17 Oct 2026, Sat

ଆସନ୍ତା ୧୩ ଓ ୧୪ ତାରିଖରେ ପୁଣି ଥରାଇବ ଶୀତ । ଶନିବାର ରାତିରେ ଶୀତ କମିଥିଲା। ରବିବାର ବି ଶୀତ କମ୍ ରହିଥିଲା କିନ୍ତୁ ମଙ୍ଗଳବାର ଓ ବୁଧବାର ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ପାରଦ ପୁଣି ତଳମୁହାଁ ହେବ। ଅଧିକ ଶୀତ ଅନୁଭୂତ ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି।

ତାମିଲନାଡୁ ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ବଳୟ ପ୍ରଭାବରେ ଜଳୀୟବାଷ୍ପ ଆସିଥିଲା। ଫଳରେ ଆକାଶକୁ ବାଦଲ ଖଣ୍ଡ ଘେରି ରହିଥିଲା। କିନ୍ତୁ ଉତ୍ତର-ପଶ୍ଚିମ ଦିଗରୁ ଆସୁଥିବା ଟ୍ରଫଲାଇନ୍ ଏହି ବାଦଲ ଖଣ୍ଡକୁ ସମୁଦ୍ରକୁ ଠେଲି ନେଇଥିଲା। ରବିବାର ରାତି ସୁଦ୍ଧା ଆଭ୍ୟନ୍ତରୀଣ ଓଡ଼ିଶାର ଆକାଶ ମେଘମୁକ୍ତ ରହିଛି।

ସୋମବାର ସକାଳ ସୁଦ୍ଧା ଉପକୂଳ ଓଡ଼ିଶା ବି ମେଘମୁକ୍ତ ହୋଇଯିବ। ଆକାଶ ମେଘମୁକ୍ତ ହେବା ପରେ ଶୀତ ପୁଣି ବଢ଼ିବ ବୋଲି ବୋଲି ସେ କହିଛନ୍ତି। ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି, ଆସନ୍ତା ତିନି ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ କମିପାରେ। ଏହା ଶୀତ ବଢ଼ାଇବ। ତେବେ ଶନିବାର ଦାରିଙ୍ଗବାଡ଼ିରେ ରାତି ତାପମାତ୍ରା ୬.୫ ଡିଗ୍ରୀ ଥିଲା ।

ଫୁଲବାଣୀରେ ୭, ରାଉରକେଲାରେ ୮, ଝାରସୁଗୁଡ଼ାରେ ୮.୩, ନବରଙ୍ଗପୁରରେ ୮.୫, ଜି ଉଦୟଗିରିରେ ପାରଦ ୯.୪ ଡିଗ୍ରୀ ଥିଲା । ଆକାଶକୁ ବାଦଲ ଘେରି ରହିଥିବାରୁ ରାଜ୍ୟର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ଉପରମୁହାଁ ହେବାରୁ ଶୀତ କମିଯାଇଥିଲା । ରାଜଧାନୀରେ ଶୁକ୍ରବାର ରାତିରେ ପାରଦ ୧୦.୨ ଡିଗ୍ରୀ ଥିଲା । ଶନିବାର ଏହା ୧୭ କୁ ବଢ଼ିଥିଲା ।

ସେପଟେ ଦିଲ୍ଲୀ ସମେତ ସମଗ୍ର ଉତ୍ତର ଭାରତରେ ଶୀତଲହରି ପ୍ରବାହିତ ହେଉଥିବାବେଳେ ଘନକୁହୁଡ଼ି ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। ଦିଲ୍ଲୀରେ ତାପମାତ୍ରା କମ୍‌ ରହିଥିବାବେଳେ ଦିଲ୍ଲୀ, ଏନ୍‌ସିଆର୍‌ ଓ ଉତ୍ତର ଭାରତ ପାଇଁ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଶୀତ ଲହରି ନେଇ ଚେତାବନୀ ଜାରି କରିଛି।

ଆଇଏମ୍‌ଡି ବୁଲେଟିନ୍‌ ଅନୁଯାୟୀ, ସୋମବାର ଉତ୍ତର ପ୍ରଦେଶ, ଜମ୍ମୁ, ହରିୟାଣା, ଚଣ୍ଡିଗଡ଼, ଦିଲ୍ଲୀ ଓ ଉତ୍ତରାଖଣ୍ଡରେ ଶୀତ ଲହର ପ୍ରବାହିତ ହେବ। ରାଜସ୍ଥାନ, ବିହାର, ଆସାମ, ମେଘାଳୟ, ମିଜୋରାମ, ତ୍ରିପୁରା, ମଣିପୁର ଓ ନାଗାଲାଣ୍ଡର କେତେକ ସ୍ଥାନରେ ଘନକୁହୁଡ଼ି ସହିତ ଶୀତ ଲହରୀ ଅନୁଭୂତ ହେବ ବୋଲି ଆଇଏମ୍‌ଡି ପକ୍ଷରୁ କୁହାଯାଇଛି।

ଦିଲ୍ଲୀ ଓ ଏନସିଆର୍‌ରେ ଜାନୁଆରି ୧୭ ପର୍ଯ୍ୟନ୍ତ ଘନକୁହୁଡ଼ି ଦୃଶ୍ୟମାନ ହେବ। ସୋମବାରର ଆଇଏମ୍‌ଡି ତଥ୍ୟ ଅନୁଯାୟୀ, ଦିଲ୍ଲୀର ସଫଦରଜଙ୍ଗରେ ସବୁଠୁ କମ୍‌ ୩.୨ ଡିଗ୍ରି ତାପମାତ୍ରା ରେକର୍ଡ଼ କରାଯାଇଥିଲା। ଆୟାନଗରଠାରେ ସବୁଠୁ କମ୍‌ ତାପମାତ୍ରା ରେକର୍ଡ଼ କରାଯାଇଥିଲା। ପାଲମରେ ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରି ରହିଥିଲା।

ସଫଦରଜଙ୍ଗରେ ୪ ଡିଗ୍ରି ସେଲସିୟସ୍‌ ତାପମାତ୍ରା ରହିଥିଲା। ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆର୍ନ୍ତଜାତିକ ବିମାନବନ୍ଦରରେ କ୍ୟାଟ୍ ୩ କଟକଣା ଲାଗୁ କରାଯାଇଛି। ଘନକୁହୁଡ଼ି ଯୋଗୁ ଦୃଶ୍ୟମାନ ଦୂରତା କମି ଯାଇଥିବାରୁ ଏହି କଟକଣା ଲାଗୁ କରାଯାଇଛି। ବିମାନ ବନ୍ଦର ଅଞ୍ଚଳରେ ଘନକୁହୁଡ଼ି ଥିବାରୁ ସକାଳ ୮ଟାରେ ଜାରି ନୋଟିସରେ ଯାତ୍ରୀମାନଙ୍କୁ ସେମାନଙ୍କ ବିମାନ ସ୍ଥିତି ଯାଞ୍ଚ କରିବାକୁ କୁହାଯାଇଛି।

Leave a Reply

Your email address will not be published. Required fields are marked *