17 Oct 2026, Sat

ସ୍ୱଚ୍ଛ ଓ ନବୀକରଣଯୋଗ୍ୟ ଶକ୍ତିର ବ୍ୟବହାରକୁ ଅଧିକ ପ୍ରୋତ୍ସାହିତ କରିବା ସହ ପିଏମ୍ ସୂର୍ଯ୍ୟ ଘର : ମାଗଣା ବିଜୁଳି ଯୋଜନା ସମ୍ପର୍କରେ ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଇବା ଉଦ୍ଦେଶ୍ୟରେ ଟିପିସିଓଡିଏଲ (TPCODL) ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ‘ସୋଲାର ରଥ’ର ଶୁଭାରମ୍ଭ କରାଯାଇଛି । ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଏହି ସୋଲାର ରଥକୁ ଶୁଭାରମ୍ଭ କରିଥିଲେ । ଏହି ସଚେତନତା ରଥ କଟକ ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳ ପରିଦର୍ଶନ କରିବ ।

ଘର ଛାତ ଉପରେ ସୌର ଶକ୍ତି ପ୍ରକଳ୍ପ ସ୍ଥାପନର ସୁବିଧା, ପିଏମ୍ ସୂର୍ଯ୍ୟ ଘର : ମାଗଣା ବିଜୁଳି ଯୋଜନା ଅଧୀନରେ ମିଳୁଥିବା ସରକାରୀ ସହାୟତା ଏବଂ ସହଜ ସ୍ଥାପନ ପ୍ରକ୍ରିୟା ସମ୍ପର୍କରେ ଲୋକଙ୍କୁ ସଚେତନ କରିବ । ଏଥିସହ ‘ସୋଲାର ସାଙ୍ଗ ’ ଟିମ୍ ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କ ପ୍ରଶ୍ନର ଉତ୍ତର ଦେବା ସହ ସ୍ୱଚ୍ଛ, ନିର୍ଭରଯୋଗ୍ୟ ଓ ସୁଲଭ ସୌର ଶକ୍ତି ଗ୍ରହଣ ପାଇଁ ପ୍ରୋତ୍ସାହିତ କରିବେ

‘ସୋଲାର ରଥ’ ଅଭିଯାନ ମାଧ୍ୟମରେ ପିଏମ୍ ସୂର୍ଯ୍ୟ ଘର : ମାଗଣା ବିଜୁଳି ଯୋଜନାର ସୁବିଧା ସମ୍ପର୍କରେ ସଚେତନତା ସିଧାସଳଖ ଲୋକଙ୍କ ନିକଟରେ ପହଞ୍ଚିବ। ଅଧିକରୁ ଅଧିକ ପରିବାରକୁ ସୋଲାର ସୁବିଧା ନେବା ପାଇଁ ଉତ୍ସାହିତ କରିବା ସହ ନବୀକରଣଯୋଗ୍ୟ ଶକ୍ତିର ବିକାଶକୁ ଆହୁରି ସୁଦୃଢ଼ କରିବ ବୋଲି ଜିଲ୍ଲାପାଳ ଶିନ୍ଦେ କହିଥିଲେ। ଅତିରିକ୍ତ ଜିଲ୍ଲାପାଳ ଡଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ଏହି ରଥର ଶୁଭାରମ୍ଭ ଅବସରରେ ଯୋଗଦେଇ କହିଥିଲେ ଯେ, ଏହି ରଥ ଗ୍ରାମାଞ୍ଚଳରେ ବୁଲିବା ଦ୍ଵାରା ବ୍ୟାପକ ସଚେତନତା ସୃଷ୍ଟି କରିବା ସହ ଅଧିକରୁ ଅଧିକ ଉପଭୋକ୍ତା ଉକ୍ତ ଯୋଜନାର ଲାଭ ଉଠାଇପାରିବେ ।

Leave a Reply

Your email address will not be published. Required fields are marked *