ଲଗାଣ ବର୍ଷା ପରେ ସିକ୍କିମରେ ପୁଣିଥରେ ବଡ଼ ଧରଣର ଭୂସ୍ଖଳନ ଘଟିଛି। ପଶ୍ଚିମ ସିକ୍କିମର ଗ୍ୟାଲସିଙ୍ଗ ଜିଲ୍ଲା ଅଧୀନ ରିମ୍ବି ଗାଁରେ ଗୁରୁବାର ରାତିରେ ପାହାଡ଼ରୁ ବିପୁଳ ପରିମାଣର କାଦୁଅ, ମାଟି ଓ ପଥର ତଳକୁ ଖସିଛି। ଏହାର ପ୍ରଭାବରେ ୩୦ରୁ ଅଧିକ ଘର ପ୍ରଭାବିତ ହୋଇଛି।
କେତେକ ଘର ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଯାଇଥିବା ବେଳେ ଅନେକ ଘର ଓ ସରକାରୀ କ୍ୱାର୍ଟର୍ସରେ କ୍ଷୟକ୍ଷତି ହୋଇଛି। ଭୂସ୍ଖଳନ ସମୟର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଭିଡିଓରେ ପାହାଡ଼ ଉପରୁ ବଡ଼ ବଡ଼ ପଥର ଓ ମାଟି ଦ୍ରୁତ ଗତିରେ ତଳକୁ ଖସୁଥିବା ଦେଖାଯାଇଛି।
ଲଗାତାର ବର୍ଷା ଯୋଗୁଁ ରିମ୍ବି ଅଞ୍ଚଳରେ ଗତ କିଛି ଦିନ ଧରି ମାଟି ଧସିବା ଓ ଭୂସ୍ଖଳନ ଜାରି ରହିଛି। ସେପ୍ଟେମ୍ବର ୧୨ରୁ ବାରମ୍ବାର ମାଟି, ପଥର ଓ ଶିଳାଖଣ୍ଡ ତଳକୁ ଖସୁଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ବଢ଼ିଛି। ରିମ୍ବି-ୟୁକ୍ସମ୍ ଓ ରିମ୍ବି-ଖେଚିଓପାରି ରାସ୍ତା ମଧ୍ୟ ଭୂସ୍ଖଳନ ଓ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛି।
ରିପୋର୍ଟ ଅନୁସାରେ, ରିମ୍ବିରେ ଗତ ୨୪ ଘଣ୍ଟାରେ ୨୨୪.୬ ମିଲିମିଟର ବର୍ଷା ରେକର୍ଡ ହୋଇଛି। ସୁରକ୍ଷା ଦୃଷ୍ଟିରୁ ବିପଦପୂର୍ଣ୍ଣ ଅଞ୍ଚଳରୁ ଲୋକଙ୍କୁ ଧୀରେ ଧୀରେ ସୁରକ୍ଷିତ ସ୍ଥାନକୁ ନିଆଯାଉଛି। ପୂର୍ବରୁ ରିମ୍ବିର ୨୮ଟି ଘରର ୧୨୮ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ପ୍ରଭାବିତଙ୍କ ପାଇଁ ରିଲିଫ୍ କ୍ୟାମ୍ପର ବ୍ୟବସ୍ଥା ମଧ୍ୟ କରାଯାଇଛି।
ଏପର୍ଯ୍ୟନ୍ତ ଭୂସ୍ଖଳନରେ କୌଣସି ମୃତାହତ ଖବର ମିଳିନାହିଁ। ତେବେ ଘର ଓ ସମ୍ପତ୍ତିର କ୍ଷୟକ୍ଷତି ହୋଇଥିବାରୁ ପ୍ରଶାସନ ପକ୍ଷରୁ ଆକଳନ ଆରମ୍ଭ ହୋଇଛି। ରାସ୍ତାରୁ ମାଟି ଓ ଆବର୍ଜନା ହଟାଇ ଯୋଗାଯୋଗ ବ୍ୟବସ୍ଥା ସ୍ୱାଭାବିକ କରିବାକୁ ମଧ୍ୟ ପଦକ୍ଷେପ ନିଆଯାଉଛି।
ସିକ୍କିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ତମାଙ୍ଗ ରିମ୍ବିର ପରିସ୍ଥିତିକୁ ଗୁରୁତର ବୋଲି କହିବା ସହ ଅଧିକାରୀମାନଙ୍କୁ ହାଇଆଲର୍ଟରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।

