ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ୟୁକ୍ରେନ ପାଇଁ ଆସିଛି ଆମେରିକାରୁ ବଡ଼ ଖବର। ରୁଷର ଆକ୍ରମଣକୁ ମୁକାବିଲା କରିବା ଏବଂ ନିଜର ପ୍ରତିରକ୍ଷା ବ୍ୟବସ୍ଥାକୁ ଆହୁରି ମଜବୁତ କରିବା ପାଇଁ ୟୁକ୍ରେନକୁ ୨.୧ ବିଲିୟନ ଡଲାର ମୂଲ୍ୟର ଅସ୍ତ୍ରଶସ୍ତ୍ର ବିକ୍ରି ଚୁକ୍ତିକୁ ଅନୁମୋଦନ କରିଛି ଆମେରିକା। ଏହି ଚୁକ୍ତି ଅନୁଯାୟୀ, ୟୁକ୍ରେନକୁ ୫୦୦ଟି ପାଟ୍ରିଅଟ୍ ଆଡଭାନ୍ସଡ୍ କ୍ୟାପାବିଲିଟି-୩ (PAC-3) ଇଣ୍ଟରସେପ୍ଟର ମିସାଇଲ୍ ସହିତ ଆବଶ୍ୟକୀୟ ଉପକରଣ ଯୋଗାଇ ଦିଆଯିବ।
ଆମେରିକାର ଷ୍ଟେଟ୍ ଡିପାର୍ଟମେଣ୍ଟର ରାଜନୈତିକ ଓ ସାମରିକ ବ୍ୟାପାର ବ୍ୟୁରୋ ପକ୍ଷରୁ ଏହି ଅନୁମୋଦନ ଦିଆଯାଇଛି। ଆମେରିକାର ବୈଦେଶିକ ବିଭାଗ ଅନୁଯାୟୀ, ଏହି ବିକ୍ରୟ ଦ୍ୱାରା ୟୁକ୍ରେନର ପ୍ରତିରକ୍ଷା କ୍ଷମତା ବୃଦ୍ଧି ପାଇବ। ଏହା ୟୁରୋପରେ ରାଜନୈତିକ ଓ ଆର୍ଥିକ ସ୍ଥିରତା ବଜାୟ ରଖିବା ସହ ଆମେରିକାର ବୈଦେଶିକ ନୀତି ଓ ଜାତୀୟ ସୁରକ୍ଷା ଲକ୍ଷ୍ୟକୁ ମଧ୍ୟ ସମର୍ଥନ କରିବ।
ତେବେ ଏହି ଅସ୍ତ୍ରଶସ୍ତ୍ର କିଣିବା ପାଇଁ ୟୁକ୍ରେନକୁ ନିଜସ୍ୱ ଜାତୀୟ ପାଣ୍ଠି ସହ କାନାଡା, ଜର୍ମାନୀ ଓ ନରୱେରୁ ଆର୍ଥିକ ସହାୟତା ମିଳିବ। ଏହା ସହ ୟୁରୋପୀୟ ସଂଘର ସହାୟତା ଋଣ ମାଧ୍ୟମରେ ମଧ୍ୟ ଅର୍ଥ ଯୋଗାଡ଼ କରାଯିବ। ଏହି ସାମରିକ ବିକ୍ରୟ ପାଇଁ କୌଣସି ଆମେରିକୀୟ ସରକାରୀ ପାଣ୍ଠି ବ୍ୟବହାର ହେବ ନାହିଁ ବୋଲି ସ୍ପଷ୍ଟ କରିଛି ଆମେରିକା।
ଆମେରିକାର ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି। ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ସେ ଏହି ଅନୁମୋଦନକୁ ଏକ ଦୃଢ଼ ପଦକ୍ଷେପ ବୋଲି କହିଛନ୍ତି। ତାଙ୍କ ମତରେ, ପାଟ୍ରିଅଟ୍ ଇଣ୍ଟରସେପ୍ଟର ମିସାଇଲର ପର୍ଯ୍ୟାପ୍ତ ଷ୍ଟକ୍ ୟୁକ୍ରେନ ପାଇଁ ବିଶେଷ ଗୁରୁତ୍ୱ ରଖୁଛି। ବିଶେଷକରି ଶୀତ ଋତୁରେ ଦେଶର ଆକାଶ ସୁରକ୍ଷା ପାଇଁ ଏହା ଏକ ପ୍ରଭାବଶାଳୀ ପ୍ରତିରକ୍ଷା ପ୍ୟାକେଜ୍ ହୋଇପାରେ।
ତେବେ ଏହି ଚୁକ୍ତିକୁ ଅନୁମୋଦନ ମିଳିଥିଲେ ମଧ୍ୟ ମିସାଇଲ୍ଗୁଡ଼ିକର ବିତରଣ ତୁରନ୍ତ ଆରମ୍ଭ ହେବ ନାହିଁ। ବର୍ତ୍ତମାନର ସର୍ତ୍ତାବଳୀ ଅନୁସାରେ, ଏହାର ଯୋଗାଣ ଆରମ୍ଭ ହେବାକୁ ଅନେକ ବର୍ଷ ଲାଗିପାରେ।
ଅନ୍ୟପଟେ, ରୁଷ ସାମରିକ ବାହିନୀ ପ୍ରତିଦିନ ୟୁକ୍ରେନର ଶକ୍ତି ଭିତ୍ତିଭୂମିକୁ ଟାର୍ଗେଟ କରୁଥିବାରୁ ଦେଶର ସୁରକ୍ଷା ଚିନ୍ତା ବଢ଼ିଛି। ଏଭଳି ସ୍ଥିତିରେ ଆମେରିକାର ଏହି ମିସାଇଲ୍ ଚୁକ୍ତି ୟୁକ୍ରେନର ପ୍ରତିରକ୍ଷାକୁ କେତେ ଶକ୍ତି ଦେବ ଏବଂ ରୁଷର ଆକ୍ରମଣକୁ ମୁକାବିଲା କରିବାରେ କେତେ ସହାୟକ ହେବ, ତାହା ଉପରେ ଏବେ ସମସ୍ତଙ୍କ ନଜର।

