ଭୁବନେଶ୍ୱର: ଆପଣ ହ୍ୱାଟ୍ସଆପ୍ ବ୍ୟବହାର କରୁଛନ୍ତି କି? ଅଫିସ୍ ହେଉ କି ଘର, ମୋବାଇଲ୍ ସହ କମ୍ପ୍ୟୁଟରରେ ମଧ୍ୟ ହ୍ୱାଟ୍ସଆପ୍ ଚାଟ୍ ଖୋଲୁଛନ୍ତି କି? ତେବେ ଟିକିଏ ସାବଧାନ ହୋଇଯାଆନ୍ତୁ। ଆପଣଙ୍କର ଏକ ଛୋଟ ଭୁଲ୍ ଆପଣଙ୍କ ବ୍ୟକ୍ତିଗତ ଚାଟ୍, ଫଟୋ ଓ ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ଅନ୍ୟ ହାତରେ ପହଞ୍ଚାଇପାରେ। ଏପରିକି ଆପଣଙ୍କ ହ୍ୱାଟ୍ସଆପ୍ ଆକାଉଣ୍ଟକୁ ବ୍ୟବହାର କରି ଅନ୍ୟ କେହି ଠକେଇ କରିବାର ଆଶଙ୍କା ମଧ୍ୟ ରହିଛି।
ଏଭଳି ସାଇବର ବିପଦକୁ ନେଇ ଏବେ ହ୍ୱାଟ୍ସଆପ୍ ୟୁଜର୍ସଙ୍କୁ ସତର୍କ କରାଇଛି କେନ୍ଦ୍ର ସରକାର। ଗୃହ ମନ୍ତ୍ରଣାଳୟ ଅଧୀନସ୍ଥ ଇଣ୍ଡିଆନ୍ ସାଇବର କ୍ରାଇମ୍ କୋର୍ଡିନେସନ୍ ସେଣ୍ଟର୍ର ନ୍ୟାସନାଲ୍ ସାଇବରକ୍ରାଇମ୍ ଥ୍ରେଟ୍ ଆନାଲିଟିକ୍ସ ୟୁନିଟ୍ ପକ୍ଷରୁ ହ୍ୱାଟ୍ସଆପ୍ ୱେବ୍ର ସୁରକ୍ଷିତ ବ୍ୟବହାର ନେଇ ଏକ ଆଡଭାଇଜରୀ ଜାରି କରାଯାଇଛି।
ଏହି ଆଡଭାଇଜରୀରେ ବିଶେଷ କରି କମ୍ପ୍ୟୁଟରରେ ହ୍ୱାଟ୍ସଆପ୍ ୱେବ୍ ବ୍ୟବହାର କରୁଥିବା ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି। ତେବେ କେଉଁ ଭୁଲ୍ କଲେ ଆପଣଙ୍କ ଗୋପନୀୟ ଚାଟ୍ ଅନ୍ୟ ହାତକୁ ଚାଲିଯାଇପାରେ? କ’ଣ କରିବାକୁ ପଡ଼ିବ ଏବଂ କେଉଁ ସ୍ଥାନରେ ହ୍ୱାଟ୍ସଆପ୍ ୱେବ୍ ବ୍ୟବହାର କରିବା ଅନୁଚିତ୍? ଆସନ୍ତୁ ଜାଣିବା।
ଅନେକ ଲୋକ ଅଫିସ୍ କିମ୍ବା ଅନ୍ୟ କମ୍ପ୍ୟୁଟରରେ ହ୍ୱାଟ୍ସଆପ୍ ୱେବ୍ ଖୋଲି ନିଜର ମେସେଜ୍ ଦେଖନ୍ତି। କାମ ସରିବା ପରେ କେବଳ ବ୍ରାଉଜର୍ ଟ୍ୟାବ୍ କିମ୍ବା ୱିଣ୍ଡୋ ବନ୍ଦ କରି ଚାଲିଯାଆନ୍ତି। ହେଲେ ଏହା ଏକ ବଡ଼ ଭୁଲ୍।
କାରଣ କେବଳ ଟ୍ୟାବ୍ ବନ୍ଦ କରିଦେଲେ ଆପଣଙ୍କ ହ୍ୱାଟ୍ସଆପ୍ ଆକାଉଣ୍ଟ ଲଗ୍ଆଉଟ୍ ହୁଏନାହିଁ। କମ୍ପ୍ୟୁଟରରେ ଆପଣଙ୍କ ଲଗ୍ଇନ୍ ସେସନ୍ ସକ୍ରିୟ ରହିପାରେ। ଫଳରେ ପରବର୍ତ୍ତୀ ସମୟରେ ସେହି କମ୍ପ୍ୟୁଟରକୁ ବ୍ୟବହାର କରୁଥିବା ଅନ୍ୟ ବ୍ୟକ୍ତି ଆପଣଙ୍କ ହ୍ୱାଟ୍ସଆପ୍ ଆକାଉଣ୍ଟ ଖୋଲିପାରନ୍ତି।
