ବାଂଲାଦେଶ ଫେରିବେ କି ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା? ଡିସେମ୍ବରରେ ସ୍ୱଦେଶ ଫେରିବା ନେଇ ଯୋଜନା ଚାଲିଥିବା ଖବର ମଧ୍ୟରେ ଏବେ ସାମ୍ନାକୁ ଆସିଛି ଏକ ବଡ଼ ରାଜନୈତିକ ଚର୍ଚ୍ଚା। ହାସିନାଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ଭାରତ ଢାକା ନିକଟରୁ ଦୁଇଟି ଗ୍ୟାରେଣ୍ଟି ଚାହୁଁଥିବା ବିବିସି ବାଂଲାର ଏକ ରିପୋର୍ଟରେ ଦାବି କରାଯାଇଛି। ପ୍ରଥମଟି ହେଉଛି ହାସିନାଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ଏବଂ ଦ୍ୱିତୀୟଟି ହେଉଛି ତାଙ୍କ ବିରୋଧରେ ଚାଲିଥିବା ମାମଲାରେ ସ୍ୱଚ୍ଛ ଓ ନିରପେକ୍ଷ ନ୍ୟାୟିକ ପ୍ରକ୍ରିୟା। ତେବେ ଏହି ଦୁଇଟି ସର୍ତ୍ତ ଉପରେ ବାଂଲାଦେଶ ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ପ୍ରତିକ୍ରିୟା ଆସିନାହିଁ।
ବିବିସି ବାଂଲାର ରିପୋର୍ଟ ଅନୁସାରେ, ୨୦୨୪ ଅଗଷ୍ଟ ୫ ତାରିଖରେ ବାଂଲାଦେଶ ଛାଡ଼ି ଶେଖ୍ ହାସିନା ବାଂଲାଦେଶ ସେନାର ଏକ ବିମାନରେ ଭାରତ ଆସିଥିଲେ। ତେଣୁ ତାଙ୍କୁ ପୁଣି ସ୍ୱଦେଶ ଫେରାଇ ନେବାର ଦାୟିତ୍ୱ ମଧ୍ୟ ବାଂଲାଦେଶ ସେନା ନେଉ ବୋଲି ଭାରତ ଚାହୁଁଥିବା ରିପୋର୍ଟରେ ଦାବି କରାଯାଇଛି।
ଏଥିପାଇଁ ଢାକାରୁ ଏକ ସାମରିକ ବିମାନ ଦିଲ୍ଲୀ ଆସିପାରେ କିମ୍ବା ଭାରତ-ବାଂଲାଦେଶ ସୀମାର କୌଣସି ନିର୍ଦ୍ଦିଷ୍ଟ ସ୍ଥାନରେ ବାଂଲାଦେଶ ସେନା ତାଙ୍କୁ ଗ୍ରହଣ କରିପାରେ। ଏହି ପ୍ରକ୍ରିୟାରେ ଆବଶ୍ୟକ ଲଜିଷ୍ଟିକ୍ ସହାୟତା ଦେବାକୁ ଭାରତ ପ୍ରସ୍ତୁତ ଥିବା ମଧ୍ୟ ରିପୋର୍ଟରେ ଉଲ୍ଲେଖ ରହିଛି।
ହାସିନାଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ଦ୍ୱିତୀୟ ବଡ଼ ପ୍ରସଙ୍ଗ ହେଉଛି ତାଙ୍କ ବିରୋଧରେ ଚାଲିଥିବା ଆଇନଗତ ପ୍ରକ୍ରିୟା। ୨୦୨୪ ଜୁଲାଇ ଆନ୍ଦୋଳନ ସମୟରେ ହୋଇଥିବା ହିଂସା ଓ ଦମନଲୀଳା ସମ୍ପର୍କିତ ମାମଲାରେ ବାଂଲାଦେଶର ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ୍ ଗତବର୍ଷ ନଭେମ୍ବରରେ ହାସିନାଙ୍କ ଅନୁପସ୍ଥିତିରେ ମୃତ୍ୟୁଦଣ୍ଡ ଶୁଣାଇଥିଲା। ତେବେ ହାସିନା ଏହି ଅଭିଯୋଗକୁ ଖଣ୍ଡନ କରିଆସୁଛନ୍ତି।
