17 Oct 2026, Sat

ଅସୁରକ୍ଷିତ ହିନ୍ଦୁ । ପିଟି ପିଟି ମାରିଦେଲେ, ପୁଣି ନିଆଁ ଲଗାଇ ଜାଳିଦେଲେ । ବାଂଲାଦେଶର ମହମ୍ମଦ ୟୁନୁସଙ୍କ ଶାସନରେ ହିନ୍ଦୁଙ୍କ ଉପରେ ବଢ଼ିବାରେ ଲାଗିଛି ଅତ୍ୟାଚାର । ୨ ସପ୍ତାହ ମଧ୍ୟରେ ବାଂଲାଦେଶରେ ଚତୁର୍ଥ ହିନ୍ଦୁଙ୍କ ଉପରେ ଆକ୍ରମଣ ହୋଇଛି ।

ସୂଚନା ଅନୁସାରେ, ଡିସେମ୍ବର ୩୧ ତାରିଖ ରାତିରେ ଶରିୟତପୁର ଜିଲ୍ଲାରେ ଔଷଧ ଦୋକାନୀ ୫୦ ବର୍ଷୀୟ ଖୋକନ ଚନ୍ଦ୍ର ଦାସଙ୍କ ଉପରେ ଆକ୍ରମଣ କରାଯାଇଥିଲା । ବୁଧବାର ଖୋକନ ଦାସ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ତାଙ୍କୁ ଛୁରି ଭୁସି ଦେଇଥିଲେ । ଛୁରିମାଡ଼ ପର ପିଟିଥିଲେ ଆଉ ପେଟ୍ରୋଲ୍ ଲଗାଇ ଜାଳି ଦେଇଥିଲେ । ଆକ୍ରମଣ ପରେ ଖୋକନ ପୋଖରୀକୁ ଡେଇଁ ପଡ଼ି ନିଜ ଜୀବନ ବଞ୍ଚାଇଥିଲେ । କିନ୍ତୁ ମେଡିକାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଖୋକନ ଦାସଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

ଢାକାର ମେଡିକାଲ୍ କଲେଜ ହସ୍ପିଟାଲରେ ଖୋକନ ଦାସଙ୍କ ଚିକିତ୍ସା ହେଉଥିଲା । ସ୍ଥାନୀୟ ଗଣମାଧ୍ୟମଙ୍କୁ ଖୋକନଙ୍କ ପତ୍ନୀ ଦେଇଥିବା ମନ୍ତବ୍ୟ ଅନୁସାରେ, “ସ୍ଵାମୀ ଖୋକନ ଦାସ ଦୋକାନ ବନ୍ଦ କରି ଫେରୁଥିବା ବେଳେ ଆକ୍ରମଣ ହୋଇଛି । ଆମେ ଜାଣିନୁ କିଏ ଆକ୍ରମଣ କରିଛି, ନ୍ୟାୟ ଦରକାର । ମୋ ସ୍ଵାମୀ ଜଣେ ସରଳ ମଣିଷ ଥିଲେ, ସେ କେବେ କାହାର କ୍ଷତି କରିନଥିଲେ ।”

ବାଂଲାଦେଶରେ ଗତ ୨ ସପ୍ତାହ ଧରି ହିନ୍ଦୁଙ୍କ ଉପରେ ଆକ୍ରମଣ ହେଉଛି । ଏହା ହେଉଛି ଚତୁର୍ଥ ଆକ୍ରମଣ । ଏହା ପୂର୍ବରୁ ଡିସେମ୍ବର ୧୮ ସନ୍ଧ୍ୟାରେ ଦୀପୁ ଚନ୍ଦ୍ର ଦାସଙ୍କୁ କାରଖାନାରୁ ଉଠାଇ ନେଇ ପିଟି ପିଟି ହତ୍ୟା କରାଯାଇଥିଲା । ଏହା ପରେ ମୃତଦେହକୁ ବାନ୍ଧି ଘୋଷାଡ଼ି ଘୋଷାଡ଼ି ନେଇ ଜାଳି ଦେଇଥିଲେ ।

୨୭ ବର୍ଷୀୟ ଦୀପୁଙ୍କ ଉପରେ ଅଭିଯୋଗ ଥିଲା ସେ ପ୍ୟାଗମ୍ବର ମହମ୍ମଦଙ୍କୁ ଅପମାନିତ କରିଛନ୍ତି । ଆଉ ଏହି କଥା ପାଇଁ ଦୀପୁ କାମ କରୁଥିବା କାରଖାନା କର୍ତ୍ତୃପକ୍ଷ ପୋଲିସକୁ ସୂଚନା ନ ଦେଇ ସ୍ଥାନୀୟ ଲୋକଙ୍କ ହାତରେ ଛାଡ଼ି ଦେଇଥିଲେ । ପରେ ଅଧିକାରୀ କହିଥିଲେ, ତଦନ୍ତ ବେଳେ ସେଭଳି କୌଣସି ପ୍ରମାଣ ମିଳି ନାହିଁ ।

Leave a Reply

Your email address will not be published. Required fields are marked *