ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନର ଚତୁର୍ଥ ଦିନରେ ବି ଗୃହ କାର୍ଯ୍ୟ ସ୍ୱାଭାବିକ ହୋଇପାରିନାହିଁ। MMDR Amendment Actକୁ ନେଇ ଗୃହ ଆରମ୍ଭରୁ ବିରୋଧୀ ସଦସ୍ୟଙ୍କ ହଙ୍ଗାମା ଓ ନାରାବାଜି ଯୋଗୁଁ ପ୍ରଶ୍ନକାଳ ପ୍ରଭାବିତ ହୋଇଛି।
ହଙ୍ଗାମା ମଧ୍ୟରେ ମାତ୍ର ୪ ମିନିଟ୍ ଗୃହ ଚାଲିବା ପରେ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ କରିଛନ୍ତି। MMDR Amendment Actକୁ ବିରୋଧ କରି ବିଜେଡି ଓ କଂଗ୍ରେସ ସଦସ୍ୟମାନେ ୱେଲ୍କୁ ଆସି ନାରାବାଜି କରିଥିଲେ। ଏହି ଆଇନକୁ ନେଇ ସରକାରଙ୍କଠାରୁ ସ୍ପଷ୍ଟ ଜବାବ ଦାବି କରିଛନ୍ତି ବିରୋଧୀ ସଦସ୍ୟ।
ପୂର୍ବରୁ ମଧ୍ୟ ଲଗାତାର ତିନି ଦିନ ଧରି MMDR ପ୍ରସଙ୍ଗକୁ ନେଇ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ସେପ୍ଟେମ୍ବର ୨୨ରୁ ଆରମ୍ଭ ହୋଇଥିବା ମୌସୁମୀ ଅଧିବେଶନର ପ୍ରଥମ ଦିନରୁ ହିଁ ଏହି ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ପ୍ରତିବାଦ ଜାରି ରହିଛି।
ଏପଟେ MMDR Amendment Act ଯୋଗୁଁ ରାଜ୍ୟର ଖଣିଜ ରାଜସ୍ୱ ଉପରେ କେତେ ପ୍ରଭାବ ପଡ଼ିବ, ସେନେଇ ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ଆକଳନ ହୋଇନଥିବା ବିଧାନସଭାରେ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି। ସଂଶୋଧିତ ଆଇନର ଧାରା ୯ଡି ଅନୁସାରେ ଖଣିଜ ଅଧିକାର ଓ ଖଣିଜ ଥିବା ଜମି ଉପରେ ରାଜ୍ୟର ଟିକସ, ସେସ୍ କିମ୍ବା ଅନ୍ୟାନ୍ୟ ଲେଭି ଲଗାଇବା ନେଇ ଥିବା ପ୍ରଭାବର ମଧ୍ୟ ଚୂଡ଼ାନ୍ତ ଆକଳନ ହୋଇନଥିବା ସେ ସ୍ପଷ୍ଟ କରିଛନ୍ତି।
ସରକାର ଓ ବିରୋଧୀଙ୍କ ମଧ୍ୟରେ MMDR Amendmentକୁ ନେଇ ବିବାଦ ଜାରି ରହିଥିବାରୁ ଆଗାମୀ ଦିନରେ ବିଧାନସଭା କାର୍ଯ୍ୟ କିପରି ଚାଲିବ, ତାହା ଉପରେ ନଜର ରହିଛି। ଚଳିତ ମୌସୁମୀ ଅଧିବେଶନ ସେପ୍ଟେମ୍ବର ୨୨ରୁ ଅକ୍ଟୋବର ୩ ଯାଏ ଚାଲିବାକୁ କାର୍ଯ୍ୟସୂଚୀ ରହିଛି।