ଏହାଦ୍ୱାରା ଆପଣଙ୍କ ବ୍ୟକ୍ତିଗତ ମେସେଜ୍, କଣ୍ଟାକ୍ଟ, ଗ୍ରୁପ୍ ଚାଟ୍ ଓ ଅନ୍ୟାନ୍ୟ ତଥ୍ୟ ଅନ୍ୟ ଲୋକଙ୍କ ହାତକୁ ଯାଇପାରେ। ତେଣୁ ପ୍ରତିଥର ହ୍ୱାଟ୍ସଆପ୍ ୱେବ୍ ବ୍ୟବହାର କରିବା ପରେ ମାନୁଆଲ୍ ଭାବେ ଲଗ୍ଆଉଟ୍ କରିବା ଜରୁରୀ।
ସରକାରଙ୍କ ଆଡଭାଇଜରୀରେ ସାଇବର କାଫେ, ପବ୍ଲିକ୍ କିଓସ୍କ, ହୋଟେଲ୍ ବିଜନେସ୍ ସେଣ୍ଟର୍ କିମ୍ବା ଅନ୍ୟ କାହାର କମ୍ପ୍ୟୁଟରରେ ହ୍ୱାଟ୍ସଆପ୍ ୱେବ୍ ଖୋଲିବାଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି।
କାରଣ ଏଭଳି ସାର୍ବଜନୀନ କମ୍ପ୍ୟୁଟରରେ ଆପଣଙ୍କ ଲଗ୍ଇନ୍ ସେସନ୍ ସୁରକ୍ଷିତ ନ ରହିବାର ଆଶଙ୍କା ରହିଥାଏ। ଅନ୍ୟ କେହି ସେହି ସିଷ୍ଟମ୍ ବ୍ୟବହାର କରି ଆପଣଙ୍କ ଚାଟ୍ ଦେଖିପାରନ୍ତି। ଏପରିକି ଆପଣଙ୍କ ନାଁରେ ମେସେଜ୍ ପଠାଇ ସାଙ୍ଗସାଥୀ କିମ୍ବା ପରିବାର ଲୋକଙ୍କୁ ଠକିବାର ସମ୍ଭାବନା ମଧ୍ୟ ରହିଛି।
ତେଣୁ ଜରୁରୀ କାମ ନଥିଲେ ସାର୍ବଜନୀନ କମ୍ପ୍ୟୁଟରରେ ନିଜ ହ୍ୱାଟ୍ସଆପ୍ ଆକାଉଣ୍ଟ ଲଗ୍ଇନ୍ କରନ୍ତୁ ନାହିଁ।
ଯଦି କୌଣସି ଜରୁରୀ କାମ ପାଇଁ କମ୍ପ୍ୟୁଟରରେ ହ୍ୱାଟ୍ସଆପ୍ ୱେବ୍ ଖୋଲିବାକୁ ପଡ଼ୁଛି, ତେବେ ବିଶ୍ୱସ୍ତ କମ୍ପ୍ୟୁଟରରେ ଇନକଗ୍ନିଟୋ ମୋଡ୍ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି।
ଇନକଗ୍ନିଟୋ ମୋଡ୍ ବ୍ରାଉଜିଂ ହିଷ୍ଟ୍ରି ଓ କିଛି ସ୍ଥାନୀୟ ବ୍ରାଉଜର୍ ଡାଟା ସଂରକ୍ଷଣକୁ ସୀମିତ କରିଥାଏ। ତେବେ ଏହା ଆପଣଙ୍କ ଆକାଉଣ୍ଟକୁ ସମ୍ପୂର୍ଣ୍ଣ ସୁରକ୍ଷା ଦିଏନାହିଁ।
ତେଣୁ ଇନକଗ୍ନିଟୋ ମୋଡ୍ ବ୍ୟବହାର କରିଥିଲେ ମଧ୍ୟ କାମ ସରିବା ପରେ ହ୍ୱାଟ୍ସଆପ୍ ୱେବ୍ରୁ ଲଗ୍ଆଉଟ୍ କରିବା ନିହାତି ଜରୁରୀ।
କମ୍ପ୍ୟୁଟରରେ ହ୍ୱାଟ୍ସଆପ୍ ୱେବ୍ ବ୍ୟବହାର କରିବା ସମୟରେ ଆଉ ଏକ ବଡ଼ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି।
