15 Sep 2026, Tue

ରାଜ୍ୟରେ ଆସନ୍ତା ୫ ଦିନ ଯାଏ ତାତିରୁ ମିଳିବନି ତ୍ରାହି। ଆସନ୍ତା ୨୪ ଘଣ୍ଟା ପାଇଁ ସାରା ଓଡ଼ିଶାରେ କାଳବୈଶାଖୀ ବର୍ଷାର ରହିଛି ଚେତାବନୀ। ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାକୁ ବିଜୁଳି ଘଡଘଡ଼ି ସହ ୫୦ ରୁ ୬୦ କିମି ବେଗରେ ଝଟକା ପବନ ବହିବାର ସମ୍ଭାବନା ରହିଛି। ଏ ନେଇ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଅବଶିଷ୍ଟ ୨୮ ଜିଲ୍ଲାକୁ ୪୦ରୁ ୫୦ ଝଟକା ପବନ ବହିବାର ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା ପାଇଁ ଚେତାବନୀ ଦେଇଛି ବିଭାଗ । ସେପଟେ ରାଜ୍ୟରେ ଗରମ ସହ ଅସହ୍ୟ ତାତି ଲାଗି ରହିଥିବା ବେଳେ ୫ ଦିନ ଯାଏ ତାତିରୁ ବ୍ରେକ ଲାଗିବ ନାହିଁ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।

ସେପଟେ କେରଳମ୍ ଛୁଇଁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ସ୍ଵାଭାବିକ ସମୟ ଜୁନ୍ ୧ ଠାରୁ ୩ ଦିନ ବିଳମ୍ବରେ ଦେଶର ମୁଖ୍ୟ ଭୂଭାଗକୁ ଅଗ୍ରସର ହୋଇଛି ମୌସୁମୀ। ମାଙ୍ଗାଲୋର, ଉଟି, କୋଡାଇକେନାଲ ଆଦି ଅଞ୍ଚଳ ଦେଇ ଏବେ ମୌସୁମୀ ବାୟୁ ଗତି କରୁଛି। ଏଥିସହ ସମଗ୍ର ଲାକ୍ଷାଦ୍ବୀପ ଦ୍ବୀପପୁଞ୍ଜ, କର୍ଣ୍ଣାଟକ, ତାମିଲନାଡୁର କିଛି କିଛି ଅଂଶ ସମେତ ଦକ୍ଷିଣ-ପଶ୍ଚିମ ଓ ଦକ୍ଷିଣ-ପୂର୍ବ ଆରବ ସାଗରର ଅବଶିଷ୍ଟ ଅଂଶ, ପଶ୍ଚିମ-କେନ୍ଦ୍ରୀୟ ଓ ପୂର୍ବ-କେନ୍ଦ୍ରୀୟ ଆରବ ସାଗରର କେତେକାଂଶ, କୋମୋରିନ୍‌ ଅଞ୍ଚଳର ଅବଶିଷ୍ଟ ଅଂଶ, ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ଦକ୍ଷିଣ-ପଶ୍ଚିମ, ପଶ୍ଚିମ-କେନ୍ଦ୍ରୀୟ, ପୂର୍ବ- କେନ୍ଦ୍ରୀୟ ଓ ଉତ୍ତର-ପୂର୍ବ ବଙ୍ଗୋପସାଗରକୁ ମୌସୁମୀ ଅଗ୍ରସର ହୋଇଛି।

ମୌସୁମୀ ପ୍ରଭାବରେ କେରଳ, କର୍ଣାଟକ ଓ ତାମିଲନାଡୁରେ ଆସନ୍ତା ୭ ଦିନ ପ୍ରବଳ ବର୍ଷା ସମ୍ଭାବନା ରହିଛି | ଏଥିସହ ଆସନ୍ତା ୫ରୁ ୬ ଦିନ ପର୍ଯ୍ୟନ୍ତ ଉତ୍ତର-ପୂର୍ବ ଭାରତରେ ବି ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ଆସନ୍ତା ୩ ଦିନ ମଧ୍ୟରେ ସମ୍ପୂର୍ଣ ଗୋଆ ସମେତ ମହାରାଷ୍ଟ୍ର, ଆନ୍ଧ୍ର, କର୍ଣ୍ଣାଟକ, ତାମିଲନାଡୁ ଆଦିର ଆଉ କିଛି କିଛି ଅଞ୍ଚଳକୁ ମୌସୁମୀ ଅଗ୍ରସର ହୋଇପାରେ ବୋଲି ଆଇଏମ୍‌ଡି ପକ୍ଷରୁ କୁହାଯାଇଛି। ତେବେ ବଙ୍ଗୋପସାଗରର ପାଣିପାଗ ସ୍ଥିତି ଦେଖି ଯାହା ଆକଳନ କରାଯାଉଛି, ଓଡ଼ିଶାକୁ ମୌସୁମୀ ଆଗମନ ଆହୁରି ବିଳମ୍ବ ହୋଇପାରେ।

ଏଲ୍ ନିନୋ’ ପ୍ରଭାବରେ ସାଧାରଣ ବର୍ଷାଠୁ କମ୍ ବର୍ଷାର ସମ୍ଭାବନା ରହିଛି। ଏହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି| ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ଅବସରରେ ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ବର୍ତମାନ ପ୍ରଶାନ୍ତ ମହାସାଗରରେ ତାପମାତ୍ରା ନିରପେକ୍ଷ ଅବସ୍ଥାରେ ରହିଛି। ଏହା ଧୀରେ ଧୀରେ ଦୁର୍ବଳ ଅବସ୍ଥାକୁ ଆସିବ ଜୁଲାଇରୁ ଅଗଷ୍ଟ ମଧ୍ୟରେ ଏହା ମଧ୍ୟମ ଅବସ୍ଥାକୁ ଆସିବ ସେପ୍ଟେମ୍ବର ଶେଷ ଆଡ଼କୁ ‘ଏଲ୍ ନିନୋ’ ଶକ୍ତିଶାଳୀ ହେବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *