17 Oct 2026, Sat

ସରକାରୀ ଅଫିସ୍‌ରେ ରିଲ୍ସ କରିବା ଉପରେ ଲାଗିଲା କଟକଣା । ଲୋକସେବା ଭବନ, ରାଜୀବ ଭବନ, ଖାରବେଳ ଭବନରେ ରିଲ୍ସ କରିବା ଉପରେ କଟକଣା ଲାଗୁ ହୋଇଛି । ଏଥିସହ ସମ୍ବେଦନଶୀଳ ସରକାରୀ ପ୍ରତିଷ୍ଠାନ ପାଇଁ ମଧ୍ୟ ଏହି କଟକଣା ଲାଗୁ ହୋଇଛି । କର୍ମଚାରୀ, ଅଧିକାରୀ, ଠିକା କର୍ମଚାରୀ ଓ ଭିଜିଟର୍ସଙ୍କ ପାଇଁ କଟକଣା ଲାଗୁ କରାଯାଇଛି । ଏସବୁ ପ୍ରତିଷ୍ଠାନର ଭିଡିଓ ଓ ଫଟୋ ଅପଲୋଡିଂ କରିବାକୁ ମନା । ସୋସିଆଲ୍ ମିଡିଆରେ ରିଲ୍ସ, ଭିଡିଓ ଓ ଫଟୋ ଅପଲୋଡ୍‌ କରିବାକୁ ବାରଣ କରାଯାଇଛି । ନିୟମ ଉଲ୍ଲଙ୍ଘନ କଲେ କଡ଼ା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଗୃହ ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି ।

ବିଗତ କିଛି ଦିନ ହେବ ଲୋକସେବା ଭବନରେ ମାଳମାଳ ରିଲ୍ସ ଭାଇରାଲ ହେବାକୁ ଲାଗିଛି । କାର୍ଯ୍ୟାଳୟ ଭିତରେ ଓ କାର୍ଯ୍ୟାଳୟ ବାହାରରେ ରିଲ୍ସ ବନେଇ ଭାଇରାଲ କରାଯାଉଛି । ରିଲ ଭିଡିଓରେ ଲୋକସେବା ଭବନରେ କାର୍ଯ୍ୟ କରୁଥିବା ସରକାରୀ ଅଧିକାରୀ ଏବଂ କର୍ମଚାରୀ ଓ ଅଭିଯୋଗ ନେଇ ପାୱାର କରିଡର ଯାଉଥିବା ସାଧାରଣ ନାଗରିକ ମଧ୍ୟ ରହିଛନ୍ତି । ବିଶେଷ କରି ବିଭିନ୍ନ ପାର୍ବଣ ଓ ନୂଆବର୍ଷରେ ଏହି ସବୁ ରିଲ୍ସ ବନା ଯାଇଛି । ଏହାକୁ ନେଇ ଉଦବେଗ ପ୍ରକାଶ କରିଥିଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।

ଆଇନ ମନ୍ତ୍ରୀ କହିଥିଲେ “ଲୋକସେବା ଭବନରେ କାର୍ଯ୍ୟ କରୁଥିବା ବ୍ୟକ୍ତି ହୁଅନ୍ତୁ କି ବାହାର ଲୋକ ହୁଅନ୍ତୁ, ସେଠାରେ ରିଲ୍ସର କୌଣସି ଅବକାଶ ନାହିଁ । ଏହା ଠିକ କଥା ନୁହେଁ । ଯଦି ଏଭଳି କିଛି ହେଉଛି, ତେବେ ସେଠାରେ ନିୟୋଜିତ ସୁରକ୍ଷା କର୍ମୀ ଓ ପୋଲିସ କର୍ମଚାରୀ ଏଥିପ୍ରତି ନଜର ଦେବେ । ପୋଲିସ ବିଭାଗ ଲୋକସେବା ଭବନର ସୁରକ୍ଷା ନେଇ ଯାହା ପଦକ୍ଷେପ ନେବା କଥା ନେବ । ଆଗାମୀ ଦିନରେ ଏଭଳି କଥା ଲୋକସେବା ଭବନରେ ଯେମିତି ନହୁଏ, ଦୃଷ୍ଟି ଦିଆଯିବ ।ସାଧାରଣ ଲୋକଙ୍କ ପାଖରେ ଶାସନ ବ୍ୟବସ୍ଥାକୁ ପହଁଚେଇବା ଲୋକସେବା ଭବନର କାର୍ଯ୍ୟ । ଶାସନ ବ୍ୟବସ୍ଥାକୁ ନିୟନ୍ତ୍ରଣ ହେଉଥିବା ସ୍ଥାନରେ ଏଭଳି କାର୍ଯ୍ୟ ଠିକ ନୁହେଁ । ଗାଇଡଲାଇନ ଆଣିବା ପାଇଁ ଗୃହ ବିଭାଗ ତର୍ଜମା କରିବ । ଲୋକସେବା ଭବନରେ ନିୟୋଜିତ ସୁରକ୍ଷା କର୍ମୀଙ୍କୁ ଗୃହ ବିଭାଗ ତାଗିଦ କରିବ ।”

Leave a Reply

Your email address will not be published. Required fields are marked *