ଆଜି ଅବପାତ ଓ ୪୮ ଘଣ୍ଟା ଭିତରେ ବାତ୍ୟା ସମ୍ଭାବନା I ମାଲାକା ସମୁଦ୍ର ସନ୍ଧିରେ ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ରଟି ଆସନ୍ତା ୨୪ ଘଣ୍ଟାରେ ଅଧିକ ଘନୀଭୂତ ହୋଇ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ପାର୍ଶ୍ବବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଅବପାତରେ ପରିଣତ ହେବା ସମ୍ଭାବନା ଥିବା କହିଛି ପାଣିପାଗ ବିଭାଗ ।
୨୭ରେ ବଙ୍ଗୋପସାଗରରେ ସୃଷ୍ଟି ହେବ ବାତ୍ୟା । ଓଡ଼ିଶା ଉପରେ ପ୍ରଭାବ ନେଇ ହୋଇନି ସ୍ପଷ୍ଟ । ବଙ୍ଗୋପସାଗରରେ ଆଉ ଏକ ବାତ୍ୟା ସୃଷ୍ଟି ପାଇଁ ପାଗ ଅନୁକୂଳ ହେଉଥିବା ବେଳେ ମାଲେସିଆ ଓ ସଂଲଗ୍ନ ମାଲାକ୍ସ ପ୍ରଣାଳୀ ଉପରେ ଏକ ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହାସହ ଜଡ଼ିତ ଘୂର୍ଣ୍ଣିବଳୟଟି ସମୁଦ୍ର ପତ୍ତନଠାରୁ ୭.୬ କିମି ଉଚ୍ଚତାରେ ରହିଛି ଏହା ଧୀରେଧୀରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବା ସହ ଘନୀଭୂତ ହୋଇ ୪୮ ଘଣ୍ଟାରେ ଦକ୍ଷିଣ ବଙ୍ଗୋପସାଗରରେ ବାତ୍ୟାର ରୂପ ନେବ ବୋଲି ଆଉଏମ୍ଡି ପକ୍ଷରୁ କୁହାଯାଇଛି ।
ତେବେ ଏହାର ପ୍ରଭାବ ଓଡ଼ିଶା ଉପରେ କ’ଣ ରହିବ ସେ ନେଇ ଏବେ ସଷ୍ଟ ହୋଇନଥିବା ପାଣିପାଗ ବିଜ୍ଞାନୀ ସୂଚନା ଦେଇଛନ୍ତି । ସେହିପରି ରାଜ୍ୟରେ ଶୀତ ହାଲ୍କା କମିଥିବା ବେଳେ ଆସନ୍ତା ୫ ଦିନ ପାଗରେ ବିଶେଷ ପରିବର୍ଷନର ସମ୍ଭାବନା ନାହିଁ । ପରବର୍ତ୍ତୀ ୨ ଦିନରେ ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ତାପମାତ୍ରା କମିବ ଏବଂ ପୁଣି ରାଜ୍ୟରେ ଥଣ୍ଡା ଅନୁଭୂତ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।
ଇସିଏମ୍ଡବ୍ଲ୍ୟୁଏଫ୍ ମଡେଲ କହୁଛି, ୨୫ ତାରିଖରେ ଅବପାତ ହେବା ପରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ପହଞ୍ଚିବ । ୨୯ ତାରିଖ ସୁଦ୍ଧା ଏହା କ୍ରମଶଃ ଦୁର୍ବଳ ହୋଇ ସାରିଥିବ । ସେହିଭଳି କମୋରିନ୍ ଉପରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଅଧିକ ଘନୀଭୂତ ହୋଇ ଆସନ୍ତା ୧ ତାରିଖ ବେଳକୁ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିପାରେ । ଏହା ବି ସମୁଦ୍ର ଭିତରେ ଦୁର୍ବଳ ହୋଇଯିବ ବୋଲି ବିଭିନ୍ନ ମଡେଲ ଆକଳନ କରିଛନ୍ତି।

