ମୁମ୍ବାଇର ପ୍ରସିଦ୍ଧ ଲାଲବାଗଚା ରାଜାଙ୍କ ଦରବାରରେ ଗଣେଶ ଦର୍ଶନ ପାଇଁ ପ୍ରତିଦିନ ଭକ୍ତଙ୍କ ଭିଡ଼ ଜମୁଛି। ବଲିଉଡ୍ର ଅନେକ ସେଲିବ୍ରିଟି ମଧ୍ୟ ପଣ୍ଡାଲରେ ପହଞ୍ଚି ବାପ୍ପାଙ୍କ ଆଶୀର୍ବାଦ ନେଉଛନ୍ତି। ଏହି କ୍ରମରେ ଅଭିନେତା ଗୋବିନ୍ଦା କୋମଲ ରାଣୀ ସ୍ୱର୍ଣ୍ଣକାରଙ୍କ ସହ ଲାଲବାଗଚା ରାଜାଙ୍କ ଦର୍ଶନ କରିଛନ୍ତି।
ଗୋବିନ୍ଦା ଓ କୋମଲ ରାଣୀଙ୍କ ଫଟୋ ଏବଂ ଭିଡିଓ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛି। ଦୁହେଁ ଏକାଠି ପଣ୍ଡାଲରେ ପହଞ୍ଚି ଗଣପତି ବାପ୍ପାଙ୍କ ଦର୍ଶନ କରିବା ସହ ପୂଜା କରି ଆଶୀର୍ବାଦ ନେଇଥିଲେ।
ଭାଇରାଲ ଭିଡିଓରେ ଗୋବିନ୍ଦା ଧଳା କୁର୍ତ୍ତା-ପାଇଜାମା ପିନ୍ଧିଥିବା ବେଳେ କୋମଲ ରାଣୀ ଲାଲ ରଙ୍ଗର ଶାଢ଼ିରେ ନଜର ଆସିଥିଲେ। ପୂଜା ପରେ ଦୁହେଁ ମଥାରେ ତିଳକ ଲଗାଇଥିଲେ ଏବଂ ପାପାରାଜିଙ୍କୁ ମଧ୍ୟ ଅଭିବାଦନ ଜଣାଇଥିଲେ।
ଗୋବିନ୍ଦା ଓ କୋମଲ ରାଣୀଙ୍କ ପୂର୍ବରୁ ଗୋବିନ୍ଦାଙ୍କ ପତ୍ନୀ ସୁନୀତା ଆହୁଜା ମଧ୍ୟ ଲାଲବାଗଚା ରାଜାଙ୍କ ଦର୍ଶନ କରିଥିଲେ। ସେ ଏକାକୀ ପଣ୍ଡାଲରେ ପହଞ୍ଚିଥିବା ଦେଖାଯାଇଥିଲା। ତାଙ୍କର ଫଟୋ ଓ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
ଗୋବିନ୍ଦା ଓ ସୁନୀତା ଅଲଗା ସମୟରେ ଲାଲବାଗଚା ରାଜାଙ୍କ ଦର୍ଶନ କରିବା ଏବଂ ଗୋବିନ୍ଦାଙ୍କ ସହ କୋମଲ ରାଣୀଙ୍କ ଉପସ୍ଥିତି ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
ଗୋବିନ୍ଦା ଓ କୋମଲ ରାଣୀ ସ୍ୱର୍ଣ୍ଣକାର ଆଗାମୀ ‘ରୂପା’ ଫିଲ୍ମରେ ଏକାଠି ନଜର ଆସିବେ ବୋଲି ରିପୋର୍ଟ ରହିଛି। ଏହି ଫିଲ୍ମ ମାଧ୍ୟମରେ କୋମଲ ରାଣୀଙ୍କ ବଲିଉଡ୍ ଡେବ୍ୟୁ ହେବା ନେଇ ମଧ୍ୟ ଚର୍ଚ୍ଚା ଚାଲିଛି।
ଗୋବିନ୍ଦାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ପୂର୍ବରୁ ଗଣମାଧ୍ୟମରେ ବିଭିନ୍ନ ଖବର ପ୍ରକାଶ ପାଇଥିବା ବେଳେ, ଲାଲବାଗଚା ରାଜାଙ୍କ ଦରବାରରେ ଗୋବିନ୍ଦା ଓ କୋମଲ ରାଣୀଙ୍କୁ ଏକାଠି ଦେଖିବା ପରେ ପୁଣିଥରେ ଏହି ପ୍ରସଙ୍ଗ ଚର୍ଚ୍ଚାକୁ ଆସିଛି।

