ଭୁବନେଶ୍ୱର: ଦୀର୍ଘ ୮ ବର୍ଷର ଅପେକ୍ଷାର ଅନ୍ତ ଘଟିଛି। ରାଜ୍ୟର କଲେଜଗୁଡ଼ିକରେ ପୁଣି ହେବ ଛାତ୍ର ସଂସଦ ନିର୍ବାଚନ। ଛାତ୍ର ସଂସଦ ନିର୍ବାଚନ ପାଇଁ ବାଜିଛି ବିଗୁଲ୍। ପୂଜା ଛୁଟି ପୂର୍ବରୁ ନିର୍ବାଚନ ଶେଷ କରିବାକୁ ଉଚ୍ଚଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଭେଟିବା ପରେ ଛାତ୍ର ସଂସଦ ନିର୍ବାଚନର ତାରିଖ ନେଇ ଘୋଷଣା କରାଯାଇଛି। ମନ୍ତ୍ରୀଙ୍କ ସୂଚନା ଅନୁସାରେ, ଅକ୍ଟୋବର ୭ ତାରିଖରେ କଲେଜଗୁଡ଼ିକ ପକ୍ଷରୁ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବ।
ଛାତ୍ର ସଂସଦ ନିର୍ବାଚନ ପାଇଁ ଅକ୍ଟୋବର ୯ ତାରିଖରେ ନାମାଙ୍କନ ପ୍ରକ୍ରିୟା ହେବ। ଏହାପରେ ଅକ୍ଟୋବର ୧୫ ତାରିଖରେ ଭୋଟ୍ ଗ୍ରହଣ କରାଯିବ। ନିର୍ବାଚନରେ ବିଜୟୀ ହେଉଥିବା ନୂଆ ଛାତ୍ର ନେତାମାନେ ଅକ୍ଟୋବର ୧୬ ତାରିଖ ସକାଳେ ଶପଥ ଗ୍ରହଣ କରିବେ।
ଅର୍ଥାତ୍ ବିଜ୍ଞପ୍ତି ପ୍ରକାଶଠାରୁ ଆରମ୍ଭ କରି ଶପଥ ଗ୍ରହଣ ପର୍ଯ୍ୟନ୍ତ ମାତ୍ର ପ୍ରାୟ ୧୦ ଦିନ ମଧ୍ୟରେ ସମ୍ପୂର୍ଣ୍ଣ ନିର୍ବାଚନ ପ୍ରକ୍ରିୟା ଶେଷ ହେବ।
୨୦୧୮ ମସିହାରୁ ରାଜ୍ୟର କଲେଜଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ରହିଥିଲା। ତତ୍କାଳୀନ ବିଜେଡି ସରକାର ସମୟରୁ ଛାତ୍ର ସଂସଦ ନିର୍ବାଚନ ହୋଇନଥିଲା।
ଦୀର୍ଘ ୮ ବର୍ଷ ପରେ ଏବେ ବିଜେପି ସରକାର ନିଜର ପ୍ରତିଶ୍ରୁତି ଅନୁସାରେ ପୁଣିଥରେ ଛାତ୍ର ସଂସଦ ନିର୍ବାଚନ କରିବାକୁ ଯାଉଛି। ଏହାକୁ ନେଇ କଲେଜ କ୍ୟାମ୍ପସରେ ରାଜନୈତିକ ଉଷ୍ମତା ବଢ଼ିବା ସହ ଛାତ୍ର ନେତାମାନଙ୍କ ମଧ୍ୟରେ ମଧ୍ୟ ଉତ୍ସାହ ବଢ଼ିବାର ସମ୍ଭାବନା ରହିଛି।
ଛାତ୍ର ସଂସଦ ନିର୍ବାଚନକୁ ଦୀର୍ଘ ସମୟ ଧରି ଚାଲୁ ନରଖି ମାତ୍ର ୧୦ ଦିନ ମଧ୍ୟରେ ସମାପ୍ତ କରିବାକୁ ଉଚ୍ଚଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି। ଏହା ପଛରେ ଆଇନଶୃଙ୍ଖଳା ଓ ଛାତ୍ରଛାତ୍ରୀଙ୍କ ପାଠପଢ଼ାକୁ ମୁଖ୍ୟ କାରଣ ଭାବେ ଦର୍ଶାଯାଇଛି।
ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ କହିବା ଅନୁସାରେ, ନିର୍ବାଚନ ତାରିଖ ଯଦି ବହୁତ ଦିନ ପୂର୍ବରୁ ଘୋଷଣା ହୁଏ, ତେବେ କ୍ୟାମ୍ପସରେ ଦୀର୍ଘ ସମୟ ଧରି ନିର୍ବାଚନୀ ପରିବେଶ ରହିବ। ଏହା ଫଳରେ ଆଇନଶୃଙ୍ଖଳା ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଥାଏ।
ତେଣୁ ଅଳ୍ପ ସମୟ ମଧ୍ୟରେ ନିର୍ବାଚନ ପ୍ରକ୍ରିୟା ଶେଷ କରି ସୁରୁଖୁରୁରେ ନିର୍ବାଚନ କରିବାକୁ ନିଷ୍ପତ୍ତି ହୋଇଛି।
ନିର୍ବାଚନ ସମୟରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଯେପରି ପ୍ରଭାବିତ ନହୁଏ, ସେଥିପ୍ରତି ମଧ୍ୟ ଉଚ୍ଚଶିକ୍ଷା ବିଭାଗ ଗୁରୁତ୍ୱ ଦେଇଛି।
ନିର୍ବାଚନ ପ୍ରକ୍ରିୟାରେ କେହି ଆଇନ ଉଲ୍ଲଂଘନ କଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। କଲେଜ ପରିସରରେ ଶୃଙ୍ଖଳା ବଜାୟ ରଖି ନିର୍ବାଚନ ସମ୍ପନ୍ନ କରିବାକୁ ସମସ୍ତଙ୍କ ସହଯୋଗ ଲୋଡ଼ାଯାଇଛି।
ଛାତ୍ର ସଂସଦ ନିର୍ବାଚନକୁ କେବଳ କଲେଜ ନିର୍ବାଚନ ଭାବେ ନଦେଖି ଭବିଷ୍ୟତ ନେତୃତ୍ୱ ଗଠନର ଏକ ମାଧ୍ୟମ ଭାବେ ଦେଖୁଛି ସରକାର।
ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି, “ଆଜିର ଛାତ୍ର ନେତୃତ୍ୱ, ଆସନ୍ତକାଲିର ନେତୃତ୍ୱ ନେବେ।” ଛାତ୍ରଛାତ୍ରୀଙ୍କୁ ସାମ୍ବିଧାନିକ ମୂଲ୍ୟବୋଧ ବୁଝାଇ ଭବିଷ୍ୟତର ଦାୟିତ୍ୱବାନ ନେତୃତ୍ୱ ଗଢ଼ିବା ଦିଗରେ ଛାତ୍ର ସଂସଦ ନିର୍ବାଚନ ସହାୟକ ହେବ ବୋଲି ସରକାର ଆଶା ରଖିଛି।
ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଥିବାରୁ ଏବେ କଲେଜ କ୍ୟାମ୍ପସରେ ପୁଣି ନିର୍ବାଚନୀ ମାହୋଲ ଫେରିବାକୁ ଯାଉଛି। କେଉଁ କଲେଜରେ କିଏ ପ୍ରାର୍ଥୀ ହେବେ ଏବଂ କାହା ହାତକୁ ଛାତ୍ର ସଂସଦର ନେତୃତ୍ୱ ଯିବ, ତା’ ଉପରେ ଏବେ ସମସ୍ତଙ୍କ ନଜର।