ରିପୋର୍ଟ ଅନୁସାରେ, ଭାରତ ଚାହୁଁଛି ଯେ ହାସିନାଙ୍କୁ ମୃତ୍ୟୁଦଣ୍ଡ ବିରୋଧରେ ଅପିଲ୍ କରିବାର ସୁଯୋଗ ମିଳୁ। ଏହା ସହିତ ମାମଲାର ପୁନଃବିଚାର ଏକ ସ୍ୱଚ୍ଛ ଓ ନିରପେକ୍ଷ ପରିବେଶରେ ହେଉ। ଏହି ନ୍ୟାୟିକ ପ୍ରକ୍ରିୟା ଉପରେ ଅନ୍ତର୍ଜାତୀୟ ସମୁଦାୟ ଓ ଗଣମାଧ୍ୟମର ନଜର ରହୁ ବୋଲି ମଧ୍ୟ ନୂଆଦିଲ୍ଲୀ ଚାହୁଁଥିବା ରିପୋର୍ଟରେ ଦାବି କରାଯାଇଛି।
ଏହି ସବୁ ଚର୍ଚ୍ଚା ମଧ୍ୟରେ ନଭେମ୍ବର ୯ ତାରିଖରେ ଶେଖ୍ ହାସିନା ନୂଆ ପାସପୋର୍ଟ ଓ ଜାତୀୟ ପରିଚୟପତ୍ର ପାଇଁ ଆବେଦନ କରିଥିବା ଖବର ସାମ୍ନାକୁ ଆସିଥିଲା। ଡିସେମ୍ବରରେ ବାଂଲାଦେଶ ଫେରି ଅଦାଲତରେ ଆତ୍ମସମର୍ପଣ କରିବା ଯୋଜନାର ଏହା ଏକ ପଦକ୍ଷେପ ବୋଲି ରଏଟର୍ସ ରିପୋର୍ଟ କରିଛି। ତେବେ ବାଂଲାଦେଶ ସରକାର ତାଙ୍କ ଆବେଦନକୁ ଖାରଜ କରିଥିବା ନେଇ ମଧ୍ୟ ଖବର ରହିଛି।
ଅନ୍ୟପଟେ, ଅକ୍ଟୋବର ୬ ତାରିଖରେ ଭାରତୀୟ ଉଚ୍ଚାୟୁକ୍ତ ଦିନେଶ ତ୍ରିବେଦୀ ଭାରତୀୟ ସେନାମୁଖ୍ୟ ଜେନେରାଲ ଧୀରଜ ସେଠଙ୍କୁ ଭେଟିଥିଲେ। ଏହି ବୈଠକରେ ଦୁଇ ଦେଶର ସହଯୋଗ ଓ ପ୍ରତିରକ୍ଷା ସମ୍ପର୍କକୁ ଆହୁରି ମଜବୁତ କରିବା ନେଇ ଆଲୋଚନା ହୋଇଥିବା ଭାରତୀୟ ସେନା ପକ୍ଷରୁ କୁହାଯାଇଥିଲା। ତେବେ ଏହି ବୈଠକର ଶେଖ୍ ହାସିନାଙ୍କ ପ୍ରତ୍ୟାବର୍ତ୍ତନ ସହ କୌଣସି ସମ୍ପର୍କ ରହିଛି କି ନାହିଁ, ସେନେଇ କୌଣସି ଆଧିକାରିକ ସ୍ପଷ୍ଟୀକରଣ ଦିଆଯାଇନାହିଁ।
ଶେଖ୍ ହାସିନାଙ୍କ ସ୍ୱଦେଶ ପ୍ରତ୍ୟାବର୍ତ୍ତନକୁ ନେଇ ଏବେ ଭାରତ ଓ ବାଂଲାଦେଶର କୂଟନୈତିକ ସମୀକରଣ ଉପରେ ନଜର ରହିଛି। ଗୋଟିଏ ପଟେ ତାଙ୍କ ସୁରକ୍ଷା ଓ ନ୍ୟାୟିକ ପ୍ରକ୍ରିୟାକୁ ନେଇ ଦୁଇଟି ଗ୍ୟାରେଣ୍ଟି ଚାହୁଁଥିବା ନେଇ ରିପୋର୍ଟ ଆସିଛି, ଅନ୍ୟପଟେ ବାଂଲାଦେଶ ସରକାର ଏହି ପ୍ରସଙ୍ଗରେ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ମତ ରଖିନାହାନ୍ତି।
ତେଣୁ ଡିସେମ୍ବରରେ ଶେଖ୍ ହାସିନା ସ୍ୱଦେଶ ଫେରିବେ କି ନାହିଁ, ତାହା ଏବେ ବି ଅନିଶ୍ଚିତ। ଆଗାମୀ ଦିନରେ ଢାକା ଓ ନୂଆଦିଲ୍ଲୀ ମଧ୍ୟରେ ଏହି ପ୍ରସଙ୍ଗକୁ ନେଇ କି ପଦକ୍ଷେପ ନିଆଯାଉଛି, ତାହା ଉପରେ ସମସ୍ତଙ୍କ ନଜର।

