁଷ୍ଟର ଡୋଜ୍ ନେବାକୁ କୁହାଯାଉଛି।
କରୋନାର ନୂଆ ଭାରିଆଣ୍ଟକୁ ନେଇ ଭୟଭୀତ ନହୋଇ ସଚେତନ ରହିବା ଜରୁରୀ। ଅସୁସ୍ଥ ଅନୁଭବ କଲେ ଅନ୍ୟମାନଙ୍କ ସହ ଘନିଷ୍ଠ ସମ୍ପର୍କ କମାନ୍ତୁ। ଆବଶ୍ୟକ ସ୍ଥଳେ ମାସ୍କ ବ୍ୟବହାର କରନ୍ତୁ, ହାତ ସଫା ରଖନ୍ତୁ ଏବଂ ଲକ୍ଷଣ ଦେଖାଦେଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।
କରୋନାର ଏହି ନୂଆ ଭାରିଆଣ୍ଟ ଉପରେ ଗବେଷଣା ଜାରି ରହିଛି। ତେଣୁ ଅପପ୍ରଚାରରୁ ଦୂରେଇ ରହି ବିଶ୍ୱସନୀୟ ସ୍ୱାସ୍ଥ୍ୟ ସୂଚନା ଉପରେ ଭରସା କରିବା ଉଚିତ।

