17 Oct 2026, Sat

ଭୁବନେଶ୍ୱର: ରାଜ୍ୟର କ୍ୟାମ୍ପସ୍‌ଗୁଡ଼ିକରେ ପୁଣି ବାଜିଛି ନିର୍ବାଚନ ବିଗୁଲ୍। ଦୀର୍ଘ ୮ ବର୍ଷ ପରେ ଓଡ଼ିଶାରେ ହେବାକୁ ଯାଉଛି ଛାତ୍ର ସଂସଦ ନିର୍ବାଚନ। ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ନିର୍ବାଚନର ତାରିଖ ଘୋଷଣା କରିଛନ୍ତି।

ଘୋଷିତ କାର୍ଯ୍ୟସୂଚୀ ଅନୁସାରେ ଅକ୍ଟୋବର ୭ ତାରିଖରେ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବ। ଅକ୍ଟୋବର ୯ରେ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିବେ। ସେହିଦିନ ନାମାଙ୍କନ ଯାଞ୍ଚ ସହ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ଅକ୍ଟୋବର ୧୪ରେ ‘ହ୍ୱାଇ ଆଇ ଷ୍ଟାଣ୍ଡ’ ମିଟିଂ ହେବା ପରେ ଅକ୍ଟୋବର ୧୫ରେ ଭୋଟ୍ ଗ୍ରହଣ କରାଯିବ।

୧୫ରେ ଭୋଟ୍, ସେହିଦିନ ଫଳାଫଳ

ଅକ୍ଟୋବର ୧୫ ତାରିଖରେ ସକାଳ ୮ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ ହେବ। ଭୋଟ୍ ଶେଷ ହେବା ପରେ ଗଣତି କରାଯାଇ ସେହିଦିନ ହିଁ ଫଳାଫଳ ପ୍ରକାଶ କରାଯିବ।

ଏହାପରେ ଅକ୍ଟୋବର ୧୬ ତାରିଖରେ ନବନିର୍ବାଚିତ ଛାତ୍ର ପ୍ରତିନିଧିମାନଙ୍କର ଶପଥ ଗ୍ରହଣ ଉତ୍ସବ ହେବ। ଅର୍ଥାତ୍ ଦଶହରା ଛୁଟି ପୂର୍ବରୁ ହିଁ ସମଗ୍ର ନିର୍ବାଚନ ପ୍ରକ୍ରିୟା ଶେଷ କରିବାକୁ ଯୋଜନା ରହିଛି।

୮ ବର୍ଷ ପରେ କ୍ୟାମ୍ପସରେ ନିର୍ବାଚନୀ ମାହୋଲ

୨୦୧୭ରେ ଶେଷଥର ପାଇଁ ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ ହୋଇଥିଲା। ଏହାପରେ ବିଭିନ୍ନ କାରଣ ଦର୍ଶାଇ କ୍ୟାମ୍ପସ୍ ନିର୍ବାଚନ ବନ୍ଦ ରହିଥିଲା। କୋଭିଡ୍ ମହାମାରୀ ସମୟରେ ମଧ୍ୟ ଛାତ୍ର ନିର୍ବାଚନ ହୋଇପାରିନଥିଲା।

୨୦୨୪ ନିର୍ବାଚନ ପୂର୍ବରୁ ଛାତ୍ର ସଂସଦ ନିର୍ବାଚନ କରାଇବା ନେଇ ବିଜେପି ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା। ଏବେ ସରକାରଙ୍କ ଘୋଷଣା ପରେ ଦୀର୍ଘ ବର୍ଷ ପରେ କ୍ୟାମ୍ପସ୍ ରାଜନୀତିରେ ପୁଣି ଉତ୍ସାହ ଦେଖାଦେଇଛି।

