ବଙ୍ଗୋପସାଗରରେ ଘନୀଭୂତ ହେଉଛି ଅବପାତ। ଆଉ କିଛି ଘଣ୍ଟା ମଧ୍ୟରେ ଏହା ଗଭୀର ଅବପାତରେ ପରିଣତ ହୋଇପାରେ। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶା ସମେତ ରାଜ୍ୟର ଅନେକ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି।
IMD ଡିଜିଙ୍କ ସୂଚନା ଅନୁସାରେ, ଗଭୀର ଅବପାତରେ ପରିଣତ ହେବା ପରେ ଏହା ସେପ୍ଟେମ୍ବର ୨୩ ରାତିରୁ ୨୪ ସକାଳ ମଧ୍ୟରେ ବିଶାଖାପାଟଣା ଓ ଗୋପାଳପୁର ମଧ୍ୟରେ ଉପକୂଳ ଅତିକ୍ରମ କରିପାରେ।
ବର୍ଷା ପୂର୍ବରୁ ରାଜ୍ୟ ସରକାର ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଛନ୍ତି। SRCଙ୍କ ସମୀକ୍ଷା ପରେ ସମ୍ବେଦନଶୀଳ ଅଞ୍ଚଳରେ ୩୩ଟି ODRAF ଟିମ୍ ମୁତୟନ କରାଯାଇଛି। ସ୍ୱାସ୍ଥ୍ୟ ବିଭାଗକୁ ମେଡିକାଲ ଟିମ୍ ପ୍ରସ୍ତୁତ ରଖିବା ସହ ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳୀରେ ଆବଶ୍ୟକ ସାମଗ୍ରୀ ମହଜୁଦ ରଖିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ହୋଇଛି।

ସେପ୍ଟେମ୍ବର ୨୩-୨୪ ପାଇଁ ଗଞ୍ଜାମ, ଗଜପତି ଓ କୋରାପୁଟକୁ ରେଡ୍ ୱାର୍ଣ୍ଣିଂ ଦିଆଯାଇଛି। ସେହିପରି ୨୪-୨୫ ତାରିଖ ପାଇଁ କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଓ କଳାହାଣ୍ଡିକୁ ରେଡ୍ ୱାର୍ଣ୍ଣିଂ ରହିଛି।
ବିଶେଷକରି ଗଜପତି, ରାୟଗଡ଼ା, ଗଞ୍ଜାମ, କୋରାପୁଟ ଓ ମାଲକାନଗିରିର ଭୂସ୍ଖଳନ ପ୍ରବଣ ଅଞ୍ଚଳ ଉପରେ ପ୍ରଶାସନ ନଜର ରଖିଛି।
ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ବିଦ୍ୟାଳୟ ପରେ ଏବେ କଲେଜ ମଧ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ହୋଇଛି। ମାଲକାନଗିରି ଓ ଗଞ୍ଜାମରେ କଲେଜଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି।
ଏବେ ନଜର ରହିଛି ଅବପାତର ଗତିପଥ ଓ ବର୍ଷାର ପରିମାଣ ଉପରେ। ସମୁଦ୍ର ଅଶାନ୍ତ ରହିବା ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀ ଓ ଉପକୂଳବାସୀଙ୍କୁ ପ୍ରଶାସନର ସତର୍କତା ମାନିବାକୁ କୁହାଯାଇଛି।

