17 Oct 2026, Sat

ଗତକାଲି ରାତିରୁ ଜାରି ରହିଥିବା ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ମୟୂରଭଞ୍ଜରେ ଆଜି ସ୍କୁଲ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ । ଏନେଇ ଜିଲ୍ଲାର ସମସ୍ତ BEOଙ୍କୁ ଅବଗତ କରାଯାଇଛି । ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ପ୍ରାଥମିକରୁ ଉଚ୍ଚ ମାଧ୍ୟମିକ ସମସ୍ତ ବିଦ୍ୟାଳୟ ଛୁଟି କରାଯାଇଛି । ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛି ।

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଲଘୁଚାପଟି ବର୍ତ୍ତମାନ ଉତ୍ତର ବଙ୍ଗୋପସାଗର ଏବଂ ସଂଲଗ୍ନ ବାଂଲାଦେଶ-ପଶ୍ଚିମବଙ୍ଗ ଉପକୂଳ ଅଞ୍ଚଳରେ ରହିଛି । ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଥିବାବେଳେ ଆଗାମୀ ୨୪ ଘଣ୍ଟାରେ ଅବପାତ ବା ଡିପ୍ରେସନ୍‌ର ରୂପ ନେଇପାରେ । ଫଳରେ ରାଜ୍ୟରେ ବର୍ଷାର ତୀବ୍ରତା ଆହୁରି ବଢ଼ିବା ସମ୍ଭାବନା ରହିଛି ।

ଆଜି ପାଇଁ ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ଏହି ଦୁଇ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ସ୍ଥାନୀୟ ଭାବେ ଅତ୍ୟଧିକ ବର୍ଷାର ଆଶଙ୍କା ରହିଛି । ସେହିପରି ମୟୂରଭଞ୍ଜ, କେନ୍ଦୁଝର, ଅନୁଗୋଳ, ଢେଙ୍କାନାଳ, ଯାଜପୁର, କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ଅନ୍ୟ ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

ପ୍ରବଳ ବର୍ଷା ସମୟରେ ତଳିଆ ଅଞ୍ଚଳରେ ପାଣି ଜମିବା, ରାସ୍ତାଘାଟରେ ଜଳବନ୍ଦୀ ଓ ଯାତାୟାତ ବାଧା ସୃଷ୍ଟି ହେବାର ଆଶଙ୍କା ଥିବାରୁ ପ୍ରଶାସନ ପକ୍ଷରୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।

Leave a Reply

Your email address will not be published. Required fields are marked *