ଦୁର୍ଗାପୂଜା ପାଇଁ ରାଜଧାନୀ ଭୁବନେଶ୍ୱରରେ ଟ୍ରାଫିକ୍ କଟକଣା ଜାରି କରିଛି କମିଶନରେଟ୍ ପୋଲିସ। ପୂଜା ସମୟରେ ରାସ୍ତାରେ ଭିଡ଼ ନିୟନ୍ତ୍ରଣ କରିବା ସହ ଲୋକଙ୍କ ଯାତାୟାତକୁ ସୁଗମ କରିବା ପାଇଁ ଏହି ବ୍ୟବସ୍ଥା କରାଯାଇଛି। ଅକ୍ଟୋବର ୧୬ରୁ ୨୧ ତାରିଖ ପର୍ଯ୍ୟନ୍ତ ଏହି କଟକଣା ଲାଗୁ ହେବ। ତେଣୁ ଏହି ସମୟରେ ରାଜଧାନୀରେ ଯାତାୟାତ କରିବାକୁ ଯୋଜନା କରୁଥିବା ଲୋକେ ଟ୍ରାଫିକ୍ ନିୟମ ଓ ବିକଳ୍ପ ରାସ୍ତା ସମ୍ପର୍କରେ ଜାଣି ରଖିବା ଜରୁରୀ।
କମିଶନରେଟ୍ ପୋଲିସର ସୂଚନା ଅନୁସାରେ, ଅକ୍ଟୋବର ୧୬ରୁ ୨୧ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ଅପରାହ୍ନ ୨ଟାରୁ ରାତି ୨ଟା ଯାଏଁ ଟ୍ରାଫିକ୍ କଟକଣା କାର୍ଯ୍ୟକାରୀ ହେବ। ଏହି ସମୟରେ ସହରର ନିର୍ଦ୍ଦିଷ୍ଟ ରାସ୍ତାଗୁଡ଼ିକରେ ଭାରୀଯାନ ଚଳାଚଳ ଉପରେ ରୋକ୍ ଲଗାଯାଇଛି। ନିୟମ ଉଲ୍ଲଂଘନ କଲେ ୫୦୦ ଟଙ୍କାରୁ ୧,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ହୋଇପାରେ।
ତେବେ ପୋଲିସ, ଅଗ୍ନିଶମ ସେବା, ଏକ୍ସାଇଜ୍, ଆମ୍ବୁଲାନ୍ସ ଓ ଅନ୍ୟ ଜରୁରୀକାଳୀନ ଅତ୍ୟାବଶ୍ୟକ ଯାନଗୁଡ଼ିକୁ ଏହି କଟକଣାରୁ ଛାଡ଼ ଦିଆଯାଇଛି।
ବସ୍ ଚଳାଚଳରେ ମଧ୍ୟ ପରିବର୍ତ୍ତନ
ପୂଜା ସମୟରେ ଯାତ୍ରୀବାହୀ ବସ୍ଗୁଡ଼ିକର ଚଳାଚଳ ପାଇଁ ମଧ୍ୟ ନୂଆ ରୁଟ୍ ନିର୍ଦ୍ଧାରଣ କରାଯାଇଛି। ପୁରୀ ପଟୁ ଆସୁଥିବା ସମସ୍ତ ବସ୍ ଲିଙ୍ଗିପୁର ଛକରୁ ପାଣ୍ଡରା ଛକ, କେଶୁରା ଛକ ଓ ହାଇଟେକ୍ ଛକ ଦେଇ ବରମୁଣ୍ଡା ବସ୍ଷ୍ଟାଣ୍ଡକୁ ଯିବେ। ଏହି ବସ୍ଗୁଡ଼ିକୁ ସହର ଭିତରକୁ ପ୍ରବେଶ କରିବାକୁ ଦିଆଯିବ ନାହିଁ।
ସେହିପରି ମାଷ୍ଟର କ୍ୟାଣ୍ଟିନ୍ ବସ୍ଷ୍ଟାଣ୍ଡରୁ ବାହାରୁଥିବା ବସ୍ଗୁଡ଼ିକ ବାଣୀବିହାର କିମ୍ବା ରବି ଟକିଜ୍ ଆଡ଼କୁ ଯାଇପାରିବେ ନାହିଁ। ଏହା ବଦଳରେ ସେମାନେ ରାମ ମନ୍ଦିର ଓ ହାଉସିଂ ବୋର୍ଡ ଛକ ଦେଇ ଆଚାର୍ଯ୍ୟ ବିହାର ଆଡ଼କୁ ଯାତାୟାତ କରିବେ।
ଯାତ୍ରୀଙ୍କ ପାଇଁ ଜରୁରୀ ପରାମର୍ଶ
ଦୁର୍ଗାପୂଜା ସମୟରେ ମଣ୍ଡପଗୁଡ଼ିକରେ ଭିଡ଼ ବଢ଼ିବା ସହ ସହରର ବିଭିନ୍ନ ରାସ୍ତାରେ ଯାତାୟାତ ଚାପ ବଢ଼ିବାର ସମ୍ଭାବନା ରହିଛି। ତେଣୁ ଯାତ୍ରୀମାନେ ଘରୁ ବାହାରିବା ପୂର୍ବରୁ ନିଜ ଗନ୍ତବ୍ୟସ୍ଥଳକୁ ଯିବାର ରାସ୍ତା ଯାଞ୍ଚ କରନ୍ତୁ। ବସ୍ରେ ଯାତ୍ରା କରୁଥିଲେ ପରିବର୍ତ୍ତିତ ରୁଟ୍ ବିଷୟରେ ଜାଣି ରଖନ୍ତୁ। ଏହା ସହ ପୋଲିସର ନିର୍ଦ୍ଦେଶ ମାନିବା ସହ ଟ୍ରାଫିକ୍ ନିୟମ ପାଳନ କରନ୍ତୁ।
ଦୁର୍ଗାପୂଜାକୁ ଶାନ୍ତିପୂର୍ଣ୍ଣ ଓ ସୁବ୍ୟବସ୍ଥିତ କରିବା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ସାଧାରଣ ଜନତା ଓ ଯାତ୍ରୀମାନଙ୍କୁ ସହଯୋଗ କରିବାକୁ ଅପିଲ୍ କରାଯାଇଛି।
ପୂଜା ଦେଖିବାକୁ ବାହାରୁଥିଲେ ଟ୍ରାଫିକ୍ କଟକଣା ଓ ବସ୍ର ପରିବର୍ତ୍ତିତ ରୁଟ୍ ସମ୍ପର୍କରେ ଆଗୁଆ ଜାଣି ରଖନ୍ତୁ।