ସୋସିଆଲ ମିଡିଆ ପାଇଁ ନୂଆ ନିୟମ

ଛାତ୍ର ନିର୍ବାଚନକୁ ନେଇ ପ୍ରାର୍ଥୀ ଏବଂ ସେମାନଙ୍କ ସମର୍ଥକଙ୍କ ପାଇଁ ସୋସିଆଲ ମିଡିଆ ଓ ଡିଜିଟାଲ୍ ପ୍ଲାଟଫର୍ମରେ ଆଚରଣ ସମ୍ପର୍କରେ ମଧ୍ୟ ନିୟମ ଜାରି ହୋଇଛି।

ବିଜ୍ଞପ୍ତିରେ ପ୍ରାର୍ଥୀମାନଙ୍କୁ ଶାଳୀନତା ରକ୍ଷା କରିବାକୁ କୁହାଯାଇଛି। ଅପମାନଜନକ କିମ୍ବା ଆପତ୍ତିଜନକ ଭାଷା ବ୍ୟବହାର, ବ୍ୟକ୍ତିଗତ ଆକ୍ରମଣ ଏବଂ ଭିତ୍ତିହୀନ ଅଭିଯୋଗରୁ ଦୂରେଇ ରହିବାକୁ ପ୍ରାର୍ଥୀ ଓ ସମର୍ଥକଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ମିଥ୍ୟା କିମ୍ବା ବିଭ୍ରାନ୍ତିକର ତଥ୍ୟ ପ୍ରଚାର ଉପରେ ମଧ୍ୟ କଟକଣା ରହିଛି। ବିଶେଷକରି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI ମାଧ୍ୟମରେ ପ୍ରସ୍ତୁତ ଫେକ୍ କଣ୍ଟେଣ୍ଟ ପ୍ରଚାରକୁ ନେଇ କଡ଼ା ନିୟମ ରହିଛି।

ନିର୍ବାଚନ ପ୍ରକ୍ରିୟା ୧୦ ଦିନ ମଧ୍ୟରେ ଶେଷ

ନିର୍ବାଚନ ପ୍ରକ୍ରିୟାକୁ ଖୁବ୍ କମ୍ ସମୟ ମଧ୍ୟରେ ଶେଷ କରିବାକୁ ଯୋଜନା କରାଯାଇଛି। ନିର୍ବାଚନ ଯୋଗୁଁ ଯେପରି କ୍ୟାମ୍ପସରେ ଆଇନଶୃଙ୍ଖଳା ସମସ୍ୟା ସୃଷ୍ଟି ନହୁଏ ଏବଂ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପ୍ରଭାବିତ ନହୁଏ, ସେଥିପାଇଁ ସମଗ୍ର ପ୍ରକ୍ରିୟାକୁ ସୀମିତ ସମୟ ମଧ୍ୟରେ ସାରିବାକୁ ନିଷ୍ପତ୍ତି ହୋଇଛି।

ନିର୍ବାଚନ ସମୟରେ ଆଇନ ଉଲ୍ଲଂଘନ କରୁଥିବା ପ୍ରାର୍ଥୀ କିମ୍ବା ସମର୍ଥକଙ୍କ ବିରୋଧରେ ନିୟମ ଅନୁସାରେ ପଦକ୍ଷେପ ନିଆଯିବ। କ୍ୟାମ୍ପସରେ ଶାନ୍ତିପୂର୍ଣ୍ଣ ଭାବେ ନିର୍ବାଚନ ପରିଚାଳନା କରିବା ଉପରେ ଗୁରୁତ୍ୱ ଦିଆଯାଇଛି।

ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଥିବାରୁ ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ଏବେଠାରୁ ନିର୍ବାଚନୀ ମାହୋଲ ତିଆରି ହୋଇଛି। ଆଗାମୀ ଦିନରେ ପ୍ରାର୍ଥୀ ଚୟନ, ପ୍ରଚାର ଏବଂ କ୍ୟାମ୍ପସ୍ ରାଜନୀତି କିପରି ରୂପ ନେବ, ତାହା ଉପରେ ଏବେ ସମସ୍ତଙ୍କ ନଜର।

Leave a Reply

Your email address will not be published. Required fields are marked *