ପାକିସ୍ତାନର ଗୃହମନ୍ତ୍ରୀ ମୋହସିନ ନକଭିଙ୍କ ଏକ ବୟାନକୁ ନେଇ ପୂରା ଦେଶରେ ରାଜନୈତିକ ଉତ୍ତେଜନା ସୃଷ୍ଟି ହୋଇଛି । ନକଭି ପ୍ରଥମେ ପାକିସ୍ତାନର ଶାସନ ବ୍ୟବସ୍ଥାକୁ “ସମ୍ପୂର୍ଣ୍ଣ ଭାବରେ ଭାଙ୍ଗିପଡ଼ିଛି” ବୋଲି ବର୍ଣ୍ଣନା କରିଛନ୍ତି । ଗତ ୨୧ ବର୍ଷ ଧରି ବିଚାରପତି, ବ୍ୟୁରୋକ୍ରାଟ, ରାଜନେତା ଏବଂ ବ୍ୟାଙ୍କରମାନଙ୍କୁ ଲାଞ୍ଚ ଦିଆଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି ।
ତାଙ୍କ ବକ୍ତବ୍ୟ ବିରୋଧୀ ନେତାଙ୍କଠାରୁ ଆରମ୍ଭ କରି ଶାସକ ମେଣ୍ଟ ଭିତରେ ଥିବା ବରିଷ୍ଠ ବ୍ୟକ୍ତିବିଶେଷଙ୍କ ପର୍ଯ୍ୟନ୍ତ ପ୍ରାୟ ସମସ୍ତ ମହଲରୁ ପ୍ରତିକ୍ରିୟା ଆସିଛି । ପାକିସ୍ତାନୀ ସେନା ପୁଣି ଥରେ ଦେଶର କ୍ଷମତା ଗଠନକୁ ନିୟନ୍ତ୍ରଣ କରିଛି କି ବୋଲି ପ୍ରଶ୍ନ ଉଠିଛି । ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଓ ଗୃହମନ୍ତ୍ରୀ ମୋହସିନ ନକଭିଙ୍କ ମଧ୍ୟରେ ସବୁ କିଛି ଠିକ୍ ନାହିଁ ବୋଲି ମଧ୍ୟ ସ୍ପଷ୍ଟ ହୋଇଛି ।
ଗୃହମନ୍ତ୍ରୀ ମୋହସିନ ନକଭି କହିଛନ୍ତି ଯେ ପାକିସ୍ତାନ ଇତିହାସର ସବୁଠୁ ବଡ଼ ଘୋଟାଲା ଏବେ ସାମ୍ନାକୁ ଆସିଛି, ଯେଉଁଥିରେ ବିଚାରପତି, ରାଜନେତା ଓ ବ୍ୟାଙ୍କର ପର୍ଯ୍ୟନ୍ତ ସାମିଲ । ଏମାନେ ଗତ ୨୧ ବର୍ଷ ଧରି ସରକାରଙ୍କଠାରୁ ଲାଞ୍ଚ ନେଉଛନ୍ତି । ହେଲେ ଏମାନେ କେଉଁ କାମ ପାଇଁ ଲାଞ୍ଚ ନେଉଥିଲେ ସେନେଇ ଖୁଲାସା କରିନାହାନ୍ତି, ମାତ୍ର ନକଭିଙ୍କ ଏହି ବଡ଼ ବୟାନ ଶେହବାଜ ସରକାରଙ୍କୁ ଦୋହଲାଇଦେଇଛି ।
ରାଜନୀତି ବିଶେଷଜ୍ଞମାନେ କହିଛନ୍ତି ଯେ ନକଭିଙ୍କ ବୟାନରେ ସେନା ବିଷୟରେ ପଦୁଟିଏ ନଥିଲା, ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ ତାଙ୍କ ଟାର୍ଗେଟ୍ ସମ୍ପୂର୍ଣ୍ଣ ଭାବେ ନାଗରିକ ପ୍ରଶାସନ ଓ ଶେହବାଜ ସରକାର ଉପରେ ଥିଲା । ନକଭିଙ୍କ ବୃଦ୍ଧି ପାଉଥିବା ରାଜନୈତିକ ମହତ୍ତ୍ଵାକାଂକ୍ଷା ଓ ସେନା ମୁଖ୍ୟ ଆସିମ ମୁନୀରଙ୍କଠାରୁ ମିଳୁଥିବା ଖୋଲା ସମର୍ଥନ ଶେହବାଜ ଶରିଫଙ୍କ ଲାଗି ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।
