ଡିଲିମିଟେସନ୍ ବିଲ୍କୁ ନେଇ ଦେଶର ରାଜନୀତି ଏବେ ସରଗରମ। ପ୍ରସ୍ତାବିତ ବିଲ୍କୁ ବିରୋଧ କରିବା ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି ବିରୋଧୀ ଦଳ। ଶନିବାର ନୂଆଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ବାସଭବନରେ INDIA ମେଣ୍ଟର ନେତାମାନେ ଏକାଠି ହୋଇଥିଲେ। ବୈଠକ ପରେ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସରକାର ଓ ବିଜେପିକୁ କଡ଼ା ଟାର୍ଗେଟ୍ କରିଛନ୍ତି ଖଡ଼ଗେ।
ଡିଲିମିଟେସନ୍ ବିଲ୍କୁ ନେଇ ବିଜେପିର ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି ଖଡ଼ଗେ। ତାଙ୍କ ଅଭିଯୋଗ ଅନୁସାରେ, ଏହି ବିଲ୍ ଜରିଆରେ ବିଜେପି ଦୀର୍ଘଦିନ ଧରି କ୍ଷମତାରେ ରହିବାକୁ ଯୋଜନା କରୁଛି। ପୂର୍ବ ନିର୍ବାଚନରେ ବିଜେପି ‘୪୦୦ ପାର୍’ ନାରା ଦେଇଥିଲା। ଏବେ ଲୋକସଭା ଆସନ ସଂଖ୍ୟା ବୃଦ୍ଧି ପ୍ରସ୍ତାବ ଆସିବା ପରେ ଆଗାମୀ ନିର୍ବାଚନରେ ‘ଅବ୍କି ବାର୍ ୮୦୦ ପାର୍’ ନାରା ଦେଇପାରେ ବୋଲି କଟାକ୍ଷ କରିଛନ୍ତି ସେ।
ଖଡ଼ଗେଙ୍କ ମତରେ, ଏହା କେବଳ ମହିଳା ସଂରକ୍ଷଣର ପ୍ରସଙ୍ଗ ନୁହେଁ। ବରଂ ଦେଶର ରାଜନୈତିକ କ୍ଷମତାକୁ ନିଜ ନିୟନ୍ତ୍ରଣରେ ରଖିବା ପାଇଁ ଏହା ଏକ ଉଦ୍ୟମ।
ପ୍ରସ୍ତାବିତ ଡିଲିମିଟେସନ୍ ବିଲ୍ରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଙ୍କ ସ୍ୱାର୍ଥକୁ ଅଣଦେଖା କରାଯାଇଥିବା ଅଭିଯୋଗ ଆଣିଛନ୍ତି ଖଡ଼ଗେ। ସମ୍ବିଧାନ ଅନୁସାରେ SC ଓ ST ବର୍ଗଙ୍କ ପାଇଁ ସଂରକ୍ଷିତ ଆସନ ବୃଦ୍ଧି ହେବା ଦରକାର। କିନ୍ତୁ ପ୍ରସ୍ତାବିତ ବିଲ୍ରେ ଏଥିପାଇଁ ସ୍ପଷ୍ଟ ବ୍ୟବସ୍ଥା ନଥିବା ସେ କହିଛନ୍ତି।
ତାଙ୍କ ଯୁକ୍ତି ଅନୁସାରେ, ଆଗାମୀ ଜନଗଣନାର ତଥ୍ୟ ଆଧାରରେ ଡିଲିମିଟେସନ୍ କରାଗଲେ SC-ST ବର୍ଗଙ୍କ ଜନସଂଖ୍ୟା ଅନୁପାତ ଅନୁଯାୟୀ ସଂରକ୍ଷିତ ଆସନ ବଢ଼ିପାରିବ। କିନ୍ତୁ ବିଜେପି ଏହି ବର୍ଗଙ୍କୁ ସେମାନଙ୍କ ଅଧିକାର ଦେବାକୁ ଚାହୁଁନଥିବା ଅଭିଯୋଗ କରିଛନ୍ତି ଖଡ଼ଗେ।
ଡିଲିମିଟେସନ୍ ପ୍ରକ୍ରିୟାରେ ନିର୍ବାଚନ ଆୟୋଗର ଭୂମିକାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ଅଧ୍ୟକ୍ଷ। ଖଡ଼ଗେଙ୍କ ଦାବି ଅନୁସାରେ, ୧୦ କୋଟିରୁ ଅଧିକ ଭୋଟରଙ୍କ ନାଁ ଭୋଟର ତାଲିକାରୁ ହଟାଯାଇଛି। ଏପରି ସ୍ଥିତିରେ ନିର୍ବାଚନ ଆୟୋଗକୁ ଡିଲିମିଟେସନ୍ ପ୍ରକ୍ରିୟାର ଦାୟିତ୍ୱ ଦେବା ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି।
ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି ଖଡ଼ଗେ। ତାଙ୍କ ନେତୃତ୍ୱରେ ଡିଲିମିଟେସନ୍ ହେଲେ ଅଧିକ ଅନିୟମିତତା ହେବାର ଆଶଙ୍କା ରହିଛି ବୋଲି ସେ ମତ ଦେଇଛନ୍ତି।
ଡିଲିମିଟେସନ୍ ପ୍ରକ୍ରିୟାରେ ନିର୍ବାଚନମଣ୍ଡଳୀର ଭୌଗୋଳିକ ସୀମାକୁ ରାଜନୈତିକ ସୁବିଧା ଅନୁସାରେ ବଦଳାଯାଇପାରେ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ଖଡ଼ଗେ। ଏଥିପାଇଁ ସେ ଆସାମ ଓ ଜମ୍ମୁ-କଶ୍ମୀରରେ ହୋଇଥିବା ପୂର୍ବ ଡିଲିମିଟେସନ୍ର ଉଦାହରଣ ଦେଇଛନ୍ତି।
ତାଙ୍କ ଅଭିଯୋଗ ହେଉଛି, ଏହି ପ୍ରକ୍ରିୟା ଜରିଆରେ କ୍ଷମତାସୀନ ଦଳ ନିଜ ରାଜନୈତିକ ଫାଇଦା ପାଇଁ ନିର୍ବାଚନମଣ୍ଡଳୀର ସୀମା ପରିବର୍ତ୍ତନ କରିପାରେ।
ପୂର୍ବରୁ ଆସିଥିବା ଡିଲିମିଟେସନ୍ ସମ୍ପର୍କିତ ବିଲ୍ ସଂସଦରେ ଗୃହୀତ ହୋଇପାରିନଥିଲା। ଏହାକୁ ନେଇ ଖଡ଼ଗେ ବିଜେପିକୁ ଟାର୍ଗେଟ୍ କରିଛନ୍ତି। ଟିଏମ୍ସି, ଏନ୍ସିପି ଓ ଶିବସେନା ଭଳି ଦଳରେ ବିଭାଜନ ହେବା ପରେ ଏବେ ସଂଖ୍ୟାବଳ ନିଜ ସପକ୍ଷରେ ଥିବା ଅନୁଭବ କରି ସରକାର ସଂସଦର ସ୍ୱତନ୍ତ୍ର ଅଧିବେଶନ ଡାକିଥିବା ଅଭିଯୋଗ କରିଛନ୍ତି ସେ।
ଅନ୍ୟପଟେ ଖଡ଼ଗେଙ୍କ ବାସଭବନରେ ହୋଇଥିବା ବୈଠକରେ ଶରଦ ପାୱାରଙ୍କ ଏନ୍ସିପି (ଏସ୍ପି) ଯୋଗ ଦେଇନଥିଲା। ଦଳ ପୂର୍ବରୁ ସଂଶୋଧିତ ଡିଲିମିଟେସନ୍ ପ୍ରସ୍ତାବକୁ ସର୍ତ୍ତସାପେକ୍ଷ ସମର୍ଥନ ଜଣାଇଥିବାରୁ ଏହି ଅନୁପସ୍ଥିତି ରାଜନୈତିକ ଚର୍ଚ୍ଚାକୁ ବଢ଼ାଇଛି।
ସେହିପରି ଡିଏମ୍କେ, ଆପ୍ ଓ ବିଜେଡି ଭଳି INDIA ମେଣ୍ଟ ବାହାରେ ଥିବା ବିରୋଧୀ ଦଳକୁ ମଧ୍ୟ ବୈଠକକୁ ଡକାଯାଇଥିଲା। ହେଲେ ସେମାନେ ଏଥିରେ ଯୋଗ ଦେଇନଥିଲେ।
ଡିଲିମିଟେସନ୍ ବିଲ୍କୁ ନେଇ କେନ୍ଦ୍ର ସରକାର ଓ ବିରୋଧୀଙ୍କ ମଧ୍ୟରେ ମତଭେଦ ଏବେ ଆହୁରି ତୀବ୍ର ହେବାର ସଙ୍କେତ ମିଳୁଛି। ମହିଳା ସଂରକ୍ଷଣ, ଲୋକସଭା ଆସନ ବୃଦ୍ଧି, SC-ST ସଂରକ୍ଷଣ ଓ ନିର୍ବାଚନ ଆୟୋଗର ଭୂମିକାକୁ ନେଇ ସଂସଦରେ ଜୋରଦାର ଆଲୋଚନା ହେବା ସମ୍ଭାବନା ରହିଛି। ଏବେ ସମସ୍ତଙ୍କ ନଜର ସଂସଦର ସ୍ୱତନ୍ତ୍ର ଅଧିବେଶନ ଉପରେ।