ସରକାରୀ ତଥ୍ୟ, ବ୍ୟାଙ୍କ ସମ୍ବନ୍ଧୀୟ ସୂଚନା, ଆର୍ଥିକ ଡକ୍ୟୁମେଣ୍ଟ କିମ୍ବା ଅତ୍ୟନ୍ତ ଗୋପନୀୟ ତଥ୍ୟକୁ କମ୍ପ୍ୟୁଟରର ହ୍ୱାଟ୍ସଆପ୍ ୱେବ୍ ମାଧ୍ୟମରେ ଆଦାନପ୍ରଦାନ ନକରିବାକୁ ପରାମର୍ଶ ଦିଆଯାଇଛି।
କାରଣ ଏଭଳି ତଥ୍ୟ ଯଦି ଅନ୍ୟ କାହା ହାତରେ ପଡ଼େ, ତେବେ ଏହାକୁ ବ୍ୟବହାର କରି ସାଇବର ଠକେଇ କିମ୍ବା ଅନ୍ୟ ଅପରାଧ ଘଟାଯାଇପାରେ।
ହ୍ୱାଟ୍ସଆପ୍ ୟୁଜର୍ସ ନିଜ ଆକାଉଣ୍ଟକୁ ସୁରକ୍ଷିତ ରଖିବା ପାଇଁ କିଛି ଜରୁରୀ ନିୟମ ମାନିବା ଆବଶ୍ୟକ।
1. କାମ ସରିବା ପରେ ହ୍ୱାଟ୍ସଆପ୍ ୱେବ୍ରୁ ନିଶ୍ଚିତ ଭାବେ ଲଗ୍ଆଉଟ୍ କରନ୍ତୁ।
2. ଅଜଣା କିମ୍ବା ସାର୍ବଜନୀନ କମ୍ପ୍ୟୁଟରରେ ହ୍ୱାଟ୍ସଆପ୍ ଲଗ୍ଇନ୍ କରନ୍ତୁ ନାହିଁ।
3. ଅନ୍ୟ କାହା ସହିତ ନିଜର ଲଗ୍ଇନ୍ ଓ OTP ସମ୍ବନ୍ଧୀୟ ତଥ୍ୟ ସେୟାର କରନ୍ତୁ ନାହିଁ।
4. ନିଜ ମୋବାଇଲ୍ରେ ହ୍ୱାଟ୍ସଆପ୍ର Linked Devices ବିଭାଗକୁ ଯାଇ କେଉଁ କେଉଁ ଡିଭାଇସ୍ରେ ଆକାଉଣ୍ଟ ଲଗ୍ଇନ୍ ରହିଛି ଯାଞ୍ଚ କରନ୍ତୁ।
5. ଅଜଣା କିମ୍ବା ଅଚିହ୍ନା ଡିଭାଇସ୍ ଦେଖିଲେ ତୁରନ୍ତ ସେଥିରୁ ଲଗ୍ଆଉଟ୍ କରନ୍ତୁ।
6. ହ୍ୱାଟ୍ସଆପ୍ରେ ଟୁ-ଷ୍ଟେପ୍ ଭେରିଫିକେସନ୍ ସକ୍ରିୟ ରଖନ୍ତୁ।
ଆଜିକାଲି ହ୍ୱାଟ୍ସଆପ୍ କେବଳ ମେସେଜ୍ ପଠାଇବାର ମାଧ୍ୟମ ହୋଇ ରହିନାହିଁ। ଏଥିରେ ବ୍ୟକ୍ତିଗତ ଫଟୋ, ଜରୁରୀ ଡକ୍ୟୁମେଣ୍ଟ, ବ୍ୟବସାୟିକ ତଥ୍ୟ ଓ ଆର୍ଥିକ ସୂଚନା ମଧ୍ୟ ଆଦାନପ୍ରଦାନ ହେଉଛି। ତେଣୁ ଏହାର ସୁରକ୍ଷା ପ୍ରତି ଅବହେଳା କରିବା ମହଙ୍ଗା ପଡ଼ିପାରେ।
ବିଶେଷ କରି ଅଫିସ୍ କିମ୍ବା ଅନ୍ୟ କମ୍ପ୍ୟୁଟରରେ ହ୍ୱାଟ୍ସଆପ୍ ୱେବ୍ ବ୍ୟବହାର କରୁଥିବା ଲୋକେ ଏହି ଆଡଭାଇଜରୀକୁ ଗୁରୁତ୍ୱ ଦେବା ଆବଶ୍ୟକ। ମନେ ରଖନ୍ତୁ, କେବଳ ବ୍ରାଉଜର୍ ଟ୍ୟାବ୍ ବନ୍ଦ କରିବା ଲଗ୍ଆଉଟ୍ର ବିକଳ୍ପ ନୁହେଁ।
ତେଣୁ ଆଜିଠାରୁ ହ୍ୱାଟ୍ସଆପ୍ ୱେବ୍ ବ୍ୟବହାର କରିବା ସମୟରେ ସତର୍କ ରୁହନ୍ତୁ। ନିଜ ଆକାଉଣ୍ଟର ସୁରକ୍ଷା ନିଜ ହାତରେ ରଖନ୍ତୁ।