ପ୍ରତିରକ୍ଷା ବିଶେଷଜ୍ଞଙ୍କ କହିବାନୁସାରେ, ଦୀର୍ଘ ସମୟ ଧରି ନକଭି ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବାକୁ ଆଶା ବାନ୍ଧି ବସିଛନ୍ତି । ପାକିସ୍ତାନ ସେନା ମୁଖ୍ୟ ମୁନୀର ଆମେରିକା ଓ ଇରାନ ମଧ୍ୟରେ ମଧ୍ୟସ୍ଥତା ପାଇଁ ଶରିଫ ସରକାରଙ୍କୁ ସାଇଡ୍ ଲାଇନ୍ କରି ନକଭିଙ୍କୁ ସ୍ଵତନ୍ତ୍ର ପ୍ରତିନିଧି କରିଥିଲେ । ବଲୁଚିସ୍ତାନ ଓ ପିଓକେ ମଧ୍ୟରେ ବଢୁଥିବା ବିବାଦ ମଧ୍ୟରେ ମୁନୀର ଓ ନକଭି ପାକିସ୍ତାନ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ଅନ୍ୟପଟେ ଏହି ଘଟଣା ଉପରେ ପାକିସ୍ତାନର ଦୁଇଟି ସବୁଠୁ ବଡ଼ ଶାସକ ଦଳ ପିଏମଏଲ-ଏନ (PML-N) ଓ ପିପିପି (PPP) ସମ୍ପୂର୍ଣ୍ଣ ଭାବେ ନୀରବ ଅଛି ।
ପାକିସ୍ତାନ ଇତିହାସରେ ଏହି ପ୍ରଥମ ଥର ହୋଇଛି ଯେ କ୍ଷମତାର ଶୀର୍ଷ ସ୍ତରରେ ଏପରି ଖୋଲାଖୋଲି ବିବାଦ ଦେଖାଦେଇଛି । ମୋହସିନ ନକଭି ଯେଉଁପରି ଭାବେ ଏବେ ଖୋଲାଖୋଲି ଶାସନ ବ୍ୟବସ୍ଥାକୁ ଟାର୍ଗେଟ୍ କରିଛନ୍ତି ଓ କାର୍ଯ୍ୟାନୁଷ୍ଠାନର କଥା କହୁଛନ୍ତି, ଏହାପରେ ପଡ଼ୋଶୀ ଦେଶରେ ପୁଣିଥରେ ଶାସନ କ୍ଷମତା ପରିବର୍ତ୍ତନ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ଏହା ପାକିସ୍ତାନ ପାଇଁ କୌଣସି ଆଶ୍ଚର୍ଯ୍ୟଜନକ କଥା ନୁହେଁ, କାରଣ ପାକିସ୍ତାନରେ ସବୁବେଳେ ଅସଲ କମାଣ ସେନା ହାତରେ ରହିଥାଏ । ପୂରା ଘଟଣାକ୍ରମରୁ ଆଶଙ୍କା କରାଯାଉଛି ଯେ ପାକିସ୍ତାନ ସେନା ବିପୁଳ ସମର୍ଥନ ଜରିଆରେ ସମ୍ପୂର୍ଣ୍ଣ ଶାସନ କ୍ଷମତାକୁ ନିଜ ହାତକୁ ନେଇପାରେ ।

