ପୁଣି ଅକ୍ଟୋବରରେ ବଙ୍ଗୋପସାଗରରେ ଆସୁଛି ବାତ୍ୟା ‘ମନ୍ଥା’। ସମ୍ଭାବ୍ୟ ବାତ୍ୟାର ନାମ ଆଇଏମ୍ଡି ପକ୍ଷରୁ କରାଯାଇ ନଥିଲେ ମଧ୍ୟ ଥାଇଲାଣ୍ଡ ପକ୍ଷରୁ ଏହାର ନାମକରଣ ‘ମନ୍ଥା’ ରହିବ। ୧୯୯୯ ମହାବାତ୍ୟା ଭଳି ଅକ୍ଟୋବର ୨୮ ଓ ୨୯ତାରିଖରେ ସାମୁଦ୍ରିକ ଝଡ଼ ସମ୍ଭାବନା ଡରାଇଲାଣି। ଆସନ୍ତା ୨୭ ତାରିଖ ସକାଳେ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେଉଥିବା ଭାରତୀୟ ପାଣିପାଗ ବିଭାଗ ଶୁକ୍ରବାର ସ୍ପଷ୍ଟ କରିଛି। ସମ୍ଭାବ୍ୟ ବାତ୍ୟା ପରିସ୍ଥିତି ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି।
ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଲଘୁଚାପ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି। ଶନିବାର ଅଧିକ ଘନୀଭୂତ ହୋଇ ଦକ୍ଷିଣ-ପୂର୍ବ ଏବଂ ଏହାର ପାର୍ଶ୍ବବର୍ତ୍ତୀ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଅବପାତ ରୂପ ନେବା ସମ୍ଭାବନା ରହିଛି। ପରବର୍ତ୍ତୀ ସମୟରେ ଅଧିକରୁ ଅଧିକ ଘନୀଭୂତ ହୋଇ ୨୬ ତାରିଖରେ ଗଭୀର ଅବପାତ ରୂପ ନେବା ଆଶଙ୍କା ଅଛି।
ପରେ ଆହୁରି ଅଧିକ ଘନୀଭୂତ ହୋଇ ୨୭ ତାରିଖ ସକାଳୁ ଦକ୍ଷିଣ-ପଶ୍ଚିମ ଏବଂ ତତ୍ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ସାମୁଦ୍ରିକ ଝଡ଼ରେ ପରିଣତ ହେବା ସମ୍ଭାବନା ରହିଛି ବୋଲି ଆଇଏମଡି ସ୍ପଷ୍ଟ କରିଛି। ସମ୍ଭାବ୍ୟ ବାତ୍ୟାର ବେଗ କେତେ ରହିବ, କେଉଁଠି ସ୍ଥଳଭାଗ ଅତିକ୍ରମ କରିବ, କେଉଁ ରାଜ୍ୟ ଅଧିକ ପ୍ରଭାବିତ ହେବ ସେ ସଂକ୍ରାନ୍ତରେ ଆଇଏମଡି ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ।
ତେବେ ଏହା ଓଡ଼ିଶା ସୀମାନ୍ତ ଆନ୍ଧ୍ରପ୍ରଦେଶର ନେଲୁରୁଠାରୁ ବିଶାଖାପଟ୍ଟନମ୍ ମଧ୍ୟରେ ସ୍ଥଳଭାଗ ଛୁଇଁବା ପୂର୍ବାନୁମାନ କରାଯାଉଛି। ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ରାଜ୍ୟରେ ୨୭ରୁ ୨୯ତାରିଖ ପର୍ଯ୍ୟନ୍ତ ବଜ୍ରପାତ ସହ ବର୍ଷା ସମ୍ଭାବନା ରହିଛି।
ବିଶେଷକରି ଗଞ୍ଜାମ, ଗଜପତି, ରାୟଗଡ଼ା, କଟକ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, କୋରାପୁଟ, ମାଲକାନଗିରି, ବାଲେଶ୍ବର, ମୟୂରଭଞ୍ଜ ଏବଂ ଭଦ୍ରକ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହ ୨୮ ଓ ୨୯ ତାରିଖରେ ଘଣ୍ଟାପ୍ରତି ପବନର ବେଗ ୬୦ରୁ ୭୦କି.ମି. ବେଗରେ ବହିବାର ସମ୍ଭାବନା ରହିଛି।

