ରାଜଧାନୀରେ ଜାଡ଼ । ଗୁରୁବାର ଭୋର ୫ଟା ୩୦ରେ ଭୁବନେଶ୍ବରର ତାପମାତ୍ରା ୧୦ ଡିଗ୍ରୀ ଛୁଇଁଛି । ଗତ କିଛି ଦିନ ଧରି ଲଗାତର ରାଜଧାନୀର ତାପମାତ୍ରା ଖସିବାରେ ଲାଗିଛି । ଗତ ୪ ତାରିଖରେ ଭୋର ୫ଟା ୩୦ରେ ତାପମାତ୍ରା ୧୮.୬ ଡିଗ୍ରୀ ଥିବା ବେଳେ ଗୁରୁବାର ୮ ତାରିଖ ବେଳକୁ ୧୦.୮ ଡିଗ୍ରୀକୁ ଖସି ଆସିଛି ।
ସେପଟେ ଦାରିଙ୍ଗବାଡ଼ିରେ ପୁଣି ଶୀତ ଲେଉଟିଛି । ଗତ ୭ ଦିନ ଧରି ଦାରିଙ୍ଗବାଡ଼ିର ତାପମାତ୍ରା ୧୦ ଡିଗ୍ରୀ ତଳେ ରହୁଥିବା ବେଳେ ଦୁଇଦିନ ଧରି ତୁଷାରପାତ ଦେଖିବାକୁ ମିଳିଛି । ବାଡ଼ାବାଙ୍ଗା, କିଲାବାଡ଼ି, ରାଜୀବ ନଗର, ଗୁମିକିଆ ଆଦି ଗ୍ରାମର ବିଭିନ୍ନ ବିଲ କ୍ଷେତ ପାଳ ଗଦାରେ ତୁଷାର ପାତ ଦେଖିବାକୁ ମିଳିଛି । ପ୍ରବଳ ଶୀତ ଯୋଗୁଁ ଲୋକେ ଘରୁ ବାହାରକୁ ବାହାରି ପାରୁ ନାହାନ୍ତି ।
ଅପରାହ୍ନ ୪ଟା ରୁ ଶୀତର ପ୍ରକୋପ ଆରମ୍ଭ ହୋଇ ଯାଉଛି । ଅସହ୍ୟ ଶୀତରୁ ରକ୍ଷା ପାଇବା ପାଇଁ ଅସହାୟ ଗରିବ ମୁଣ୍ଡ ଉପରେ ଛାତ ନଥିବା ଲୋକଙ୍କ ନିଆଁ ହିଁ ପାଲଟିଛି ସାହା ଭରସା । ସ୍ଥାନେ ସ୍ଥାନେ ନିଆଁ ଲଗାଇ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ବସି ରହୁଛନ୍ତି । ୯ ତାରିଖ ଯାଏ ପଶ୍ଚିମରୁ ଉପକୂଳ, ଅଧିକାଂଶ ଜିଲ୍ଲାରେ ଶୀତ ଲହରୀ ରହିବ ବୋଲି ସତର୍କ କରାଇଛି ପାଣିପାଗ ବିଭାଗ ।
କୋରାପୁଟରେ ବି ପ୍ରବଳ ଶୀତ । ଶୀତରେ ଥରୁଛି କୋରାପୁଟ ଜିଲ୍ଲା । ପ୍ରବଳ ଶୀତ ଯୋଗୁଁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ସେହିଭଳି ଶୀତରେ ଥରୁଛି ସାରା ମୟୂରଭଞ୍ଜ । ଦିନ ତମାମ ଉତ୍ତରା ପବନ ପ୍ରବାହିତ ହେଉ ଥିବାରୁ ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଛି। ମୟୂରଭଞ୍ଜର ୨୬ଟି ବ୍ଲକ ମଧ୍ୟରୁ ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ପାଖାପାଖି ରହୁଛି, ତେବେ ଶିମିଳିପାଳ ପାଦ ଦେଶରେ ଥିବା ଯଶିପୁର, ଶୁକୃଳି, ରରୁଆଁ, ଠାକୁରମୁଣ୍ଡା, କରଞ୍ଜିଆ, ବିଶୋଇ, ବାଙ୍ଗରିପୋଷୀ, ବାରିପଦା ପ୍ରଭୃତି ଅଞ୍ଚଳରେ ପ୍ରବଳ ଶୀତ ଅନୁଭୂତ ହେଉଛି ।
ଗୁରୁବାର ଶିମିଳିପାଳର ସର୍ବନିମ୍ନ ତାପମାତ୍ରା ଶୂନ ଡିଗ୍ରୀ ରେକର୍ଡ ହୋଇଛି । ତେବେ ଶିମିଳିପାଳର ଉପର-ବାରାକାମୁଡ଼ାରେ ଶୂନ ଡିଗ୍ରୀ, ଚହଲା ୦୨ ଡିଗ୍ରୀ, ନଅଣା ୦୪ ଡିଗ୍ରୀ, ବରେହିପାଣି ୦୫ ଡିଗ୍ରୀ ଓ ଗୁଡୁ ଗୁଡ଼ିଆ ୦୩ ଡିଗ୍ରୀ, ସାତକୋଶିଆ ୧୦ ଡିଗ୍ରୀ, ରାମତୀର୍ଥ ୦୯ ଡିଗ୍ରୀ ଏବଂ କିଆଝରି ଠାରେ ୧୧ ଡିଗ୍ରୀ ରେକର୍ଡ ହୋଇଛି ।

