17 Oct 2026, Sat

ଏବେ ବି କୋମାରେ ଅଭିଜିତ ମଜୁମଦାର, ସ୍ବାସ୍ଥ୍ୟବସ୍ଥାରେ ଆସୁନି ସୁଧାର..

ଏବେ ବି କୋମାରେ ଅଛନ୍ତି କଣ୍ଠଶିଳ୍ପୀ ତଥା ସଂଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର । ତାଙ୍କ ସ୍ବାସ୍ଥ୍ୟରେ ବିଶେଷ ସୁଧାର ଆସୁନି । ୨୩ ଅକ୍ଟୋବରରେ କରାଯାଇଥିବା MRI ବ୍ରେନ୍‌ ସ୍କାନ୍‌ରେ ମଧ୍ୟ କୌଣସି ସ୍ପଷ୍ଟ ସୁଧାର ଦେଖିବାକୁ ମିଳିନାହିଁ । ଅଭିଜିତ୍‌ଙ୍କ ସ୍ନାୟୁଜନିତ ସମସ୍ୟାରେ ମଧ୍ୟ କୌଣସି ସୁଧାର ଆସୁନଥିବା ଏମ୍ସ ପକ୍ଷରୁ କୁହାଯାଇଛି । ଡାକ୍ତରମାନେ ଅଭିଜିତଙ୍କୁ ଭେଣ୍ଟିଲେଟର ସହାୟତାଠାରୁ କ୍ରମେ ମୁକ୍ତ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ଏମ୍‌ସ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ବର୍ତ୍ତମାନ ସେ ସ୍ପୋଣ୍ଟାନିୟସ୍ ମୋଡ୍‌ ଭେଣ୍ଟିଲେଟର ସର୍ପଟରେ ରହିଛନ୍ତି ।

ସୂଚନା ଅନୁସାରେ ଅଭିଜିତ୍‌ ମଜୁମଦାରଙ୍କ ଶରୀରରେ ସୋଡିୟମ ଲେବୁଲ କମିଯିବାରୁ ତାଙ୍କୁ କିଛି ଦିନ ତଳେ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରାୟ ଏକ ସପ୍ତାହ ଧରି ତାଙ୍କ ଚିକିତ୍ସା ଜାରି ରହିଥିଲା । କିନ୍ତୁ ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଗତ ସେପ୍ଟେମ୍ବର ୪ ତାରିଖରେ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ତାଙ୍କ ଚିକିତ୍ସା କରୁଛନ୍ତି ।

ତେବେ କିଛି ଦିନ ଏମ୍ସରେ ଚିକିତ୍ସା ହେବା ପରେ ଧୀରେ ଧୀରେ ସୁସ୍ଥ ହୋଇଥିଲେ ଦାଦା । ଦୁର୍ଗାପୂଜା ପୂର୍ବରୁ ଭେଣ୍ଟିଲେଟରରରୁ ବାହାରି ଆଇସିୟୁ ବେଡ୍‌ରେ ଦାଦାଙ୍କ ଚିକିତ୍ସା ଚାଲିଥିଲା । କିନ୍ତୁ ଏହାର କିଛି ଦିନ ପରେ ପୁଣି ଦାଦାଙ୍କ ସ୍ବାସ୍ଥ୍ୟବସ୍ଥାରେ ଅବନତି ଦେଖିବାକୁ ମିଳିଥିଲା । ପରେ ପୁଣି ଥରେ ଅଭିଜିତ୍‌ଙ୍କୁ ଭେଣ୍ଟିଲେଟରରେ ଭର୍ତ୍ତି କରାଯାଇଥିଲା । ଆଉ ଏବେ ଏମ୍ସ ପକ୍ଷରୁ ଜାରି ହୋଇଥିବା ସ୍ବାସ୍ଥ୍ୟ ବୁଲେଟିନ୍‌ରେ ଅଭିଜିତ୍‌ ମଜୁମଦାରଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସୁନଥିବା କୁହାଯାଉଛି ।

ସୂଚନା ଅନୁସାରେ ଓଡ଼ିଆ ମନୋରଞ୍ଜନ ଦୁନିଆର ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶକ ଓ କଣ୍ଠଶିଳ୍ପୀ ହେଉଛନ୍ତି ଅଭିଜିତ ମଜୁମଦାର । ଓଡ଼ିଆ ଆଧୁନିକ ଆଲବମ୍, ଭଜନ, ସମ୍ବଲପୁରୀ ଆଲବମ୍ ଓ ଓଡ଼ିଆ ଧାରାବାହିକରେ ସଙ୍ଗୀତ ନିର୍ଦ୍ଦେଶନା ଦେବା ସହ ଅନେକ ଗୀତ ନିଜେ ସେ ଗାଇଛନ୍ତି ମଧ୍ୟ । ଅଭିଜିତ ମଜୁମଦାର ପ୍ରଥମେ ସମ୍ବଲପୁରୀ ଗୀତରେ କାମ କରିବା ଆରମ୍ଭ କରିଥିଲେ ଏବଂ ପରେ ସେ ଓଡ଼ିଆ କଥାଚିତ୍ର ଜଗତରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ସେ ଓଡ଼ିଆ ଚଳଚ୍ଚିତ୍ର, ଆଲବମ୍ ଏବଂ ସମ୍ବଲପୁରୀ ଇଣ୍ଡଷ୍ଟ୍ରି ପାଇଁ ୭୦୦ରୁ ଅଧିକ ଗୀତ ନିର୍ମାଣ କରିଛନ୍ତି ।

Leave a Reply

Your email address will not be published. Required fields are marked *