ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି। ଆୟଠାରୁ ଅଧିକ ସମ୍ପତ୍ତି ଠୁଳ ଅଭିଯୋଗର ତଦନ୍ତକୁ ନେଇ ସୁପ୍ରିମକୋର୍ଟ ଦେଇଛନ୍ତି ଗୁରୁତ୍ୱପୂର୍ଣ୍ଣ ରାୟ। CBI ଓ EDକୁ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଥିବା ଆହ୍ଲାବାଦ ହାଇକୋର୍ଟଙ୍କ ପୂର୍ବ ଆଦେଶକୁ ରଦ୍ଦ କରିଛନ୍ତି ସର୍ବୋଚ୍ଚ ଅଦାଲତ। ଏହା ସହ ମାମଲାର ପୁନର୍ବିଚାର ପାଇଁ ପୁଣି ଆହ୍ଲାବାଦ ହାଇକୋର୍ଟଙ୍କ ନିକଟକୁ ପଠାଇ ଦିଆଯାଇଛି।
ବୁଧବାର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି। ହାଇକୋର୍ଟଙ୍କ ପକ୍ଷରୁ CBI ଓ EDକୁ ତଦନ୍ତ ସମ୍ପର୍କରେ ଦିଆଯାଇଥିବା ପୂର୍ବ ନିର୍ଦ୍ଦେଶକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ତେବେ ମାମଲାଟି ସମ୍ପୂର୍ଣ୍ଣ ଶେଷ ହୋଇନାହିଁ। ଏହାର ପରବର୍ତ୍ତୀ ବିଚାର ଏବେ ହାଇକୋର୍ଟରେ ହେବ।
ଏହି ମାମଲାର ଆରମ୍ଭ ହୋଇଥିଲା କର୍ଣ୍ଣାଟକର ବିଜେପି କର୍ମୀ ଏସ୍. ବିଗ୍ନେଶ ଶିଶିରଙ୍କ ଆବେଦନରୁ। ରାହୁଲ ଗାନ୍ଧିଙ୍କ ପାଖରେ ତାଙ୍କ ଜଣାଶୁଣା ଆୟର ଉତ୍ସ ତୁଳନାରେ ଅଧିକ ସମ୍ପତ୍ତି ଥିବା ନେଇ ସେ ଅଭିଯୋଗ ଆଣିଥିଲେ। କେବଳ ରାହୁଲ ଗାନ୍ଧି ନୁହନ୍ତି, ତାଙ୍କ ପରିବାରର ଅନ୍ୟ ସଦସ୍ୟଙ୍କ ବିରୋଧରେ ମଧ୍ୟ ଯାଞ୍ଚ କରିବାକୁ ଆବେଦନରେ ଦାବି କରାଯାଇଥିଲା।
ଏହି ଅଭିଯୋଗକୁ ଆଧାର କରି ଆବେଦନକାରୀ ତଦନ୍ତକାରୀ ସଂସ୍ଥା CBI ଓ ED ଦ୍ୱାରା ଯାଞ୍ଚ କରାଇବାକୁ ଦାବି କରିଥିଲେ। ପରବର୍ତ୍ତୀ ସମୟରେ ମାମଲାଟି ଆହ୍ଲାବାଦ ହାଇକୋର୍ଟରେ ପହଞ୍ଚିଥିଲା।
ଆବେଦନର ଶୁଣାଣି କରି ଆହ୍ଲାବାଦ ହାଇକୋର୍ଟ CBI ଓ EDକୁ ଅଭିଯୋଗଗୁଡ଼ିକର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ତଦନ୍ତର ଅଗ୍ରଗତି ସମ୍ପର୍କରେ ଅଦାଲତଙ୍କୁ ଅବଗତ କରିବାକୁ ମଧ୍ୟ କୁହାଯାଇଥିଲା।
ଏହି ମାମଲାରେ CBI ପକ୍ଷରୁ ଦାଖଲ ହୋଇଥିବା ସତ୍ୟପାଠକୁ ନେଇ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଥିଲେ। ତଦନ୍ତର ସ୍ଥିତି ସମ୍ପର୍କରେ ଅଧିକ ବିସ୍ତୃତ ତଥ୍ୟ ଦେଇ ନୂଆ ସତ୍ୟପାଠ ଦାଖଲ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ମାମଲାଟି ଆଇନଗତ ଦୃଷ୍ଟିରୁ ଆହୁରି ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଥିଲା।
ଆହ୍ଲାବାଦ ହାଇକୋର୍ଟଙ୍କ ଆଦେଶକୁ ନେଇ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ରାହୁଲ ଗାନ୍ଧିଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଲ ସିବଲ ସର୍ବୋଚ୍ଚ ଅଦାଲତରେ ନିଜ ପକ୍ଷ ରଖିଥିଲେ।
ଏହା ପୂର୍ବରୁ ସୁପ୍ରିମକୋର୍ଟ ଆହ୍ଲାବାଦ ହାଇକୋର୍ଟରେ ଚାଲିଥିବା ପ୍ରକ୍ରିୟାକୁ ସ୍ଥଗିତ ରଖିଥିଲେ। ଏଥିସହ CBI ଓ EDକୁ ହାଇକୋର୍ଟରେ କୌଣସି ରିପୋର୍ଟ ଦାଖଲ ନକରିବାକୁ କୁହାଯାଇଥିଲା।
ବୁଧବାର ସୁପ୍ରିମକୋର୍ଟ ଆହ୍ଲାବାଦ ହାଇକୋର୍ଟଙ୍କ ପୂର୍ବ ତଦନ୍ତ ସମ୍ପର୍କିତ ନିର୍ଦ୍ଦେଶକୁ ରଦ୍ଦ କରିବା ସହ ମାମଲାର ପୁନର୍ବିଚାର ପାଇଁ ହାଇକୋର୍ଟକୁ ଫେରାଇଛନ୍ତି। ଫଳରେ ଏବେ ଆହ୍ଲାବାଦ ହାଇକୋର୍ଟରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।
ତେବେ ସୁପ୍ରିମକୋର୍ଟଙ୍କ ଏହି ରାୟକୁ ରାହୁଲ ଗାନ୍ଧିଙ୍କ ବିରୋଧରେ ଥିବା ଅଭିଯୋଗରୁ ଚୂଡ଼ାନ୍ତ ମୁକ୍ତି ଭାବେ ଦେଖାଯାଇପାରିବ ନାହିଁ। କାରଣ ମାମଲାର ପୁନର୍ବିଚାର ହେବାକୁ ଥିବାରୁ ଏହାର ପରବର୍ତ୍ତୀ ଆଇନଗତ ପଦକ୍ଷେପ ଉପରେ ଏବେ ସମସ୍ତଙ୍କ ନଜର ରହିଛି।

