ପ୍ରବଳ ଜାଡ଼ରେ ଥରୁଛି ଓଡ଼ିଶା । ଆଗାମୀ ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟରେ ଶୀତରୁ ନାହିଁ ନିସ୍ତାର । ଉପକୂଳ ଠୁ ଆରମ୍ଭ କରି ଆଭ୍ୟନ୍ତରୀଣ ଯାଏ ସବୁଠି ଅନୁଭୂତ ହେଉଛି ହାଡ଼ଭଙ୍ଗା । ପାଣିପାଗ ବିଶେଷଜ୍ଞଙ୍କ ଆକଳନ କନ୍ଧମାଳ ଜିଲ୍ଲାର କିଛି ସ୍ଥାନରେ ୫ ଡିଗ୍ରୀ ତଳେ ରହିପାରେ ସର୍ବନିମ୍ନ ତାପମାତ୍ରା ।
ସେପଟେ ୧୦ ଡିଗ୍ରୀ ତଳେ ୧୦ ସହରରେ ତାପମାତ୍ରା ରହିଥିବା ବେଳେ ୧୫ ଡିଗ୍ରୀ ତଳେ ୩୯ ସହରରେ ପାରଦ ରହିଛି ।
ଆଗାମୀ ୨ ଦିନ ପାଇଁ ପାଣିପାଗ ବିଭାଗ ପକ୍ଷରୁ ଶୀତ ଲହରୀ ଓ ଘନ କୁହୁଡ଼ି ପାଇଁ ଆଲର୍ଟ ଜାରି ହୋଇଛି । ସେହିପରି ଶିମିଳିପାଳରେ ତୁଷାରପାତ ହୋଇଛି । ଆସନ୍ତା ୨୪ ଘଣ୍ଟା ପାଇଁ ଅନୁଗୁଳ, ଝାରସୁଗୁଡ଼ା, ଖୋର୍ଦ୍ଧା ଓ ଜଗତସିଂହପୁରରେ ଶୀତ ଲହରୀ ସମ୍ଭାବନା ଥିବାରୁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଆଲର୍ଟ ଜାରି ହୋଇଛି ।
ସେହିପରି ହାଡ଼ଭଙ୍ଗା ଶୀତରେ ଥରୁଛି ମୟୂରଭଞ୍ଜ । ଆଜି ମୟୂରଭଞ୍ଜ ଜିଲ୍ଲାର ସର୍ବନିମ୍ନ ତାପମାତ୍ରା ୨ ଡିଗ୍ରୀକୁ ଖସିଲା ପାରଦ । ଶିମିଳିପାଳର ଉପର ବାରାକାମୁଡ଼ାରେ ତାପମାତ୍ରା ୨ ଡିଗ୍ରୀ, ଚହଲାରେ ୫ ଡିଗ୍ରୀ, ଗୁଡ଼ଗୁଡିଆରେ ୬ ଡିଗ୍ରୀ, ବରେଇପାଣିରେ ୭ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।ସେପଟେ କନ୍ଧମାଳ ଜିଲ୍ଲାରେ ମଧ୍ୟ ତଳମୁହାଁ ପାରଦ ।
ଗତ କିଛି ଦିନ ହେବ ପାରଦ ଖସିବାରେ ଲାଗିଛି l ପ୍ରବଳ ଜାଡ଼ ଯୋଗୁଁ ଲୋକେ ନିଆଁର ସାହାରା ନେଉଥିବା ଦେଖିବାକୁ ମିଳିଛି । ସକାଳୁ ଘନ କୁହୁଡ଼ି ଯୋଗୁଁ ରାସ୍ତା ଭଲରେ ଦୃଶ୍ୟମାନ ହେଉନାହିଁ । ଫଳରେ ଗାଡି ଚଳାଚଳରେ ବାଧା ସୃଷ୍ଟି ହେଉଛି । ରାଜ୍ୟରେ ଧିରେ ଧିରେ ପାରଦ କମିବା ସହିତ ଶୀତ ଫେରିଛି । ଦିନ ଏବଂ ରାତିର ତାପମାତ୍ରା ହ୍ରାସ ପାଉଥିବା ବେଳେ ରାଜ୍ୟରେ ଶୀତର ପ୍ରକୋପ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ଗାଁରେ ଶୀତ ପାଇଁ ଲୋକେ ନିଆଁ ପୁଆଁଉଥିବା ଦେଖିବାକୁ ମିଳୁଛି ।

