ଚାଷୀଙ୍କ ପାଇଁ ବଡ଼ ଖବର। ଆଜି ରାଜ୍ୟର ଲକ୍ଷ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ଆସିବ ସିଏମ୍-କିଷାନ ଯୋଜନାର ଟଙ୍କା। ଭୁବନେଶ୍ୱର ଓୟୁଏଟି ପରିସରରେ ଆୟୋଜିତ ରାଜ୍ୟସ୍ତରୀୟ ଉତ୍ସବରେ ଚାଷୀଙ୍କୁ ଆର୍ଥିକ ସହାୟତା ରାଶି ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ସିଏମ୍-କିଷାନ ଯୋଜନାର ପଞ୍ଚମ କିସ୍ତି ବାବଦରେ ମୋଟ ୮୩୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ DBT ମାଧ୍ୟମରେ ପ୍ରଦାନ କରାଯିବ। ଅର୍ଥାତ୍, ମଧ୍ୟସ୍ଥଙ୍କ ହସ୍ତକ୍ଷେପ ବିନା ଟଙ୍କା ସିଧା ଚାଷୀଙ୍କ ଆକାଉଣ୍ଟରେ ପହଞ୍ଚିବ।
ଏହି କିସ୍ତିରେ ରାଜ୍ୟର ୪୧ ଲକ୍ଷରୁ ଅଧିକ କ୍ଷୁଦ୍ର, ନାମମାତ୍ର ଚାଷୀ, ବିଶେଷ ଭାବେ ଅନୁନ୍ନତ ଜନଜାତି ସମୂହ ଏବଂ ଭୂମିହୀନ କୃଷକ ପରିବାର ଉପକୃତ ହେବେ। ଚାଷୀଙ୍କୁ ଆର୍ଥିକ ଭାବେ ସଶକ୍ତ କରିବା ସହ କୃଷି କ୍ଷେତ୍ରକୁ ଆହୁରି ମଜବୁତ କରିବା ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ।
ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେବେ। ସେହିପରି ଜିଲ୍ଲାସ୍ତରରେ ମଧ୍ୟ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହେବ।
ବିଭିନ୍ନ ଜିଲ୍ଲାରେ ସରକାରଙ୍କ ଅନ୍ୟ ମନ୍ତ୍ରୀମାନେ ଯୋଗଦେଇ ଚାଷୀଙ୍କୁ CM-KISAN କିସ୍ତି ପ୍ରଦାନ କରିବେ। ତେବେ ଆଜି CM-KISANର ପଞ୍ଚମ କିସ୍ତି ଚାଷୀଙ୍କ ପାଇଁ ଆଣିଛି ବଡ଼ ଆଶ୍ୱସ୍ତି। ଟଙ୍କା ସିଧା ଆକାଉଣ୍ଟକୁ ଆସିବା ପରେ ଚାଷୀଙ୍କ ମଧ୍ୟରେ ମଧ୍ୟ ଦେଖାଦେଇଛି ଉତ୍ସାହ।

